ଘରୋଇ ବିଦ୍ୟାଳୟରେ ଯୌନ ନିର୍ଯାତନା: ଅନ୍ଧାର ହେଲେ ହଷ୍ଟେଲରେ ପଶୁଥିଲେ ଅଭିଯୁକ୍ତ
ଖଣ୍ଡଗିରି: ରାତି ସାଢ଼େ ୯ଟା ବାଜିଲେ ହଷ୍ଟେଲ ଲାଇଟ୍ ବନ୍ଦ ହୋଇଯାଏ। ଛାତ୍ରମାନେ ଓ କର୍ମଚାରୀମାନେ ନିଜ ନିଜ କୋଠରୀକୁ ଶୋଇବାକୁ ଚାଲିଯାଆନ୍ତି। ଆଉ ଏହାର ସୁଯୋଗ ନେଇ ଯୌନ ପିପାଷୁ କର୍ମଚାରୀ ଛାତ୍ରଙ୍କ ରୁମ୍ରେ ପଶି ଯୌନ ନିର୍ଯାତନା ଦିଅନ୍ତି। ବେଳେବେଳେ ବିଭିନ୍ନ ବାହାନାରେ ନିଜ ରୁମ୍କୁ ବି ଡାକନ୍ତି। ସମ୍ପୃକ୍ତ କର୍ମଚାରୀଙ୍କର ବାରମ୍ବାର ନିର୍ଯାତନାରେ ଛାତ୍ର ଅସହାୟ ହୋଇ ପ୍ରଥମେ ନିଜ ମା’ଙ୍କୁ ଜଣାଇଲେ। ଉତ୍ତରରେ ମା’ କହିଲେ କ୍ଷମା କରିଦେ। କର୍ମଚାରୀ ଜଣକ ଦ୍ବିତୀୟ ଥର ସେଭଳି କରିବାରୁ ସେ ଶିକ୍ଷକଙ୍କୁ ଜଣାଇଲେ। ସୁଫଳ ନମିଳିବାରୁ ଦୁଇ ଦିନ ତଳେ ସେ ଅଧ୍ୟକ୍ଷଙ୍କୁ ଜଣାଇଲେ। ନ୍ୟାୟ ମିଳିବା ଦୂରର କଥା, ବରଂ ରୁମ୍ ପରିବର୍ତ୍ତନ କର ନହେଲେ ପରିଚାଳନା କମିଟିକୁ ଜଣାଅ ବୋଲି ସେ ପରାମର୍ଶ ଦେଲେ। ଏଭଳି ଅସହାୟତା ଦେଖି ଆଜି ଛାତ୍ରମାନେ ଏକାଠି ହୋଇ ସମ୍ପୃକ୍ତ କର୍ମଚାରୀଙ୍କୁ ଘେରିବା ସହ ମାଡ଼ ମାରିବାକୁ ଯୋଜନା କରିଥିଲେ। କିନ୍ତୁ ଅଭିଯୁକ୍ତ କର୍ମଚାରୀ ତରବରିଆ ଭାବେ ଚାକିରି ଛାଡ଼ି ଚାଲିଯାଇଥିଲେ।
ରାଜଧାନୀ ଛାତି ଉପରେ ଥିବା ଶିବାନନ୍ଦ ଶତବାର୍ଷିକ ଉଚ୍ଚ ବିଦ୍ୟାଳୟରେ ହଷ୍ଟେଲ ଛାତ୍ରଙ୍କୁ ପିଭିସି ପାଇପ୍ରେ ପିଟିବା ଘଟଣା ଥମି ନଥିବା ବେଳେ ଏହି ଲଜ୍ଜାଜନକ ଖବର ଆଜି ଚହଳ ପକାଇଛି। ଘଟଣା ଥାନାକୁ ଯାଇ ନଥିଲେ ମଧ୍ୟ ଜଣେ ଛାତ୍ରଙ୍କ ଅଭିଯୋଗ ଆଧାରରେ ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ପ୍ରଜ୍ଞା ପାରମିତା ଜେନା ଆଜି ତଦନ୍ତ କରିଛନ୍ତି। ବିଦ୍ୟାଳୟରେ ପହଞ୍ଚି ଛାତ୍ରଙ୍କୁ ଉଦ୍ଧାର କରିବା ସହ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। କେବଳ ରାତି ନୁହେଁ, ଦିନରେ ବି କର୍ମଚାରୀ କିଭଳି ବ୍ୟବହାର ପ୍ରଦର୍ଶନ କରୁଥିଲେ ସେ ସମ୍ପର୍କରେ ଛାତ୍ରମାନେ ବଖାଣିଛନ୍ତି।
ସୂଚନା ମୁତାବକ ଛାତ୍ର ଜଣକ କୋରାପୁଟର। ତାଙ୍କ ଅଭିଯୋଗ ପରେ ଅଧ୍ୟକ୍ଷ ଅଭିଯୁକ୍ତ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ କରି ନଥିଲେ। ବରଂ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଥିଲେ। ଛାତ୍ରମାନେ ଆଜି ପ୍ରତିବାଦ କରିବା ପରେ କର୍ମଚାରୀ ଜଣକ ଇସ୍ତଫା ଦେଇଦେଲେ। କିନ୍ତୁ ବିଇଓଙ୍କୁ ଅଧ୍ୟକ୍ଷ ଇସ୍ତଫା ପତ୍ରର ନକଲ ଦେଖାଇଥିଲେ। ଏଥିରେ ଭଲ ଚାକିରି ମିଳିଥିବାରୁ ସେ ଚାକିରି ଛାଡ଼ି ଯାଉଥିବା ଲେଖା ହୋଇଥିଲା। କିନ୍ତୁ କୌଣସି ଅଧିକାରୀ କିମ୍ବା ପରିଚାଳନା କମିଟିର ହସ୍ତଖତ ନଥିଲା। ଏହାକୁ ନେଇ ବିଇଓ ଅସନ୍ତୋଷ ପ୍ରକାଶ କରିଥିଲେ। ବାରମ୍ବାର ଅଭିଯୋଗ ଆସୁଥିବାରୁ ଏହି ବିଦ୍ୟାଳୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ସୁପାରିଶ କରାଯିବ ବୋଲି ଜଣାପଡ଼ିଛି।
ବିଇଓଙ୍କ ତଦନ୍ତ ସମୟରେ ଆହୁରି ସାଂଘାତିକ କଥା ସାମ୍ନାକୁ ଆସିଛି। ୮ଦିନ ପୂର୍ବରୁ ଜଣେ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣାକୁ ମଧ୍ୟ ଚାପି ଦିଆଯାଇଛି। ସ୍କୁଲ ପରିଚାଳନା କମିଟି, ସ୍କୁଲ ସୁରକ୍ଷା କମିଟି ଏଠାରେ ନଥିବା ସାମ୍ନାକୁ ଆସିଛି। ଘଟଣା ସମ୍ପର୍କରେ ଜାଣିବାକୁ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଯୋଗଯୋଗ କରାଯାଇଥିଲେ ମଧ୍ୟ ଅଧ୍ୟକ୍ଷ କିମ୍ବା ପରିଚାଳନା କମିଟିର କୌଣସି ସଦସ୍ୟ ଉତ୍ତର ଦେଇ ନ ଥିଲେ। ଏପରିକି ସ୍କୁଲ ଭିତରକୁ ପ୍ରବେଶ ଲାଗି ବାରଣ କରିଥିଲେ।