IBN ଓଡ଼ିଶା ଏକ୍ସକ୍ଲୁସିଭ୍ଅପରାଧରାଜନୀତି

ମୋର ହତ୍ୟାକାଣ୍ଡ ରେ ସମ୍ପର୍କ ନାହିଁ:ଦିବ୍ୟଶଙ୍କର

 

IBN ଓଡିଶା(ବ୍ୟୁରୋ):-ଭୁବନେଶ୍ୱର: “ମା’ ମାଣିକେଶ୍ୱରୀଙ୍କ ନାମରେ ଶପଥ କରି କହୁଛି, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଅପରାଧ ସହ ମୋ’ର କୌଣସି ସମ୍ପର୍କ ନାହିଁ ।” ମମିତା ମେହେର ହତ୍ୟା ମାମଲାକୁ ନେଇ ନିରବ ରହିଥିବା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ଗଣମାଧ୍ୟମକୁ ପ୍ରେସ୍ ବିବୃତ୍ତି ଜାରି କରି ନିଜ ପକ୍ଷ ରଖିଛନ୍ତି। ମୃତ ମମିତାଙ୍କ ପରିବାର ପ୍ରତି ଗଭୀର ସମବେଦନା ବ୍ୟକ୍ତ କରିବା ସହ ଆଇନ ଅନୁଯାୟୀ ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି । ଏହାସହିତ ତାଙ୍କ ବିରୁଦ୍ଧରେ ଯଦି ଏହି ଅପରାଧର କୌଣସି ପ୍ରମାଣ ଥିବ ତା’ହେଲେ ସେ ନିଜ ପଦରୁ ଇସ୍ତଫା ଦେବା ସହ ସାଧାରଣ ଜୀବନରୁ ମଧ୍ୟ ସନ୍ୟାସ ନେଇଯିବେ ବୋଲି ଘୋଷଣା କରିଛନ୍ତି ।

ମମିତା ମେହେର ହତ୍ୟା ଓ ଶିକ୍ଷାନୁଷ୍ଠାନରେ ସେକ୍ସ ସ୍କାଣ୍ଡାଲ ମାମଲାରେ ଗତ କିଛିଦିନ ଧରି ବିରୋଧୀ ଦଳ ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ ଜାରି ରଖିଥିବାବେଳେ ନିରବ ରହିଥିବା ମନ୍ତ୍ରୀ ଶ୍ରୀ ମିଶ୍ର ଆଜି ଗଣମାଧ୍ୟମକୁ ପ୍ରେସ୍ ରିଲିଜ୍ ମାଧ୍ୟମରେ ନିଜର ବିବୃତ୍ତି ଜାରି କରିଛନ୍ତି । ଦୁଇ ପୃଷ୍ଠାର ପ୍ରେସ୍ ବିବୃତ୍ତିରେ ମନ୍ତ୍ରୀ ଶ୍ରୀ ମିଶ୍ର ନିଜ ନିରବତାର କାରଣ ଉଲ୍ଲେଖ କରି କହିଛନ୍ତି ଯେ, ସମ୍ବେଦନଶୀଳ ଜଘନ୍ୟ ଅପରାଧରେ, ଆଇନ କାର୍ଯ୍ୟକାରୀ କରୁଥିବା ସଂସ୍ଥାଗୁଡ଼ିକ ଏକ ମୁକ୍ତ ଓ ନିରପେକ୍ଷ ଢଙ୍ଗରେ କାର୍ଯ୍ୟ କରିବା ଉଚିତ୍‌, ଯାହାଦ୍ୱାରା ଆଇନ ଅନୁସାରେ ଅଭିଯୁକ୍ତର ବିଚାର ହୋଇପାରିବ। ସେଥିପାଇଁ ସବୁବେଳେ ଏଭଳି ଜଘନ୍ୟ ଅପରାଧରେ ମନ୍ତବ୍ୟ ଦେବାଠାରୁ ଦୂରେଇ ରହିଥିଲି । କିନ୍ତୁ ଗଣମାଧ୍ୟମର ଏଭଳି ଅଭିଯାନ ମୋ ପରିବାରକୁ ପ୍ରଭାବିତ କରିଥିବାରୁ ମୁଁ ଆଜି ଏହି ମନ୍ତବ୍ୟ ଜାରି କରିବାର ଆବଶ୍ୟକତା ଅନୁଭବ କଲି ।

ମନ୍ତ୍ରୀ ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, କିଛି ଗଣମାଧ୍ୟମ ତାଙ୍କୁ ବଦନାମ କରିବା ସହିତ ମିଥ୍ୟା ଆଧାରରେ ତାଙ୍କର ଚରିତ୍ର ସଂହାର ଅଭିଯାନ ଆରମ୍ଭ କଲେ । ଏହା ତାଙ୍କ ପରିବାରକୁ ମଧ୍ୟ ଆଘାତ ହେଇଛି । ତେଣୁ ତାଙ୍କ ପରିବାର ୩ଟି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥା ଅର୍ଗସ ଟିଭି, ଓଟିଭି ଓ ଓଡ଼ିଶା ରିପୋର୍ଟର ବିରୁଦ୍ଧରେ ଉପଯୁକ୍ତ କୋର୍ଟରେ ମାନହାନି ମକଦ୍ଦମା ଦାଏର କରିଛନ୍ତି । ଏହି ୩ଟି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥା ଅର୍ଗସ ଟିଭି, ଓଟିଭି ଓ ଓଡ଼ିଶା ରିପୋର୍ଟର ତାଙ୍କୁ ବଦନାମ କରିବାର ଅଭିଯାନ ଚଳାଇବା ସହ ତାଙ୍କର ନିରବତାକୁ ପ୍ରଶ୍ନ କରୁଛନ୍ତି । ସଂକୀର୍ଣ୍ଣ ବ୍ୟକ୍ତିଗତ ରାଜନୀତିକ ଫାଇଦା ପାଇଁ ମିଥ୍ୟା ମନଗଢ଼ା ଓ ଭିତ୍ତିହୀନ ଅଭିଯୋଗ ଆଣି ତାଙ୍କର ଚରିତ୍ର ସଂହାର ଓ ମାନସିକ ନିର୍ଯାତନା ଦେଇଥିବାରୁ ତାଙ୍କ ପରିବାର କୋର୍ଟରେ ମକଦ୍ଦମା ଦାଏର କରିଥିବା ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ।

ମମିତା ମେହେର ହତ୍ୟା ଅପରାଧ ସହିତ ତାଙ୍କର ସମ୍ପର୍କ ନାହିଁ ଓ ମା’ ମାଣିକେଶ୍ୱରୀଙ୍କ ନାମରେ ଶପଥ କରି ସେ କହିବା ସହ ଯଦି ତାଙ୍କ ବିରୁଦ୍ଧରେ କିଛି ପ୍ରମାଣ ଅଛି ତା’ହେଲେ ତାକୁ ପୁଲିସ କିମ୍ବା କୋର୍ଟ ନିକଟରେ ଦାଖଲ କରିବାକୁ ସେ ଉଭୟ ବିରୋଧୀ ରାଜନୀତିକ ଦଳ ଓ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ।ପ୍ରମାଣ ମିଳିଲେ ସେ କେବଳ ନିଜ ପଦରୁ ଇସ୍ତଫା ଦେବେ ନାହିଁ ବରଂ ସାଧାରଣ ଜୀବନରୁ ସନ୍ୟାସ ନେବେ ବୋଲି ଶ୍ରୀ ମିଶ୍ର ଘୋଷଣା କରିଛନ୍ତି । ଏହାସହିତ ବ୍ୟକ୍ତିଗତ ରାଜନୀତିକ ଏଜେଣ୍ଡା ରଖି କୌଣସି ବ୍ୟକ୍ତିଗତ ନିନ୍ଦା ଅଭିଯାନରେ ସାମିଲ ହୁଅନ୍ତୁ ନାହିଁ ବୋଲି ସେ କହିଛନ୍ତି। ଏହାସହିତ ବ୍ୟକ୍ତିଗତ ରାଜନୀତିକ ଏଜେଣ୍ଡା ପାଇଁ ଏହି ଘୃଣ୍ୟ ଅପରାଧକୁ ବ୍ୟବହାର କରନ୍ତୁ ନାହିଁ ଓ ସାମ୍ବାଦିକତାର ନୈତିକତା ଅନୁଯାୟୀ ବଂଚନ୍ତୁ ଯାହା ସାମ୍ବାଦିକ ଓ ମିଡିଆ ହାଉସ ନିକଟରୁ ଆଶା କରାଯାଏ ବୋଲି ସେ କହିଛନ୍ତି ।

ମନ୍ତ୍ରୀ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ସେ ଉଚ୍ଚବେତନ ପ୍ରାପ୍ତ ପାଇଲଟ ଚାକାରି ଛାଡ଼ି ଜୁନାଗଡ଼ ଓ କଳାହାଣ୍ଡି ଲୋକଙ୍କର ସେବା ପାଇଁ ରାଜନୀତିରେ ଯୋଗ ଦେଇଛନ୍ତି । ବାୟୁସେନା ଦିନର ଆଦର୍ଶକୁ ସେ ନିଜ ଜୀବନରେ ଉପଯୋଗ କରୁଛନ୍ତି । ନିଜେ ପଛେ କ୍ଷତିଗ୍ରସ୍ତ ହେବେ କିନ୍ତୁ ଜଣେ ହେଲେ ବ୍ୟକ୍ତିଙ୍କୁ ଦୁଃଖ ଭୋଗ କରିବାକୁ ଦେବେ ନାହିଁ ।

ରାଜନୀତିରେ ପ୍ରବେଶ କରିବା ଦିନଠୁ ସେ ନିଜ ନିର୍ବାଚନମଣ୍ଡଳୀ ଜୁନାଗଡ଼ ଓ କଳାହାଣ୍ଡିର ବିକାଶ ଉପରେ ଧ୍ୟାନ ଦେଉଛନ୍ତି ବୋଲି କହିଛନ୍ତି । ସେ ମମିତା ମେହେରଙ୍କ ମୃତ୍ୟୁକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ନିଜେ ମର୍ମାହତ ଏବଂ ଦୋଷୀମାନଙ୍କୁ ଆଇନ ଅନୁସାରେ କଠୋର ଦଣ୍ଡ ମିଳିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ।

ଅନ୍ୟପକ୍ଷରେ ‘ଓଡ଼ିଶା ରିପୋର୍ଟର’ ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ, ମମିତା ମେହେର ହତ୍ୟା ଓ ଶିକ୍ଷାନୁଷ୍ଠାନରେ ସେକ୍ସ ସ୍କାଣ୍ଡାଲକୁ ନେଇ ବିରୋଧୀ ଦଳର ନେତାମାନେ ଏବଂ ଅନ୍ୟ ବ୍ୟକ୍ତିବିଶେଷଙ୍କ ମତ ଓ ମନ୍ତବ୍ୟ ଆଧାରରେ ଖବର ପ୍ରକାଶିତ କରାଯାଇଛି। ଦିବ୍ୟଶଙ୍କର ମିଶ୍ର ରାଜ୍ୟର ଗୃହମନ୍ତ୍ରୀ ଓ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ଏଭଳି ନିର୍ମମ ହତ୍ୟା ଘଟଣାରେ ସେ ନିରବ ରହିଥିଲେ। ଏହାବ୍ୟତୀତ ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ଭିଡିଓ ଓ ଫଟୋଚିତ୍ରମାନ ସୋସିଆଲ ମିଡିଆରେ ବହୁଳ ଭାବେ ପ୍ରସାରିତ ହୋଇଥିଲା। ଯାହାକୁ ଆଧାର କରି ‘ଓଡ଼ିଶା ରିପୋର୍ଟର’ ନିଜର ଖବର ପ୍ରକାଶିତ କରିଛି। ଆଉ ସାମ୍ବାଦିକତାର ଧର୍ମକୁ ପାଳନ କରି ନିରୀହ ମମିତା ମେହେରର ହତ୍ୟା ଏବଂ ଶିକ୍ଷାନୁଷ୍ଠାନ ସେକ୍ସ ସ୍କାଣ୍ଡାଲ ଅଭିଯୋଗରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଆଇନ ଅନୁସାରେ କଠୋର ଦଣ୍ଡରେ ଦଣ୍ଡିତ କରାଇବା ପାଇଁ ନିଷ୍ଠାର ସହ ଖବର ପ୍ରକାଶିତ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button