ରାଜ୍ୟ

ନାଟକ ଉତ୍ସବର ଚତୁର୍ଥ ସନ୍ଧ୍ୟା; ସ୍ୱାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀ ଜୀବନାଦର୍ଶ ଆଧାରିତ ‘ରମାଦେବୀ’ ମଞ୍ଚସ୍ଥ – Ibnodisha

[ad_1]

ଭୁବନେଶ୍ୱର:  ଦେଶର ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ଉତ୍ସର୍ଗ କରିଥିବା ମହିଳା ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ରମାଦେବୀ ହେଉଛନ୍ତି ଅନ୍ୟତମ । ରାଜ୍ୟର ପ୍ରଥମ ମହିଳା ସ୍ୱାଧୀନତା ସଂଗ୍ରାମୀ ଭାବେ ମହାତ୍ମାଗାନ୍ଧୀଙ୍କ ଆହ୍ୱାନରେ ସେ ଲବଣ ସତ୍ୟାଗ୍ରହ, ଖଦି ଆନ୍ଦୋଳନ, ବିନୋବା ଭାବେଙ୍କ ଭୂଦାନ ଓ ଗ୍ରାମ ଦାନ ଆନ୍ଦୋଳନରେ ସାମିଲ ହୋଇ ଅନେକବାର କାରାବରଣ କରିଥିଲେ ସୁଦ୍ଧା କେବେ ହାର ମାନି ନଥିଲେ । ଖାଲି ପାଦରେ ଗାଁ ଗାଁ ବୁଲି ମହିଳାମାନଙ୍କ ମଧ୍ୟରେ ଜାତୀୟତା ପ୍ରୀତି ଜାଗ୍ରତ କରିଥିଲେ । ତାଙ୍କର ବ୍ୟକ୍ତିତ୍ୱ ଓ ଓଜସ୍ୱିନୀ ଭାଷଣରେ ମନ୍ତ୍ରମୁଗ୍ଧ ହୋଇ ହଜାର ହଜାର ନାରୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ଜମିଦାର ପରିବାରରୁ ଆସି ମଧ୍ୟ ଭୋଗ ଓ ସୁଖ ତାଙ୍କ ଜୀବନ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା । ଏପରିକି ଅସହଯୋଗ ଆନ୍ଦୋଳନରେ ରାଜ୍ୟର ଏକମାତ୍ର ମହିଳା ନେତ୍ରୀ ଭାବେ ସୃଷ୍ଟି କରିଥିଲେ ଉଦାହରଣ । ତାଙ୍କର ଜୀବନୀ ଆଧାରିତ ଏହି ନାଟକର କଥାବସ୍ତୁ ମାଧ୍ୟମରେ ତାଙ୍କ ପ୍ରତି ଜ୍ଞାପନ ହୋଇଛି ଶ୍ରଦ୍ଧାଞ୍ଜଳୀ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଓଡ଼ିଶାର ପ୍ରବାଦ ପୁରୁଷ ଓ ସମାଜ ସଂସ୍କାରକ ଜୀବନୀ ଉପରେ ଆଧାରିତ ନାଟକ ଉତ୍ସବର ତୃତୀୟ ସଂସ୍କରଣ ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଆୟୋଜିତ ହେଉଛି । ଆଜିର ଚତୁର୍ଥ ସନ୍ଧ୍ୟାରେ ଡ. ନାରାୟଣ ସାହୁଙ୍କ ରଚିତ ଓ ସୁବାସ ଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ନିର୍ଦ୍ଦେଶିତ ବେଲପାହାଡ଼, ଝାରସୁଗୁଡ଼ାର ମିରର ଥିଏଟର କଳାକାରମାନଙ୍କ ଦ୍ୱାରା ନାଟକ ‘ରମାଦେବୀ’ ମଞ୍ଚସ୍ଥ ହୋଇଛି । ଏଥିରେ ସରସ୍ୱତୀ ପ୍ରଧାନ, ଲକ୍ଷ୍ମୀ ସୋନୀ, ଗୋବିନ୍ଦ ପରିଡ଼ା, ବସନ୍ତ ସେଠୀ, ରଇଜୀତ କୁମାର ପୋଥାଳ, ନରେନ୍ଦ୍ର ନାହାକ ଓ ଅର୍ଜୁନ ଅଭିନୟ କରିଛନ୍ତି ।

ଆଜିର ଚତୁର୍ଥ ସନ୍ଧ୍ୟାରେ ଅତିଥି ଭାବେ ଓଡିଶା ସଂଗୀତ ନାଟକ ଏକାଡେମୀ ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ଉପସଭାପତି ଶ୍ରୀ ମନ୍ମଥ କୁମାର ଶତପଥୀ, ସଚିବ ଶ୍ରୀ ପ୍ରବୋଧ ରଥ, ଉତ୍କଳ ସଂଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ବିଜୟ କୁମାର ଜେନା, ନାଟ୍ୟକାର ଶ୍ରୀ ମନୋଜ ପଟ୍ଟନାୟକ, ଶ୍ରୀ ଶୈଳେଶ୍ୱର ନନ୍ଦ, ଶ୍ରୀ ରମାକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଶଙ୍କର ତ୍ରିପାଠୀଙ୍କ ଶୂନ୍ୟ ପୁରୁଷ, ଶାନ୍ତନୁ ରଥଙ୍କ କବି ସମ୍ରାଟ, ମନ୍ମଥ ଶତପଥୀଙ୍କ ସ୍ୱାଭିମାନୀ ଗଜପତି ପୁସ୍ତକ ଉନ୍ନ୍ମୋଚିତ ହୋଇଥିଲା । ଆସନ୍ତାକାଲି ଅନ୍ତିମ ସନ୍ଧ୍ୟାରେ ମଞ୍ଚସ୍ଥ ହେବ ଆଦିକବି ସାରଳା ଦାସଙ୍କ ଉପରେ ଆଧାରିତ “ଆଦିକବି’’ । ଏହାକୁ ନାଟ୍ୟକାର ଶ୍ରୀ ସୀତେଶ ତ୍ରିପାଠୀ ରଚନା କରିଥିବାବେଳେ ଶ୍ରୀ ଦର୍ପ ନାରାୟଣ ସେଠୀ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି । ରଙ୍ଗମ ନାଟ୍ୟସଂସ୍ଥାର କଳାକାରମାନେ ଏଥିରେ ବିଭିନ୍ନ ଚରିତ୍ରରେ ଅଭିନୟ କରିବେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button