ରାଜ୍ୟ

ଖୋଲୁଛି ବୁଖାରୀ ଗୁମର ! – Ibnodisha

[ad_1]

ଭୁବନେଶ୍ବର : ଯାଜପୁର ନେଉଳପୁରରୁ ଗିରଫ କାଶ୍ମୀର ସନ୍ଦିଗ୍ଧ ଯୁବକ ସୟଦ ଇଶାନ ବୁଖାରୀକୁ ଆଜି ୫ ଦିନିଆ ରିମାଣ୍ଡରେ ଆଣିଛି ଏସ୍‌‌ଟିଏଫ୍‌। ଗତକାଲି ସନ୍ଧ୍ୟାରେ କୋର୍ଟ ଅନୁମତି ଦେବା ପରେ ଆଜି ସକାଳୁ ଏସ୍‌‌ଟିଏଫ୍‌ ର ଏକ ଟିମ୍‌ ଯାଜପୁର ରଗଡ଼ି ଜେଲ୍‌‌ରୁ ବୁଖାରୀକୁ ଭୁବନେଶ୍ବରସ୍ଥିତ ଏସ୍‌ଟିଏଫ୍‌ କାର୍ଯ୍ୟାଳୟକୁ ଆଣି ଜେରା କରୁଛି। ଏସ୍‌‌ଟିଏଫ୍ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ର ଅଧିକାରୀମାନେ ତାକୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରୁଥିବା ଜଣାଯାଇଛି। କ୍ରାଇମ୍‌ବ୍ରାଞ୍ଚ ଆଇଜି ଜୟନାରାୟଣ ପଙ୍କଜ ଏବଂ ଏସ୍‌‌ଟିଏଫ୍‌ ଏସ୍‌‌ପି କେ.କେ ପାଣିଗ୍ରାହୀ ଏବଂ ଆଇବିର ବରିଷ୍ଠ ଅଧିକାରୀମାନେ ତାକୁ ପଚରାଉଚରା କରୁଛନ୍ତି। ତା’ କଲ୍‌-ଡିଟେଲ୍ସ ରିପୋର୍ଟ(ସିଡିଆର୍‌) ଓ ଫୋନ୍‌‌ ରେକର୍ଡ ଆଧାରରେ ତାକୁ ପଚରାଉଚରା କରାଯାଉଛି। କିନ୍ତୁ ଅନେକ ପ୍ରଶ୍ନରେ ବୁଖାରୀ ନିରବତା ଅବଲମ୍ବନ କରିଛି। ତେଣୁ ତାକୁ ଆସନ୍ତାକାଲି ପୁଣି ଜେରା କରାଯିବ ବୋଲି ଜଣାଯାଇଛି। ପଞ୍ଜାବ ପୁଲିସ, ୟୁପ୍‌‌ ଏବଂ ଜାମ୍ମୁ କାଶ୍ମୀର ପୁଲିସ ଆସି ପଚରାଉଚରା କରିବ ବୋଲି ଜଣାପଡ଼ିଛି।ଅପରପକ୍ଷେ ବୁଖାରୀର ସ୍ତ୍ରୀ ସାଇନାଜ ପରୱିନ୍‌ ଆଜି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ମିଛ କହି ବୁଖାରୀ ତାଙ୍କୁ ବିବାହ କରିଥିଲା ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ବୁଖାରୀ ତା’ର ପୂର୍ବ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ସାରିଥିବା କହି ତାଙ୍କୁ ବାହା ହୋଇଥିଲା। ମାଟ୍ରିମୋନି ସାଇଟ୍‌‌ ଜୀବନସାଥୀ ଡଟ୍‌‌ କମରେ ବୁଖାରୀ ସହ ତାଙ୍କର ପରିଚୟ ହୋଇଥିଲା। ତା’ ପୂର୍ବ ପତ୍ନୀଙ୍କର ଗୋଟିଏ ଛୋଟ ଝିଅ ଅଛି ବୋଲି ବୁଖାରୀ ତାଙ୍କୁ କହିଥିଲା। ବୁଖାରୀ ବର୍ଷେ-ଦୁଇବର୍ଷ ବ୍ୟବଧାନରେ ଥରେ ଆସି ତାଙ୍କ ପାଖରେ ରହୁଥିବାରୁ ତା’ ବାବଦରେ ବିଶେଷ କିଛି ଜାଣିନଥିଲେ ବୋଲି ସାଇନାଜ୍‌ କହିଛନ୍ତି। ଏଥର ବ୍ୟାଙ୍କ କାଗଜପତ୍ର ଠିକ୍‌ କରିବା ଆଳରେ ବୁଖାରୀ ପ୍ରାୟ ୨ ମାସ ଧରି ଯାଜପୁରରେ ରହୁଥିଲା।ସୂଚନାଯୋଗ୍ୟ, ବୁଖାରୀ ଗିରଫ ହେବା ପରେ ସାଇନାଜଙ୍କୁ ସେ କାମ କରୁଥିବା ଘରୋଇ ସ୍କୁଲରୁ ବହିଷ୍କାର କରି ଦିଆଯାଇଛି। ବୁଖାରୀ ବିଭିନ୍ନ ସ୍ଥାନରେ ପ୍ରାୟ ୭ଜଣଙ୍କୁ ବିବାହ କରିଥିବା ବେଳେ ଆଉ ୧୨ ଜଣଙ୍କୁ ବିବାହ କରିବାକୁ ଯୋଜନା ରଖିଥିଲା। ଆହୁରି ମଧ୍ୟ ଅନେକଙ୍କୁ ଡାକ୍ତର କରି ଠକୁଥିଲା। ଛତିଶଗଡ଼ରେ ଜଣେ ଯୁବତୀଙ୍କୁ ନର୍ସ ଚାକିରି ଦେବାକୁ କହି ଟଙ୍କା ଠକିଥିଲା। ଏହିଭଳି ସାରା ଦେଶରେ ଠକେଇ ସହ ଅପରାଧର ଚେର ବୁଣିଥିଲା।ବଡ଼ କଥା ହେଲା, ବୁଖାରୀର ଚାଲିଚଳଣରେ ପ୍ରଥମେ ସନ୍ଦେହ ପ୍ରକାଶ କରିଥିଲେ ସାମ୍ୱାଦିକ ସ୍ୱର୍ଗତ ଶେଖ ଦିଲଦାର। ୨୦୧୮ ମସିହାରେ ସେ ଏନେଇ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ୍‌‌ ମାମଲାକୁ ହାଲକା ଭାବେ ନେଇଥିଲା। ଲୋକଦେଖାଣିଆ ଭାବେ ତାକୁ ଥାନାକୁ ଡାକି ପଚରାଉଚରା କରି ଛାଡ଼ି ଦେଇଥିଲା। ଏହି ଘଟଣା ପରେ ବୁଖାରୀଙ୍କ ପତ୍ନୀ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲା। ସେତେବେଳେ ସାମ୍ୱାଦିକ ଶେଖ ଦିଲଦାରଙ୍କୁ ସେ ଗାଳିଗୁଲଜ କରିଥିଲେ। ଏପରିକି ଥାନାରେ ପାଲଟା ଅଭିଯୋଗ କରିବେ ବୋଲି ଧମକ ଦେଇଥିଲେ। ଯେଉଁଥିପାଇଁ ଦିଲଦାର୍‌‌ ମାନସିକ ଆଘାତ ପାଇଥିଲେ ବୋଲି ଦିଲଦାରଙ୍କ ପତ୍ନୀ ଆଜି ଅଭିଯୋଗ କରିଛନ୍ତି। ଯଦି ୫ବର୍ଷ ତଳେ, ପୁଲିସ ଏହାକୁ ଗୁରୁତ୍ବର ସହ ନେଇ ତଦନ୍ତ କରିଥା’ନ୍ତା, ବୁଖାରୀ ଆଜି ଜେଲ୍‌‌ ଥାଆନ୍ତା ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ବୁଖାରୀ ବିରୋଧରେ ଅଭିଯୋଗ ଆଣିଥିବା ସାମ୍ୱାଦିକ ଶେଖ ଦିଲଦାରଙ୍କ ମୃତ୍ୟୁ ହୋଇସାରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button