ପ୍ରଥମ ମହିଳା ଟି-୨୦; ଇଂଲଣ୍ଡଠୁ ୩୮ ରନ୍ରେ ହାରିଲା ଭାରତ – Ibnodisha

[ad_1]
ମୁମ୍ବାଇ: ଇଂଲଣ୍ଡ ମହିଳା କ୍ରିକେଟ୍ ଟିମ୍ ବିଜୟରୁ ଭାରତ ଗସ୍ତ ଆରମ୍ଭ କରିଛି । ଭ୍ରମଣକାରୀ ଟିମ୍ ବୁଧବାର ରାତିରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍ରେ ଭାରତୀୟ ଟିମ୍କୁ ୩୮ ରନ୍ରେ ପରାଜିତ କରିଛି । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ୨୦ ଓଭର୍ରେ ୬ ୱିକେଟ୍ ବିନିମୟରେ ୧୯୭ ରନ୍ କରିଥିଲା । ଜବାବରେ ଭାରତୀୟ ମହିଳା ଟିମ୍ ୧୫୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ତିନି ମ୍ୟାଚ୍ର ବିଶିଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ରେ କ୍ୟାପ୍ଟେନ୍ ହରମନ୍ପ୍ରୀତ୍ କୌର୍ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ।
ତାଙ୍କର ଏହି ନିଷ୍ପତ୍ତିକୁ ଫାଷ୍ଟ୍ ବୋଲର୍ ରେଣୁକା ସିଂହ ପ୍ରଥମ ଓଭର୍ରେ ଦୁଇଟି ୱିକେଟ୍ ନେଇ ଠିକ୍ ସାବ୍ୟସ୍ତ କରିଥିଲେ । ସୋଫିଆ ଡଙ୍କଲେ (୧) ଏବଂ ଏଲିସ୍ କ୍ୟାପ୍ସି (୦) ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ । ତେବେ ଏହାପରେ ଡେନିଲୀ ୟାଟ୍ ଓ ନତାଲୀ ସିଭର୍ ବ୍ରଣ୍ଟ୍ ୮୬ ବଲ୍ରେ ୧୩୮ ରନ୍ ଧୂଆଁଧାର ଭାଗୀଦାରୀର କରି ଇଂଲଣ୍ଡକୁ ଭଲ ମୋମେଣ୍ଟମ୍ ଦେଇଥିଲେ । ଡେନିଲୀ ୪୭ ବଲ୍ରେ ୭୫ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ପରେ ନତାଲୀ ଇନିଂସ୍ ସମ୍ଭାଳିବା ସହିତ ୬୩ ବଲ୍ରେ ୭୭ ରନ୍ କରି ଆଉଟ୍ ହୋଇଥିଲେ । ୱିକେଟ୍କିପର୍ ଏମି ଜୋନ୍ସ ୯ ବଲ୍ରେ ୨୩ ରନ୍ର ଆକର୍ଷଣୀୟ ଇନିଂସ୍ ଖେଳି ସ୍କୋର୍ ୨୦୦ ରନ୍ ନିକଟବର୍ତ୍ତୀ କରାଇଥିଲେ । ଭାରତ ପକ୍ଷରୁ ରେଣୁକା ସିଂହ ୩, ଶ୍ରେୟଙ୍କା ପାଟିଲ୍ ୨ ଏବଂ ସାଇକା ଇଶାକ୍ଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା ।
୧୯୮ ରନ୍ର ବିରାଟ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଓପ୍ନର୍ ସ୍ମୃତି ମନ୍ଧାନା (୪) ଶୀଘ୍ର ପ୍ୟାଭିଲିୟନ୍ ଫେରିଥିଲେ । ଅନ୍ୟପକ୍ଷରେ ଶେଫାଳୀ ବର୍ମା ଗୋଟିଏ ପଟେ ରନ୍ ସଂଗ୍ରହ କରିଚାଲଥିଲେ । ସେ କ୍ୟାପ୍ଟେନ୍ ହରମନ୍ପ୍ରୀତ୍ଙ୍କ ସହ ୪୧ ରନ୍ର ଭାଗୀଦାର କରିଥିଲେ । ହରମନ୍ପ୍ରୀତ୍ ୨୧ ବଲ୍ରେ ୨୬ ରନ୍ କରିଥିôବା ବେଳେ ସୋଫି ଏକ୍ଲେଷ୍ଟୋନ୍ଙ୍କ ଶିକାର ହୋଇଥିଲେ । ଏହାପରେ ଶୋଫଳୀ ଋଚା ଘୋଷଙ୍କ ସହ ୪୦ ରନ୍ ଯୋଡ଼ିଥିଲେ । ମାତ୍ର ଋଚା (୨୧) ମଧ୍ୟ ବଡ଼ ଇନିଂସ୍ ଖେଳିପାରି ନଥିଲେ । ୧୨୨ ରନ୍ରେ ୪ ୱିକେଟ୍ ହରାଇବା ପରେ ନିୟମିତ ଅନ୍ତରାଳରେ ଭାରତୀୟ ୱିକେଟ୍ର ପତନ ଘଟିଥିଲା । ଶେଫାଳୀ ୪୨ ବଲ୍ରୁ ୫୨ ରନ୍ କରି ସୋଫିଙ୍କ ଦ୍ୱାରା ଆଉଟ୍ ହୋଇଥିଲେ ।
୧୫୧ ରନ୍ର ସ୍କୋର୍ ବେଳେ କନିକା ଆହୁଜା (୧୫) ମଧ୍ୟ ବିଦାୟ ନେଇଥିଲେ । ଫଳରେ ନିର୍ଦ୍ଧାରିତ ୨୦ ଓଭର୍ରେ ଭାରତୀୟ ଟିମ୍ ୬ ୱିକେଟ୍ ବିନିମୟରେ ୧୫୯ ରନ୍ କରିବାକୁ ସମର୍ଥ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ସୋଫି ଏକ୍ଲେଷ୍ଟୋନ୍ ତିନିଟି ଏବଂ ସାରା ଗ୍ଲେନ୍, ଫ୍ରେୟା କ୍ୟାମ୍ପ୍ ଓ ନତାଲୀ ସିଭର୍ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ । ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ନତାଲୀ ସିଭର୍ ବ୍ରଣ୍ଟ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଥିଲା ।
[ad_2]