ବିଶ୍ବକପ୍: ଆଜି ପାକିସ୍ତାନ-ବାଂଲାଦେଶ ମୁହାଁମୁହିଁ ହେବେ – Ibnodisha

[ad_1]
କୋଲ୍କାତା : ଚଳିତ ବିଶ୍ବକପ୍ରେ ସେମିଫାଇନାଲ୍ ଖେଳିବା ଆଶା ରଖିଥିବା ଦୁଇ ଏସୀୟ ଦଳ ପାକିସ୍ତାନ ଓ ବାଂଲାଦେଶ ମଙ୍ଗଳବାର କୋଲ୍କାତାର ଇଡେନ୍ ଗାର୍ଡେନ୍ସରେ ମୁହାଁମୁହିଁ ହେବେ। ଅପରାହ୍ନ ୨ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ। ପାକିସ୍ତାନ ଲଗାତାର ୪ ଓ ବାଂଲାଦେଶ ଲଗାତାର ୫ ପରାଜୟର ସାମ୍ନା କରିବା ପରେ କୋଲ୍କାତାରେ ବିଜୟ ଧାରାକୁ ଫେରିବାକୁ ଦୁଇ ଦଳ ଲକ୍ଷ୍ୟ ରଖିଛନ୍ତି। କାରଣ ବାଂଲାଦେଶ ପରାଜିତ ହେଲେ ସେମିଫାଇନାଲ୍ ଦୌଡ଼ରୁ ସଂପୂର୍ଣ୍ଣ ରୂପେ ବାଦ୍ ପଡ଼ିବ। ହେଲେ ପାକିସ୍ତାନ ହାରିଲେ ମଧ୍ୟ ଗାଣେତିକ ହିସାବରେ ନକ୍ଆଉଟ୍ ଦୌଡ଼ରେ ରହିପାରିବ। ବାଂଲାଦେଶ ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନକୁ ହରାଇଥିଲେ ମଧ୍ୟ ଏହାପରଠୁ ଆଉ ବିଜୟ ସ୍ବାଦ ପାଇନାହିଁ। ସେହିପରି ପାକିସ୍ତାନ ମଧ୍ୟ ପ୍ରଥମ ଦୁଇ ମ୍ୟାଚ୍ରେ ନେଦରଲାଣ୍ଡ୍ସ ଓ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। କିନ୍ତୁ ଅହମଦାବଦରେ ଭାରତଠୁ ପରାଜିତ ହେବା ପରେ ପାକିସ୍ତାନ ଆଉ ଉପରକୁ ଉଠିପାରୁନି। କ୍ରମାଗତ ୪ ପରାଜୟ ବରଣ କରିଛି ବାବର ଆଜମଙ୍କ ଦଳ। ଉଭୟ ପାକିସ୍ତାନ ଓ ବାଂଲାଦେଶ ଏବେ ୪ ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ଷଷ୍ଠ ଓ ନବମ ସ୍ଥାନରେ ଅଛନ୍ତି। କେବଳ ବିଜୟ ହିଁ ଉଭୟ ଦଳଙ୍କୁ ଟେବୁଲ୍ ଉପରକୁ ଉଠିବାରେ ସହାୟକ ହେବ। ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଚଳିତ ବିଶ୍ବକପ୍ର ପ୍ରଥମ ମୁକାବିଲାରେ ବାଂଲାଦେଶକୁ ନେଦରଲାଣ୍ଡ୍ସ ପରାସ୍ତ କରିଥିଲା। କୋଲ୍କାତା ବାଂଲାଦେଶର ଦ୍ବିତୀୟ ଘର ଭଳି। ତେଣୁ ଏଠାରେ ନେଦରଲାଣ୍ଡ୍ସଠୁ ପରାଜିତ ହେବା ପରେ ପାକିସ୍ତାନ ଭଳି ବଡ଼ ଦଳଠୁ ବିଜୟ ପାଇବା ଖେଳାଳିଙ୍କ ପାଇଁ କଠିନ ହୋଇପାରେ। ପାକିସ୍ତାନ ତାହାର ଶେଷ ମୁକାବିଲାରେ ଦକ୍ଷିଣ ଆଫ୍ରିକାଠୁ ଅଳ୍ପକେ ହାରିଥିଲା। ତଥାପି ସଂଖ୍ୟା ଦୃଷ୍ଟିରୁ ଉଭୟ ବାଂଲାଦେଶ ଓ ପାକିସ୍ତାନ ଏବେ ସମାନ ସ୍ଥିତିରେ ଅଛନ୍ତି। ଇଡେନ୍ ପିଚ୍ ବ୍ୟାଟର୍ଙ୍କୁ ସହାୟତା ଦେଉଛି। କିନ୍ତୁ ମ୍ୟାଚ୍ ଗତିଶୀଳ ହେବା ପରେ ପିଚ୍ ମନ୍ଥର ହୋଇଯାଉଛି। ତେଣୁ ଟସ୍ ଜିତିବା ଦଳ ବ୍ୟାଟିଂ ନେଲେ ବୋର୍ଡରେ ଅଧିକ ରନ୍ ରଖିବାକୁ ଚାହିଁବ। ନେଦରଲାଣ୍ଡ୍ସ-ବାଂଲାଦେଶ ମ୍ୟାଚ୍ରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଡଚ୍ ଦଳ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ୨୨୯ ରନ୍ ସଂଗ୍ରହ କରିବା ପରେ ବାଂଲାଦେଶକୁ ୧୪୨ ରନ୍ରେ ଅଲଆଉଟ୍ କରିଥିଲା। ଇଡେନ୍ ପିଚ୍ରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳଙ୍କ ହାରାହାରି ସ୍କୋର ୨୮୯ ରନ୍ ରହିଛି। ଏଥିସହ ଭାରତରେ ପାକିସ୍ତାନର ପସନ୍ଦିତା ପଡ଼ିଆ ମଧ୍ୟରୁ ଏହା ଅନ୍ୟତମ। ତେଣୁ ପାକିସ୍ତାନ ପ୍ରଥମ ପସନ୍ଦର ସ୍ଥାନ ହାଇଦ୍ରାବାଦରୁ ଦୁଇଟି ବିଜୟ ପାଇଥିବା ଭଳି କୋଲ୍କାତାରେ ମଧ୍ୟ ଜିତିବାକୁ ଚେଷ୍ଟା କରିବ। ଏଥିପୂର୍ବରୁ ଆନ୍ତର୍ଜାତିକ ଦିନିକିଆରେ ଏହି ଦୁଇ ଦଳ ୩୮ ଥର ଭେଟାଭେଟି ହୋଇଥିଲା ବେଳେ ପାକିସ୍ତାନ ସର୍ବାଧିକ ୩୩ ଥର ବିଜୟୀ ହୋଇଛି। କିନ୍ତୁ ଗତ ୫ ମୁକାବିଲା ମଧ୍ୟରୁ ବାଂଲାଦେଶ ୩ ମ୍ୟାଚ୍ ଜିତିବାରେ ସକ୍ଷମ ହୋଇଛି। ଏହି ୫ ମୁକାବିଲା ମଧ୍ୟରେ ସର୍ବାଧିକ ସ୍କୋର୍ ୩୧୫ (ପାକିସ୍ତାନ) ଥିବା ବେଳେ ସର୍ବନିମ୍ନ ସ୍କୋର ୧୯୩ (ବାଂଲାଦେଶ) ସଂଗୃହୀତ ହୋଇଛି।
ସମ୍ଭାବ୍ୟ ପାକିସ୍ତାନ ଦଳ:ଇମାମ ଉଲ୍ ହକ, ଅବଦୁଲ୍ଲା ସଫିକ, ବାବର ଆଜମ, ମହମ୍ମଦ ରିଜୱାନ, ସୌଦ ସକିଲ, ଇଫତିକାର ଅହମଦ, ସଦାବ ଖାନ, ମହମ୍ମଦ ନୱାଜ, ସାହିନ ଶାହ ଆଫ୍ରିଦି, ହାସନ ଅଲ୍ଲୀ, ହାରିସ ରୌଫ।
ସମ୍ଭାବ୍ୟ ବାଂଲାଦେଶ ଦଳ: ଲିଟନ ଦାସ, ତାଂଜିଦ ହାସନ, ନଜମୁଲ ହାସନ ସାଣ୍ଟୋ, ମେହିଦି ହାସନ ମିରାଜ, ତୋହିଦ ହୃଦୟ, ମୁସଫିକର ରହିମ, ମହମ୍ମୁଦୁଲ୍ଲା, ନସୁମ ଅହମଦ, ସରିଫୁଲ ଇସଲାମ, ମୁସ୍ତାଫିଜୁର ରହମାନ, ହାସନ ମହମୁଦ।
The post ବିଶ୍ବକପ୍: ଆଜି ପାକିସ୍ତାନ-ବାଂଲାଦେଶ ମୁହାଁମୁହିଁ ହେବେ appeared first on ONA KHABAR.
[ad_2]