ଆଜିଠାରୁ ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ
ଭୁବନେଶ୍ୱର: ଆସନ୍ତାକାଲି (ଶୁକ୍ରବାର)ଠାରୁ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଆରମ୍ଭ ହେବ। ସନ୍ଧ୍ୟାରେ ଏହାକୁ ବାଚସ୍ପତି ସୁରମା ପାଢ଼ୀ ଉଦ୍ଘାଟନ କରିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ଆସନ୍ତା ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ପୁସ୍ତକ ମେଳାରେ ୪୦୦ଟି ଷ୍ଟଲ୍ ନିର୍ମାଣ କରାଯାଉଥିବା ବେଳେ ପ୍ରାୟ ୨୦୦ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଏଥିରେ ଯୋଗଦେବେ। ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ବିଭିନ୍ନ ସମ୍ବାଦପତ୍ର ସଂସ୍ଥା, ସରକାରୀ ବିଭାଗ, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ତରଫରୁ ଷ୍ଟଲ୍ ନିର୍ମାଣ କରାଯାଇଥିବା ବେଳେ ଏହାର ଆୟୋଜନ କରିବାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ, ଓଡ଼ିଶା ପ୍ରକାଶକ ସଂଘ, ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମେଳା ଓ ଭୁବନେଶ୍ୱର ପୁସ୍ତକ ମେଳାର କର୍ମକର୍ତ୍ତା ତଥା ରାଜ୍ୟ ଓ ରାଜ୍ୟ ବାହାରର ଅନେକ ପୁସ୍ତକ ପ୍ରକାଶକ, ପୁସ୍ତକ ବିକ୍ରେତାମାନେ
ଚଳିତବର୍ଷର ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଆୟୋଜନ ସମ୍ବନ୍ଧରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ରାଜ୍ୟ ପୁସ୍ତକ ମହୋତ୍ସବରେ ଓଡ଼ିଆ ଅସ୍ମିତାର ବିନ୍ଧାଣୀ ଏବଂ ଯୁଗସ୍ରଷ୍ଟା ସାହିତ୍ୟିକମାନଙ୍କର ସାରସ୍ୱତ ସାହିତ୍ୟ ସର୍ଜନାକୁ ପ୍ରାଧାନ୍ୟ ଦିଆଯାଇଛି। ରାଜ୍ୟସ୍ତରୀୟ ପୁସ୍ତକ ମେଳା ରାଜ୍ୟରେ ପାଠକୀୟ ପରିବେଶରେ ଅଭିବୃଦ୍ଧି ଆଣିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।
ଭାବ ବିନିମୟ ପାଇଁ କଫି କର୍ଣ୍ଣର, ସାହିତ୍ୟ ଆଲୋଚନା ପାଇଁ କ୍ଷୁଦ୍ର ପ୍ରେକ୍ଷାଳୟ
ପୁସ୍ତକ ମହୋତ୍ସବରେ ଲେଖକ ଓ ପାଠକମାନଙ୍କ ଭିତରେ ଭାବ ବିନିମୟ ନିମନ୍ତେ ଏକ କଫି କର୍ଣ୍ଣର କରାଯାଉଛି। ଯେଉଁଠି ମେଳାକୁ ଆସୁଥିବା ଲୋକମାନେ ସେମାନଙ୍କ ପ୍ରିୟ ଲେଖକମାନଙ୍କୁ ଭେଟି ପାରିବେ। କଫିର ମଜା ନେବା ସହ ଲେଖକଙ୍କ ସହ ଆଳାପ ଆଲୋଚନା କରିପାରିବେ। ଏଥିସହ ମୁଖ୍ୟମଞ୍ଚ ବାଦ୍ ପୁସ୍ତକ ଉନ୍ମୋଚନ ଏବଂ ସାହିତ୍ୟ ଆଲୋଚନାଚକ୍ର ନିମନ୍ତେ ଏକ କ୍ଷୁଦ୍ର ପ୍ରେକ୍ଷାଳୟ ସ୍ଥାପନ କରାଯାଉଛି। ଯେଉଁଠି ପ୍ରକାଶକମାନେ ନୂଆ ବହି ପାଠକାର୍ପଣ ସହ ସାହିତ୍ୟ ଚର୍ଚ୍ଚା କରିପାରିବେ। ଏଥିସହ ମେଳାକୁ ଆସୁଥିବା ଲୋକେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ, ମିଲେଟ୍ ମିସନ, କୋରାପୁଟ କଫି, ମିସନ ଶକ୍ତି ଖାଦ୍ୟ ଷ୍ଟଲରୁ ସୁସ୍ବାଦୁ ଖାଦ୍ୟର ମଜା ନେଇ ପାରିବେ।
ଷ୍ଟଲ୍ ଆବଣ୍ଟନ ଅନିମିତତା ଅଭିଯୋଗ ଆଣିଲା ଲେଖାଲେଖି ପ୍ରକାଶନୀ
ଭୁବନେଶ୍ବର, ୫/୧୨(ଇମିସ): ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଷ୍ଟଲ୍ ଆବଣ୍ଟନରେ ଅନିୟମିତତା ହୋଇଥିବା ନେଇ ‘ଲେଖାଲେଖି’ ପ୍ରକାଶନୀ ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛି। ଷ୍ଟଲ୍ ଆବଣ୍ଟନ କମିଟି ବୈଠକ ନବସି କେଉଁ ପ୍ରକ୍ରିୟାରେ ଷ୍ଟଲ୍ ବଣ୍ଟନ କରାଗଲା ବୋଲି ପ୍ରଶ୍ନ କରିଛି। ପ୍ରକାଶିକା କୁମୁଦିନୀ ବେହୁରା ଅଭିଯୋଗ କରି କହିଛନ୍ତି, ପୁସ୍ତକମେଳାରେ ୨୦ ବର୍ଷ ହେବ ମୁଖ୍ୟ ପ୍ରବେଶ ପଥର ବାମ ପାଖରେ ଆମକୁ ଷ୍ଟଲ୍ ଦିଆଯାଉଥିଲା। ହେଲେ ଏବର୍ଷ ଲେଖାଲେଖି ପ୍ରକାଶନ ସଂସ୍ଥାକୁ ସ୍ଥାନାନ୍ତରିତ କରାଯାଇଛି। କିନ୍ତୁ ସେହି ଧାଡ଼ିରେ ଅନ୍ୟମାନେ ପୂର୍ବ ଭଳି ଷ୍ଟଲ୍ ପାଇଛନ୍ତି। ଲଟେରି ମାଧ୍ୟମରେ ଷ୍ଟଲ୍ ଆବଣ୍ଟନ କରିବା, ଷ୍ଟଲ୍ ବୁକିଂ କ୍ରମ ଅନୁସାରେ ଅଗ୍ରାଧିକାର ଦେବା, ଅଧିକ ଷ୍ଟଲ୍ ନେଇଥିଲେ ଅଗ୍ରାଧିକାର ଦେବା ନେଇ ପୂର୍ବ ବୈଠକରେ ଆଲୋଚନା ହୋଇଥିଲେ ହେଁ ତାହା କରାଯାଇନାହିଁ। ‘ଲେଖାଲେଖି’କୁ ପୂର୍ବସ୍ଥାନରେ ଷ୍ଟଲ୍ ନଦେଲେ ପୁସ୍ତକମେଳାରେ ଅଂଶଗ୍ରହଣ ନକରିବା ସହ ଆଇନତଃ କାର୍ଯ୍ୟକରିବାକୁ ବାଧ୍ୟ ହେବୁ ବୋଲି ପ୍ରକାଶିକା ସୂଚନା ଦେଇଛନ୍ତି।
ତିନୋଟି ଥିମ୍ରେ ପାଭିଲିୟନ
ଚଳିତବର୍ଷ ପୁସ୍ତକମେଳାକୁ ନୂଆ ରୂପ ଦେବା ପାଇଁ ସରକାର ପ୍ରୟାସ କରିଛନ୍ତି। ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ, ଓଡ଼ିଶାରେ ବୁଦ୍ଧ ସ୍ମାରକୀ, ଭଗବାନ ବିର୍ସା ମୁଣ୍ଡା ଓ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ଆଧାର କରି ତିନିଟି ଥିମ୍ ପାଭିଲିୟନ୍ ନିର୍ମାଣ କରାଯାଉଛି। ଏଥିସହ ପୁସ୍ତକ ମେଳାର ମୁଖ୍ୟ ପ୍ରବେଶ ଦ୍ୱାରକୁ ଡ. ହରେକୃଷ୍ଣ ମହତାବ, ମୁଖ୍ୟମଞ୍ଚକୁ ସୁନାମଧନ୍ୟ ସାହିତ୍ୟିକ ସାତକଡ଼ି ହୋତା, ମେଳାର ଭିତର ପ୍ରବେଶ ଦ୍ୱାରକୁ କବି ହରିହର ମିଶ୍ର ଏବଂ ମେଳାର ଭିତର ମଞ୍ଚକୁ ସାହିତ୍ୟିକ ସତ୍ୟନାରାୟଣ ବହିଦାରଙ୍କ ନାମରେ ନାମିତ କରାଯିବ। ଏଥିସହ ପୁସ୍ତକ ମେଳାର ବିଭିନ୍ନ ସ୍ଥାନରେ ବହୁ ଯୁଗସ୍ରଷ୍ଟା ସାହିତ୍ୟିକମାନଙ୍କର ଫଟୋଚିତ୍ର ସ୍ଥାନିତ କରାଯିବ।