ରାଜ୍ୟ

ଅବହେଳିତ ଐତିହ୍ୟ, ଅସନ୍ତୁଷ୍ଟ ପର୍ଯ୍ୟଟକ: ୨ ମଠ ଉଭାନ, ଅନ୍ୟ ଏକ ଭୁଶୁଡ଼ିବା ସ୍ଥିତିରେ

ପୁରୁଣା ଭୁବନେଶ୍ୱର: ମନ୍ଦିର ମାଳିନୀ ଭୁବନେଶ୍ୱରରେ ଐତିହ୍ୟ ଅବହେଳିତ ହୋଇ ପଡ଼ିରହିଛି। ଯେଉଁ କୀର୍ତ୍ତିରାଜିକୁ ଦେଖିବା ପାଇଁ ହଜାର ହଜାର ପର୍ଯ୍ୟଟକ ଆକର୍ଷିତ ହୋଇପଡ଼ନ୍ତି, ରକ୍ଷଣାବେକ୍ଷଣ ଅଭାବରୁ ସେ ସବୁ ଉଜୁଡ଼ି ଯିବାକୁ ବସିଛି। କେଉଁଠି ଜବରଦଖଲ ହୋଇଛି ତ’ କେଉଁଠି ଆବର୍ଜନାରେ ପରିପୂର୍ଣ୍ଣ ହୋଇପଡ଼ିଛି। ଆଉ କିଛି ଦୃଷ୍ଟି ଆଢ଼ୁଆଳରେ ରହିଯାଇଥିବାରୁ ପର୍ଯ୍ୟଟକ ସେଠାରେ ପହଞ୍ଚି ପାରୁନାହାନ୍ତି। ମଠ ସଂସ୍କୃତିର ପ୍ରଚାର କରୁଥିବା ଏକ ପୁରାତନ ମଠ ଉଭାନ୍‌ ହୋଇଯାଇଥିବା ବେଳେ ଗୋଟିଏ ଭୁଶୁଡ଼ିବା ସ୍ଥିତିରେ ରହିଛି।

୨୦୨୦, ସେପ୍ଟେମ୍ବର ୨୯ରେ ଏକାମ୍ର କ୍ଷେତ୍ରର ଶିବ ତୀର୍ଥ, ଶଙ୍କରାନନ୍ଦ ଓ ଗୋପାଳ ତୀର୍ଥ ମଠ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ଅଧୀନକୁ ଆସିଥିଲା। ବିଏମ୍‌ସି ପକ୍ଷରୁ କୁହାଯାଇଥିଲା ଯେ, ମଠର ପରିଚାଳନା, ଆର୍ଥିକ ପରିଚାଳନା ଓ ବିଭିନ୍ନ ସେବା ମନ୍ଦିର ପ୍ରଶାସନ ବୁଝାସୁଝା କରିବ। ମଠ ସବୁ ଗୋଟିଏ ପ୍ରଶାସନ ଅଧୀନରେ ରହିବା ଦ୍ବାରା ଏକାମ୍ର କ୍ଷେତ୍ର ବିକାଶ ସମ୍ଭବ ହେବ। ହେଲେ ଏଭଳି ଘୋଷଣାର ଦିନ କେଇଟା ପରେ ଶିବ ତୀର୍ଥ ଓ ଶଙ୍କରାନନ୍ଦ ମଠକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଗଲା। ଗୋପାଳତୀର୍ଥ ମଠ ଝୁଲନ୍ତା ଅବସ୍ଥାରେ ରହିଲା। ରଥଦାଣ୍ଡ ପଥୁରିଆବଡ଼ୁସାହି ନିକଟ ରାସ୍ତାକଡ଼ରେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଗୋପାଳତୀର୍ଥ ମଠ। କେତେବେଳେ ଏହା ଭୁଶୁଡ଼ିପଡ଼ିବ ତାହା କହି ହେବ ନାହିଁ। ଶୁକଶାରି ମନ୍ଦିରକୁ ନେଇ ସମସ୍ତେ ବାହାବା ନେବା ପରେ ଦେଢ଼ ବର୍ଷ ହେଲା ଏହାର ଖନନ ବନ୍ଦ ହୋଇଯାଇଛି। ବାହାରିଥିବା ମୂର୍ତି ସ୍ଥଳକୁ ଜରି ଘୋଡ଼ାଇ କାମ ସାରିଦେଇଛି ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ(ଏଏସ୍ଆଇ)। ସେଠାରେ ମହିଷା ମର୍ଦ୍ଦିନୀ ମୂର୍ତ୍ତି ଓ ବ୍ରହ୍ମଲିପି, ମନ୍ଦିର ତିନି କଡ଼ରେ ପୋତି ହୋଇ ରହିଥିବା ଶିବ ମନ୍ଦିରର ଚଟାଣ ଓ ମନ୍ଦିରର ଭଗ୍ନ ଅଂଶ ଉଦ୍ଧାର ‌ହୋଇଥିଲା। ଶ୍ରଦ୍ଧାଳୁ ଓ ଗବେଷକ ଆଉ କଣ ବାହାରିବ ସେଥିପାଇଁ ଉତ୍ସୁକତାର ସହ ଚାହିଁଛନ୍ତି। କିନ୍ତୁ ବର୍ଷା ବାହାନା କରି ଏଏସ୍‌ଆଇ ଆଉ ଖନନ କରୁନାହିଁ। ପ୍ରଚାରପ୍ରସାର ଯୋଗୁ ବହୁ ପର୍ଯ୍ୟଟକ ଏହାକୁ ଦେଖିବାକୁ ଆସି ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

୧୦ମ ଶତାବ୍ଦୀର ଶୈବପୀଠ ଶ୍ରୀବେଲେଶ୍ୱର ମନ୍ଦିର ବିନ୍ଦୁସାଗରର ପୂର୍ବ-ଦକ୍ଷୀଣ କୂଳରେ ରହିଛି। ଏହି ମନ୍ଦିରର ଅର୍ଦ୍ଧାଧିକ ଅଂଶ ନଷ୍ଟ ହୋଇଯାଇଛି। ଗୋଟିଏ ପାର୍ଶ୍ବରେ ଉପରେ ଜଂଘ ପର୍ଯ୍ୟନ୍ତ ପଥର ଥିବା ବେଳେ ଦଧିନଉତି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବର୍ଷା ହେଲେ ପାଣି ଠାକୁରଙ୍କ ଉପରେ ପଡ଼ୁଛି। ସେହିଭଳି ଦେବୀ ପାଦହରା ପୁଷ୍କରିଣୀ କଡ଼ରେ ରହିଥିବା ୧୦୮ଶିବଲିଙ୍ଗମନ୍ଦିରରୁ ୬୦ଟି ମନ୍ଦିରର ଶିବଲିଙ୍ଗ ନଥିବା ବେଳେ ୧୫ଟି ଭଗ୍ନ ଅବସ୍ଥାରେ ପଡ଼ିରହିଛି। ଏହି ମନ୍ଦିରର ପୂର୍ଣ୍ଣ ଉଦ୍ଧାର କାର୍ଯ୍ୟ ଏଏସ୍‌ଆଇ କରୁଥିଲେ ମଧ୍ୟ ୬ବର୍ଷ ହେଲା କାମ ବନ୍ଦ ରହିଛି। ଐତିହାସିକ ଶିଶୁପାଳଗଡ଼ ଦକ୍ଷିଣ- ପଶ୍ଚିମ ସଂରକ୍ଷଣ ସ୍ଥାନରେ ଏବେ ରାସ୍ତା ତିଆରି ଚାଲିଛି। ପୂର୍ବ ଦିଗରେ ନିର୍ମାଣ ଚାଲିଛି ବେଆଇନ ଘର। କୋଠା ନିର୍ମାଣ ବେଳେ ଡ୍ରୋଜର ଲଗାଇ ଐତିହ୍ୟ ତାଡ଼ି ଦିଆଯାଉଛି। କେବଳ ଅଳ୍ପ କିଛି ସ୍ଥାନ ତାର ଜାଲି ବାନ୍ଧି କାମ ସାରି ଦେଇଛି ଏଏସ୍‌ଆଇ। ନିୟମ ଅନୁଯାୟୀ କେନ୍ଦ୍ରୀୟ ସଂରକ୍ଷିତ ସ୍ଥଳ ବା ସ୍ମାରକ ସୀମାଠାରୁ ୧୦୦ମିଟର ଓ ଏହାଠାରୁ ଚତୁଃପାର୍ଶ୍ୱ ସର୍ବନିମ୍ନ ୨୦୦ମିଟର ଅଞ୍ଚଳରେ ଖନନ ଓ ନୂତନ ନିର୍ମାଣ କରାଯାଇ ପାରିବ ନାହିଁ। ଐତିହାସିକ ଶିଶୁପାଳଗଡ଼ରେ କେହି କାହା କଥା ଶୁଣିବାକୁ ନାହାନ୍ତି କି କେହି ଜଗିବାକୁ ନାହାନ୍ତି। ଜବରଦଖଲ ଏଭଳି ଚାଲିଛି ଯେ, ଏହି ଐତିହାସିକ ସ୍ମାରକୀ ଲୋପ ପାଇଯିବାର ଆଶଙ୍କା ସୃଷ୍ଟି ହୋଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button