ଅପରାଧରାଜ୍ୟ

ଅନ୍ତଃରାଜ୍ୟ ବାଇକ୍ ଚୋରି ଗ୍ୟାଙ୍ଗ୍‌ର ୪ ଗିରଫ; ୧୦ ବାଇକ୍, ସ୍କୁଟର ଓ ୧୫ ମୋବାଇଲ୍ ଜବତ

IBN ଓଡିଶା(ବ୍ୟୁରୋ):-ଯାଜପୁର ,ରସୁଲପୁର : ଦିନକୁ ଦିନ ବଢି ଚାଲିଛି ଚୋରି ଆଉ ଡକାୟତି ର ରାହଜାନି।ହେଲେ ଅପରାଧୀ କେବେବି ଆଇନ ର ଆଖିରୁ ଖସି ନଥାଏ।ଦିନେ ନା ଦିନେ ତାହାର ଭଣ୍ଡାଫୋଡ ହୁଏ।ସେହିପରି କୁଆଖିଆ ପୁଲିସ ଗୋଟିଏ ଅନ୍ତଃରାଜ୍ୟ ବାଇକ୍ ଚୋରି ଗ୍ୟାଙ୍ଗ୍‌ର ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜେନାପୁର ଥାନା ଅଞ୍ଚଳର ମର୍ଜିତାପୁର ନୂଆସାହିର ରାମଚନ୍ଦ୍ର ବେହେରା ଓରଫ ଲିପୁନ(୨୨) ଓ ବଳଭଦ୍ରପୁରର ମଣ୍ଟୁ ସେନାପତି ଏବଂ ସେମାନଙ୍କଠାରୁ ଚୋରି ବାଇକ୍ କିଣିଥିବା ଜେନାପୁର ଥାନା ରାଇଛନ୍ଦା ଗ୍ରାମର ଛବି ଲେଙ୍କା (୩୨) ଓ ବାରକଣା ଗ୍ରାମର ଗୋବିନ୍ଦ ଚନ୍ଦ୍ର ସାହୁ (୩୩)। ସେମାନଙ୍କ ନିକଟରୁ ୧୦ଟି ବାଇକ୍ ଗୋଟିଏ ସ୍କୁଟର ସହିତ ବିଭିନ୍ନ କମ୍ପାନିର ୧୫ଟି ମୋବାଇଲ୍ ଫୋନ ଜବତ ହୋଇଛି। ଗତକାଲି କୁଆଖିଆ ବଜାରରେ ପାଣିକୋଇଲିର ଦଶରଥ ସାହା ବାଇକ୍ ରଖି ପରିବା କିଣୁଥିଲେ। ଏହି ସମୟରେ କେହି ତାଙ୍କର ବାଇକ୍ ଚୋରି କରି ନେଇଯାଇଥିଲା। ଦଶରଥ ଏ ସଂପର୍କରେ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ନମ୍ବର ୨୬୪/୨୧ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।ଅଭିଯୁକ୍ତମାନେ ବହୁଦିନ ହେବ ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି କରି ଜିଲ୍ଲା ଓ ଜିଲ୍ଲା ବାହାରେ ବିକ୍ରି କରୁଥିବା ପୁଲିସ ସୂଚନା ଦେଇଛି। ଗଞ୍ଜାମ ଜିଲ୍ଲାରେ କିଛି ବାଇକ୍ ବିକ୍ରି କରିଥିବା କଥା ଜଣାଯାଇଛି। ଲିପୁନ୍ ଓ ମଣ୍ଟୁ ନାମରେ କଳିଙ୍ଗନଗର ଓ ଟାଙ୍ଗି ଥାନାରେ ପୂର୍ବରୁ ମାମଲା ରହିଥିବା ପୁଲିସ ସୂତ୍ରରୁ ଜଣାଯାଇଛି। ବାଇକ୍ ସହିତ ସେମାନେ ରାତିରେ ରାସ୍ତା କଡ଼ରେ, ଢାବା ପାଖରେ ରଖାଯାଇଥିବା ଟ୍ରକ୍‌ଗୁଡ଼ିକରୁ ଡ୍ରାଇଭର ନଥିବାର ସୁଯୋଗ ନେଇ ମୋବାଇଲ୍ ଓ ଟଙ୍କାପଇସା ମଧ୍ୟ ଚୋରି କରିଥାନ୍ତି। ସେମାନଙ୍କଠାରୁ ବିଭିନ୍ନ କମ୍ପାନିର ୧୫ଟି ପୁରୁଣା ମୋବାଇଲ୍ ମଧ୍ୟ ଜବତ ହୋଇଛି ବୋଲି କୁଆଖିଆ ଥାନାରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଚିନ୍ମୟ ନାୟକ ସୂଚନା ଦେଇଛନ୍ତି। ଜବତ ବାଇକ୍‌ଗୁଡ଼ିକର କାଗଜପତ୍ର ଯା‌ଞ୍ଚ କରାଯାଇ ମାଲିକମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ଘଟଣାର ତଦନ୍ତ କରୁଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button