ଗିଫ୍ଟ ଭାଉଚର୍ ଆଳରେ ହେଉଛି ଠକେଇ – Ibnodisha
[ad_1]
ଭୁବନେଶ୍ବର : ରାଜଧାନୀରେ ଅଭିନବ ଠକେଇର ଜାଲ ବିଛାଇଛନ୍ତି ସାଇବର୍ ଠକ। ସାଇବର୍ ଠକ ଘର ଠିକଣାରେ ଗିଫ୍ଟ ଭାଉଚର୍ ପଠାଉଛନ୍ତି। ଭାଉଚର୍ରେ ଥିବା କ୍ୟୁଆର୍ କୋଡ୍କୁ ସ୍କାନ କରିବା ମାତ୍ରେ ବ୍ୟାଙ୍କ୍ ଆକାଉଣ୍ଟରୁ ଟଙ୍କା ଖାଲି ହୋଇଯାଉଛି। ଏଭଳି ଠକେଇ ଦିଲ୍ଲୀ, ମୁମ୍ବାଇ ଏବଂ ଅନ୍ୟାନ୍ୟ ମେଟ୍ରୋ ସହରରେ ଘଟୁଥିବା ବେଳେ ଏବେ ଏଭଳି ଠକେଇ ଭୁବନେଶ୍ୱରରେ ବଢ଼଼ିବାରେ ଲାଗିଛି।
ବିଶେଷକରି ଠକମାନେ ବ୍ୟାଙ୍କ୍ ହେଉ ଅବା ଅନ୍ୟାନ୍ୟ ସଂସ୍ଥାରୁ ଲୋକଙ୍କ ବ୍ୟକ୍ତିଗତ ଠିକଣା ନେଇ ଯାଉଛନ୍ତି। ପରେ ଏହି ତଥ୍ୟ ଆଧାରରେ ଲୋକଙ୍କ ଘରକୁ ସାଇବର୍ ଠକ କାର୍ ଏବଂ ସୁନାହାର ବିଜେତା ହୋଇଥିବା ନେଇ କୁପନ୍ ପଠାଉଛନ୍ତି। ଏହି କୁପନ୍ରେ ଏକ କ୍ୟୁଆର୍ କୋଡ୍ ରହୁଛି। ଏହି କ୍ୟୁଆର କୋଡ୍କୁ ସ୍କାନ୍ କରିବା ପରେ ଆକାଉଣ୍ଟରୁ କିସ୍ତି ପରେ କିସ୍ତିରେ ଟଙ୍କା ଖାଲି ହୋଇଯାଉଛି। ଏପରିକି ଏହି କୁପନ୍ରେ ଦିଆଯାଇଥିବା ହେଲ୍ପ ଲାଇନ୍ ନମ୍ବର ମଧ୍ୟ ଜାଲ୍। ସାଇବର୍ ଠକ ନିଜ ସହଯୋଗୀଙ୍କ ଫୋନ୍ ନମ୍ବର ଦେଇଥାନ୍ତି।
ଏହି ନମ୍ବରକୁ କଲ୍ କଲେ ସେମାନେ ପ୍ରଫେସ୍ନାଲ ଭଳି କଥା ହେବେ। ଏପରିକି ଏହି ବିଜେତାକୁ ପାଇବାକୁ ହେଲେ ପ୍ରଥମେ ଏହି କୁପନ୍କୁ ସ୍କାନ କରିବାକୁ ପଡ଼ିବ ବୋଲି ସେମାନେ କହିବେ। ତେଣୁ ଏନେଇ ମଧ୍ୟ ପୁଲିସ ସଚେତନ କରୁଛି। ଯଦି କାହାରି ଘରକୁ ଏଭଳି କାର୍ କିମ୍ବା ଅନ୍ୟାନ୍ୟ ବିଜେତା ନେଇ ଖବର ଆସୁଛି ତେବେ ଲୋଭରେ ନ ପଡ଼ିବାକୁ କୁହାଯାଇଛି। ଅଜଣା ବ୍ୟକ୍ତିଙ୍କ କ୍ୟୁଆର୍ କୋଡ୍କୁ ସ୍କାନ୍ ନ କରିବାକୁ ବାରଣ କରାଯାଇଛି।
ସାଇବର୍ ଥାନାରେ ଏହିଭଳି ୧୦ରୁ ଅଧିକ ଅଭିଯୋଗ ହେଲାଣି। ଲୋଭନୀୟ ଗିଫ୍ଟ ଅଫର୍ ଦେଇ ସାଇବର୍ ଠକ ଏଭଳି ଠକେଇ କରୁଛନ୍ତି। ଦୁଇଦିନ ତଳେ ନୂଆପଲ୍ଲୀ ଅଞ୍ଚଳରେ ଅଶୋକ ସ୍ୱାଇଁ ବୋଲି ଜଣେ ବ୍ୟକ୍ତିଙ୍କ ଠିକଣାରେ ଏକ ଚିଠି ଆସିଥିଲା। ଏଥିରେ ଲଟେରୀ ମାଧ୍ୟମରେ କାର ବିଜେତା ହୋଇଥିବା ଲେଖାଯାଇଥିଲା। ଏପରିକି ତଳେ ଏକ ଫର୍ମ ରହିଥିବା ବେଳେ ଉପରେ କାର ଜିତିବା ନେଇ ଲେଖା ରହିବା ସହ କ୍ୟୁଆର୍ କୋଡ୍ ରହିଥିଲା। ଲୋଭରେ ପଡ଼ି ଅଶୋକ ଉକ୍ତ ଫର୍ମ ପୂରଣ କରିବା ସହ ଦିଆଯାଇଥିବା କ୍ୟୁଆର କୋଡକୁ ସ୍କାନ୍ କରିଥିଲେ। ସ୍କାନ୍ କରିବା ପରେ ତାଙ୍କ ଆକାଉଣ୍ଟରୁ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା କଟି ଯାଇଥିଲା। ସେହିପରି ମଞ୍ଚେଶ୍ୱର ରାକେଶ ବେହେରା ମଧ୍ୟ ସମାନ ପ୍ରକାଶ ଠକେଇର ଶିକାର ହୋଇଥିଲେ। ସାଇବର୍ ଠକ ତାଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ନେଇଥିଲେ। ପଟିଆର ବିନୋଦ ତ୍ରିପାଠୀଙ୍କ ଠାରୁ ମଧ୍ୟ ସମାନ ଶୈଳୀରେ ୩୦ ହଜାର ଟଙ୍କା ଠକି ନେଇଥିଲେ ସାଇବର୍ ଠକ। ଏଭଳି ଠକେଇରୁ ବର୍ତ୍ତିବାକୁ ହେଲେ ଘର ଠିକଣାରେ ଆସୁଥିବା ଅଜଣା ଲଟେରୀ ବିଜେତାକୁ ବିଶ୍ୱାସକୁ ନ ନେବାକୁ କୁହାଯାଇଛି।
[ad_2]