ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍ରେ ହରାଇଲା ରାଜସ୍ଥାନ ରୟାଲ୍ସ – Ibnodisha

[ad_1]
ଜୟପୁର: ସ୍ଥାନୀୟ ସୱାଇ ମାନସିଂ ଷ୍ଟାଡିୟମ୍ରେ ଗୁରୁବାର ଖେଳାଯାଇଥିବା ଚଳିତ ଆଇପିଏଲ୍ ସିଜନର୍ ନବମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ୧୨ ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଦେଇଛି । ଏହା ଚଳିତ ସିଜନ୍ରେ ରାଜସ୍ଥାନର ଦ୍ୱିତୀୟ ବିଜୟ ହୋଇଥିବା ବେଳେ ରିଷଭ ପନ୍ତ୍ଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ ଦ୍ୱିତୀୟ ପରାଜୟ ବରଣ କରିଛି । ବ୍ୟାଟିଂ ଆମନ୍ତ୍ରଣ ପାଇ ପ୍ରଥମେ ରାଜସ୍ଥାନ ୫ ୱିକେଟ୍ ବିନିମୟରେ ୧୮୫ ରନ୍ କରିଥିଲା । ଜବାବରେ ଦିଲ୍ଲୀ ୫ ୱିକେଟ୍ ହରାଇ ୧୭୩ ରନ୍ କରିବାକୁ ସମର୍ଥ ହୋଇଥିଲା । ବିସ୍ଫୋରକ ୮୪ ରନ୍ର ଇନିଂସ୍ ପାଇଁ ରିୟାନ୍ ପରାଗଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି ।
୧୮୬ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀକୁ ଚତୁର୍ଥ ଓଭର୍ରେ ନାନ୍ଦ୍ରେ ବର୍ଗର ଲଗାତାର ଦୁଇଟି ଝଟ୍କା ଦେଇଥିଲେ । ମିଚେଲ୍ ମାର୍ଶ (୨୩)ଙ୍କୁ ବୋଲ୍ଡ ଆଉଟ୍ କରିବା ପରେ ଖାତା ଖୋଲିବା ପୂର୍ବରୁ ରିକି ଭୁଇଙ୍କୁ ସାମ୍ସନ୍ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରାଇଥିଲେ । ତେବେ ଓପ୍ନର୍ ଡେଭିଡ୍ ୱାର୍ଣ୍ଣର୍ ଇନିଂସ୍ ସମ୍ଭାଳି କ୍ୟାପ୍ଟେନ୍ ରିଭେ ପନ୍ତ୍ଙ୍କ ସହ ୬୭ ରନ୍ର ଭାଗୀଦାରି କରିଥିଲେ । ତେବେ ଆଭେସ୍ ଖାନ୍ ତାଙ୍କୁ ସନ୍ଦୀପ୍ ଶର୍ମାଙ୍କ ହାତରେ କ୍ୟାଚ୍ କରାଇ ଏହି ଯୋଡ଼ି ଭାଙ୍ଗିବା ସହ ରନ୍ ଗତିରେ ବ୍ରେକ୍ ଲଗାଇଥିଲେ । ୱାର୍ଣ୍ଣର୍ ୩୪ ବଲ୍ରୁ ୫ ଚୌକା ଓ ୪ ଛକା ସହାୟତାରେ ୪୫ ରନ୍ କରିଥିଲେ । ୱାର୍ଣ୍ଣର୍ଙ୍କ ଆଉଟ୍ ପରେ ପନ୍ତ୍ ମଧ୍ୟ ବେଶୀ ସମୟ ତିଷ୍ଠିପାରି ନଥିଲେ । ସେ ୨୮ ରନ୍ କରିଥିବା ବେଳେ ୟଜୁବେନ୍ଦ୍ର ଚହଲ ତାଙ୍କୁ ୱିକେଟ୍ ପଛରେ କ୍ୟାଚ୍ କରାଇଥିଲେ । ପନ୍ତ୍ଙ୍କ ୨୬ ବଲ୍ର ଇନିଂସ୍ରେ ଦୁଇଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ଏହାପରେ ଅଭିଷେକ ପୋରେଲ୍ (୯)ଙ୍କୁ ଆଉଟ୍ କରି ଚହଲ୍ ଦିଲ୍ଲୀର ଅଡ଼ୁଆ ଆହୁରି ବଢ଼ାଇ ଦେଇଥିଲେ । ଷଷ୍ଠ ୱିକେଟ୍ ପାଇଁ ତିଷ୍ଟାନ୍ ଷ୍ଟବ୍ସ (୪୪³) ଓ ଅକ୍ଷର ପଟେଲ୍ (୧୫³)ଙ୍କ ମଧ୍ୟରେ ୬୮ ରନ୍ର ଭାଗୀଦାରି ହୋଇଥିଲେ ମଧ୍ୟ ଉଭୟ ଅନ୍ତିମ ଓଭର୍ରେ ବିଜୟ ପାଇଁ ଆବଶ୍ୟକ ୧୭ ରନ୍ କରିପାରି ନଥିଲେ । ଫଳରେ ଦିଲ୍ଲୀ ୫ ୱିକେଟ୍ ହରାଇ ୧୭୩ ରନ୍ ମଧ୍ୟରେ ସୀମିତ ହୋଇଯାଇଥିଲା ।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସକୁ ଦ୍ୱିତୀୟ ଓଭର୍ରେ ପ୍ରଥମ ଝଟ୍କା ଦେଇଥିଲେ ମୁକେଶ କୁମାର । ପଞ୍ଚମ ବଲ୍ରେ ସେ ଓପ୍ନର୍ ଯଶସ୍ୱୀ ଜୟସ୍ୱାଲ୍ଙ୍କୁ ବୋଲ୍ଡ କରିଥିଲେ । ଏହାପରେ କ୍ୟାପ୍ଟେନ୍ ସଞ୍ଜୁ ସାମ୍ସନ୍ ଚତୁର୍ଥ ଓଭର୍ରେ ମୁକେଶଙ୍କ ବଲ୍ରେ ୩ଟି ଚୌକା ସହ ମୋଟ ୧୪ ରନ୍ ଉଠାଇଥିଲେ । ମାତ୍ର ପାୱାର୍ ପ୍ଲେ’ରେ ଟିମ୍କୁ ଦ୍ୱିତୀୟ ଝଟ୍କା ଦେଇଥିଲେ ଖଲିଲ୍ ଅହମଦ୍ । ସେ ସାମସନ୍ (୧୫)ଙ୍କୁ ୱିକେଟ୍ ପଛରେ ରିଷଭ ପନ୍ତ୍ଙ୍କ ହାତରେ କ୍ୟାଚ୍ କରାଇଥିଲେ । ଅଷ୍ଟମ ଓଭର୍ରେ ଜୋଶ୍ ବଟ୍ଲର୍ (୧୧)ଙ୍କୁ କୁଲଦୀପ୍ ଯାଦବ ଏଲ୍ବିଡବ୍ଲ୍ୟୁ ଆଉଟ୍ କରିଥିଲେ । ରାଜସ୍ଥାନ ୩୬ ରନ୍ରେ ତିନିଟି ୱିକେଟ୍ ହରାଇବା ପରେ ରିୟାନ୍ ପରାଗ ଇନିଂସ୍ ସମ୍ଭାଳି ଆର୍ ଅଶ୍ୱିନ୍ଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ ୫୪ ରନ୍ର ଅର୍ଦ୍ଧଶତକୀୟ ଭାଗୀଦାରି କରିଥିଲେ । ତେବେ ଅଶ୍ୱିନ (୨୯)ଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍ ଏହି ଯୋଡ଼ି ଭାଙ୍ଗିଥିଲେ ।
ଏହାପରେ ଧ୍ରୁବ ଜୁରେଲ୍ଙ୍କ ସହ ରିୟାନ୍ ପରାଗ ୫୨ ରନ୍ ଏବଂ ଶିମ୍ରୋନ୍ ହେଟ୍ମେୟର୍ଙ୍କ ସହ ଅବିଭାଜିତ ୪୩ ରନ୍ର ଭାଗୀଦାରି କରିଥିଲେ । ଜୁରେଲ୍ ୧୨ ବଲ୍ରେ ୨୦ ରନ୍ କରି ଆଉଟ୍ ହୋଇଥିଲେ । ୧୬ଶ ଓଭର୍ର ଅନ୍ତିମ ବଲ୍ରେ ଛକା ମାରି ରିୟାନ୍ ଅର୍ଦ୍ଧଶତକ ପୂରଣ କରିଥିଲେ । ଅନ୍ତିମ ଓଭର୍ରେ ସେ ଲଗାତାର ୫ ବାଉଣ୍ଡାରୀ ମାରିଥିଲେ । ଏହା ମଧ୍ୟରେ ଦୁଇ ଛକା ଓ ତିନି ଚୌକା ସାମିଲ । ଫଳରେ ମନ୍ଥର ଆରମ୍ଭ ସହିତ ଟିମ୍ ୧୮୫ ରନ୍ କରିବାରେ ସଫଳ ହୋଇଥିଲା । ରିୟାନ୍ ୪୫ ବଲ୍ରୁ ୭ ଚୌକା ଓ ୬ ଛକା ସହାୟତାରେ ୮୪ ରନ୍ କରି ଅପରାଜିତ ରହିଥିଲେ । ହେଟ୍ମେୟର ୧୪ ରନ୍ କରି ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରୁଥିଲେ ।
[ad_2]