ରାଜ୍ୟ

ବାୟୋମାଇନିଂ ପାଇଁ ତନାଘନା: ବର୍ଷା ପାଇଁ ପଛେଇଛି, ଏନ୍‌ଜିଟିକୁ କି ଉତ୍ତର ଦେବେ?

ଭୁବନେଶ୍ବର: ବାୟୋମାଇନିଂ ପାଇଁ ତନାଘନା ଚାଲିଛି। ଧାର୍ଯ୍ୟ ସମୟରେ କିଭଳି ସରିବ ସେ ନେଇ ବିଏମ୍‌ସି ଠାରୁ ଠିକାସଂସ୍ଥା ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇଉଠିଛନ୍ତି। ଏହାକୁ ବିରୋଧ କରୁଥିବା ଦାରୁଠେଙ୍ଗବାସୀଙ୍କୁ ଦୀର୍ଘ ଦିନ ଧରି ଭଣ୍ଡେଇ ରଖିଥିବା ବିଏମ୍‌ସି ନିକଟ ଅତୀତରେ ଏହି ପଞ୍ଚାୟତକୁ ସଫେଇ ଗାଡ଼ି ପଠାଇଛି। ତା’ ସହିତ ଆନ୍ଦୋଳନ ବେ‌ଳେ ଯାହା ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଯୋଗାଇ ଦେବାକୁ ସମ୍ପୃକ୍ତ ବିଡିଓଙ୍କୁ ଏକ ଡିପିଆର ପ୍ରସ୍ତୁତ କରିବାକୁ କୁହାଯାଇଛି। ୨୦୨୬ ମସିହା ମାର୍ଚ୍ଚ ସୁଦ୍ଧା ଏଠାରୁ ସମସ୍ତ ଆବର୍ଜନା ହଟାଇବାକୁ ଚୁକ୍ତି ରହିଛି। ଅର୍ଥାତ୍‌ ଆଉ ବର୍ଷେ ସମୟ ଅଛି। ତେବେ ଅଦିନ ବର୍ଷା ପ୍ରାୟ ୪ ମାସ ବ୍ୟାଘାତ ସୃଷ୍ଟି କରିଥିବା ବେଳେ ଆଉ ଏକ ବଡ଼ କଥା ସାମ୍ନାକୁ ଆସିଛି। ବିଏମ୍‌ସି ହିସାବରେ ସେଠାରେ ୧୬ ଲକ୍ଷ ଟନ୍‌ ଆବର୍ଜନା ଜମା ହୋଇଥିବା ବେ‌‌ଳେ ବାସ୍ତବରେ ସେଠାରେ ୨୫ ଲକ୍ଷ ଟନ୍‌ ଆବର୍ଜନା ଗଦା ହୋଇଛି। ଏଣୁ ଧାର୍ଯ୍ୟ ଅବଧିରେ ସରିବ କି ନାହିଁ ପ୍ରଶ୍ନ ଉଠିଛି।

ବର୍ଷା ପାଇଁ ପଛେଇଛି
୧୬ ଲକ୍ଷ ଟନ୍‌ ପରିଚାଳନା ପାଇଁ ଚୁକ୍ତି, ଗଦା ହୋଇଛି ୨୫
ଏନ୍‌ଜିଟିକୁ କି ଉତ୍ତର ଦେବେ?

ଏନ୍‌ଜିଟି ଏହା ଉପରେ କଡ଼ା ନଜର ରଖିଥିବାରୁ ଧାର୍ଯ୍ୟ ସମୟରେ ନ ସରିଲେ ବିଏମ୍‌ସି ପୁଣି ଥରେ ଫସିବା ଥୟ ହୋଇଛି। ଦାରୁଠେଙ୍ଗ ପଞ୍ଚାୟତର ଭୁଆସୁଣିଠାରେ ବିଏମ୍‌ସି ପ୍ରସ୍ତୁତ କରିଥିବା ଡମ୍ପିଂୟାର୍ଡକୁ ପ୍ରଥମରୁ ବିରୋଧ ହୋଇ ଆସୁଥିଲା। କିନ୍ତୁ ଆବର୍ଜନା ବୋହୁଥିବା ଗାଡ଼ି ଦୁର୍ଘଟଣାରେ ଲଗାତାର ଦୁଇଜଣଙ୍କର ମୃତ୍ୟୁ ହେବା ପରେ ଦାରୁଠେଙ୍ଗବାସୀ ତାତି ଯାଇଥିଲେ। ୨୦୨୨ ମସିହାରେ ପ୍ରାୟ ୨୦ ଦିନ କାଳ ଏହି ଡମ୍ପିଂୟାର୍ଡରେ ଆବର୍ଜନା ପକାଇବାକୁ ସୁଯୋଗ ଦେଲେନାହିଁ। ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହେଲା। ଏଣେ ଟିଟିଏସ୍‌ ଭୁବନେଶ୍ବରର ସମସ୍ତ ଆବର୍ଜନା ସମ୍ଭାଳି ପାରୁନଥିଲା। ପରିସ୍ଥିତି ଭୟଙ୍କର ହେବା ପରେ ଦାରୁଠେଙ୍ଗ ପଞ୍ଚାୟତ ଓ ବିଏମ୍‌ସି ସହ ବୁଝାମଣା ବୈଠକ ବସିଲା। ପ୍ରତି ମାସରେ ଦାରୁଠେଙ୍ଗ ସରପଞ୍ଚ ଓ ବିଏମସି କମିସନରଙ୍କ ମଧ୍ୟରେ ପ୍ରକଳ୍ପର ଅଗ୍ରଗତି ନେଇ ସମନ୍ୱୟ ବୈଠକ ବସିବାକୁ ନିଷ୍ପତ୍ତି ହେଲା। ଏହି ଅଞ୍ଚଳ ବିଏମ୍‌ସିରେ ଯାଉନଥିଲେ ମଧ୍ୟ ବିଏମ୍‌ସି ଏଠାକୁ ମୌଳିକ ସୁବିଧା ଯୋଗାଇ ଦେବାପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ କମିସନରଙ୍କ ସହ ନିୟମିତ ବୈଠକ କଥା ଛାଡ଼, ସେହି ବୈଠକ ପରେ ଆଉ ଗୋଟିଏ ହେଲେ ବସି ନଥିଲା। ଏଭଳି ଦୁଇ ବର୍ଷ ବିତି ଯାଇଥିଲା। ଯେତେବେଳେ ପୁଣି ଥରେ ଏହି ବାୟୋମାଇନିଂ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହେଲା ସେତେବେଳେ ବିଏମ୍‌ସି ମୁଣ୍ଡ ବିନ୍ଧିଲା। ଚଳିତ ମାସ‌ରେ ଦାରୁଠେଙ୍ଗକୁ ବିଏମ୍‌ସି ଏକ ସଫେଇ ଗାଡ଼ି ପଠାଇଛି।

ବାକି ନଳା, ରାସ୍ତା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାପାଇଁ ସମ୍ପୃକ୍ତ ବିଡିଓ ଏକ ଡିପିଆର ପ୍ରସ୍ତୁତ କରିବାକୁ କୁହାଯାଇଛି। ଅନ୍ୟପଟେ ଗତ ବର୍ଷ ଅଦିନରେ ମାସେ କାଳ ବର୍ଷା ହୋଇଛି। ଫଳରେ ଏହି କାମ ପଛେଇ ଯାଇଛି। ଏବେ ବି ଆବର୍ଜନାରେ ଆର୍ଦ୍ରତା ରହୁଥିବାରୁ ପରିଚାଳନା ସମ୍ଭବ ହେଉ ନାହିଁ। ଏଣୁ ଧାର୍ଯ୍ୟ ସମୟରେ ଶେଷ ହେବା ନେଇ ପ୍ରଶ୍ନ ଉଠିଛି। ସେହିଭଳି ଏଠାରେ ପଡ଼ିଥିବା ୧୬ ଲକ୍ଷ ମେଟ୍ରିକ୍‌ ଟନ୍‌ ଆବର୍ଜନା ପରିଚାଳନା କରିବାକୁ ଗତ ୨୦୧୯ ମସିହାରେ ଚୁକ୍ତି ହୋଇଥିଲା। କିନ୍ତୁ ଏହା ପରେ ୨୦୨୩ ମସିହା ଅର୍ଥାତ୍‌ ୪ ବର୍ଷ ପର୍ଯ୍ୟନ୍ତ ଆବର୍ଜନା ପଡ଼ିଚାଲିଥିଲା। ପଡ଼ିପଡ଼ି ଏହି ଆବର୍ଜନାର ପରିମାଣ ୨୫ ଲକ୍ଷ ମେଟ୍ରିକ୍‌ ଟନ୍‌ରେ ପହଞ୍ଚିଯାଇଛି। ଓର୍‌ସାକ୍‌ କରିଥିବା ଡ୍ରୋନ୍‌ ସର୍ଭେରେ ଏଭଳି ତଥ୍ୟ ଆସିବା ପରେ ଧାର୍ଯ୍ୟ ଅବଧିରେ ବାୟୋମାଇନିଂ ଶେଷ ହେବା ନେଇ ପ୍ରଶ୍ନ ଉଠିଛି। ତେବେ ଏହାର ରିପୋର୍ଟ ବିଏମ୍‌ସି ପାଖରେ ପହଞ୍ଚିଛି। ଏହା ଉପରେ ବିଚାର କରାଯାଉଛି। ଧାର୍ଯ୍ୟ ଅବଧିରେ ଶେଷ କରିବା ପାଇଁ ଅଧିକ ସରଞ୍ଜାମ ଓ ଅଧିକ ମାନବସମ୍ବଳ ଜରିଆରେ କାମ କରିବାକୁ ବ୍ୟବସ୍ଥା କରାଯିବ ବୋଲି ବିଏମ୍‌ସି କହିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button