ରାଜ୍ୟ

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍‌ରେ ଯିବେ ଭକ୍ତ : ରହିବନି ଖରା, ବର୍ଷାର ଭୟ – Ibnodisha

[ad_1]

ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହେବେ, ତାହା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉ ଆସୁଛନ୍ତି। ଏଥିପାଇଁ ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ କରାଯାଉଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଭକ୍ତଙ୍କ ଲାଗି ଅତ୍ୟାଧୁନିକ ସେବା, ସୁବିଧା ଉପଲବ୍ଧ ହେବ। ସେହିପରି ଶ୍ରଦ୍ଧାଳୁଙ୍କ ସ୍ୱଚ୍ଛନ୍ଦ ଦର୍ଶନ ଲାଗି ଆଉ ଏକ ପଦକ୍ଷେପ ନେଉଛନ୍ତି ସରକାର। ଏଣିକି ମହପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଆଉ ଖରା କିମ୍ବା ବର୍ଷାକୁ ଭୟ ରହିବ ନାହିଁ। ସେମାନେ ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍‌ରେ ଯାଇ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବେ। ଖୁବ୍‌‌ଶୀଘ୍ର ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି।ଶ୍ରୀମନ୍ଦିରକୁ ଭକ୍ତଙ୍କ ସଂଖ୍ୟା ଢେର୍‌‌ ବଢ଼ିଯାଇଛି। ଏବେ ସାଧାରଣ ଦିନରେ ଦୈନିକ ୭୦/୮୦ ହଜାର ଭକ୍ତ ଆସୁଛନ୍ତି। ଛୁଟି ଦିନରେ ସଂଖ୍ୟା ଲକ୍ଷେ ଟପୁଥିବା ବେଳେ ସ୍ୱତନ୍ତ୍ର ପର୍ବପର୍ବାଣିରେ ସ୍ଥିତି ଅସମ୍ଭାଳ ହୋଇପଡ଼ୁଛି। ତେଣୁ ଭକ୍ତମାନେ ଯେପରି ବାଧାମୁକ୍ତ ଦର୍ଶନ କରିପାରିବେ ଏବଂ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିଲାଗି ତିଆରି ହେବ ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍‌। ବଡ଼ଦାଣ୍ଡର ମରୀଚିକୋଟ ଛକଠାରୁ ଟନେଲ ସଦୃଶ ଏହି ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍‌ ଦେଇ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ଏହି ବ୍ୟାରିକେଡ୍‌ ଭିତରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା ରହିବ। ରଥଯାତ୍ରା ସମୟରେ କିନ୍ତୁ ଏହି ବ୍ୟାରିକେଡ୍‌କୁ ହଟାଯିବ। ଏହି ଅତ୍ୟାଧୁନିକ ବ୍ୟବସ୍ଥା ଲାଗି ସିଂହଦ୍ୱାରଠାରୁ ମରୀଚିକୋଟ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟପାର୍ଶ୍ବରୁ ଉଠାଦୋକାନ ହଟାଯିବ। ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିବାକୁ ପରାମର୍ଶ ଦିଆଯାଇଛି। ଏହାକୁ ସେମାନେ ସ୍ୱାଗତ କରିଥିବା ବେଳେ ଉପଯୁକ୍ତ ଥଇଥାନ ପାଇଁ ଅନୁରୋଧ କରିଛନ୍ତି।ଏ ସମ୍ପର୍କରେ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ଅଧିକାଂଶ ଦିନ ମରୀଚିକୋଟ ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଲାଇନ୍‌ ଲାଗୁଛି। ଖରା, ବର୍ଷା ହେଲେ ଭକ୍ତମାନେ ହଇରାଣ ହେଉଛନ୍ତି। ତେଣୁ ଏହି ସମସ୍ୟା ଦୂର କରିବା ଲାଗି ଭକ୍ତଙ୍କ ସୁବିଧା ନିମନ୍ତେ ଏମିତି ଏକ ସେଡ୍‌ ବା କରିଡର୍‌ ମରୀଚିକୋଟ ଛକଠାରୁ କରିବା ପାଇଁ ବ୍ୟବସ୍ଥା ହେଉଛି। ଜନସାଧାରଣଙ୍କଠାରୁ ମିଳିଥିବା ମତାମତ ଆଧାରରେ ସରକାର ଏହିଭଳି ବ୍ୟବସ୍ଥା କରିବାକୁ ଯାଉଛନ୍ତି। ଏ ସଂପର୍କରେ ଉଠା ବ୍ୟବସାୟୀଙ୍କ ସହ ମଧ୍ୟ ଆଲୋଚନା ହେଉଛି। ଖୁବ୍‌‌ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ଉପଜିଲ୍ଲାପାଳ ଶ୍ରୀ ସାହୁ କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button