ରାଜ୍ୟ

ମାସକ ମଧ୍ୟରେ ପିସିସି ସଭାପତି ନିଯୁକ୍ତି : ଶ୍ରୀକାନ୍ତ ଓ ଭକ୍ତଙ୍କଠାରୁ ଆଗରେ ମୋକ୍କିମ୍‌

ଭୁବନେଶ୍ୱର : ମାସକ ମଧ୍ୟର ଚୂଡ଼ାନ୍ତ ହେବ ଓଡ଼ିଶା ପିସିସି ସଭାପତିଙ୍କ ନାମ। ସମ୍ପ୍ରତି ଏଆଇସିସି ପକ୍ଷରୁ ରାଜ୍ୟର ବରିଷ୍ଠ ନେତାମାନଙ୍କଠାରୁ ଏ ସମ୍ପର୍କରେ ମତାମତ ସଂଗ୍ରହ କରାଯାଉଛି। ଓଡ଼ିଶା କଂଗ୍ରେସ ଦଳର ଷ୍ଟିଅରିଂ କମିଟି ମୁଖ୍ୟ ଏ ସମ୍ପର୍କରେ ନିଜ ସୁପାରିସ ଏଆଇସିସିକୁ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଏଆଇସିସି ପକ୍ଷରୁ ନିଯୁକ୍ତ ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ ଓ ତାଙ୍କ ସହଯୋଗୀ ଜୟନ୍ତୀ ନଟରାଜନ ଓଡ଼ିଶା ଆସିବା ପରେ ପିସିସି ସଭାପତି ମନୋନୟନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି କୁହାଯାଉଛି ।

ତେବେ ରାଜ୍ୟ କଂଗ୍ରେସ ସଭାପତି ପଦରେ କାହାକୁ ନିଯୁକ୍ତି ଦିଆଯିବ ତାହା ଏଯାଏ ସ୍ପଷ୍ଟ ହୋଇ ନ ଥିଲେ ହେଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ଭକ୍ତ ଚରଣ ଦାସ, ପୂର୍ବତନ ପିସିିସି ସଭାପତି ଜୟଦେବ ଜେନା ଓ ପୂର୍ବତନ ବିଧାୟକ ମହମ୍ମଦ ମୋକ୍କିମ୍‌ଙ୍କ ନାମ ଚର୍ଚ୍ଚାରେ ରହିଛି ଏବଂ ଅନ୍ୟମାନଙ୍କଠାରୁ ମୋକ୍କିମ୍‌ ସଭାପତି ପଦ ପାଇଁ ଭଲ ସ୍ଥିତିରେ ଥିବା ମଧ୍ୟ କୁହାଯାଉଛି।
ଗତ ସାଧାରଣ ନିର୍ବାଚନରେ କଂଗ୍ରେସର ଆଶାନୁରୂପ ସଫଳତା ନ ପାଇବାରୁ ଏଆଇସିସି ଗତ ଜୁଲାଇ ମାସରେ ପିସିସିର ସମସ୍ତ କମିଟିକୁ ଭଙ୍ଗ କରିଥିଲା। ଏହା ପରଠାରୁ ପିସିସି ସଭାପତି ପଦ ଖାଲି ପଡ଼ିଛି। ଦିଲ୍ଲୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଆଇସିସି ପକ୍ଷରୁ ଗଠିତ ୩ଟି ଟିମ୍‌ ଦ୍ୱାରା ଓଡ଼ିଶାରୁ ଯେଉଁ ଫିଡ଼୍‌ବ୍ୟାକ୍‌ ନେଇଛି, ସେଥିରେ ଅଧିକାଂଶ ନେତା ମୋକିମ୍‌ଙ୍କ ସପକ୍ଷରେ ମତ ଦେଇଥିବା କୁହାଯାଉଛି। ସେହିପରି ଆଉ କିଛି କଂଗ୍ରେସ ସଦସ୍ୟ ଭକ୍ତ ଦାସ ଓ ଶ୍ରୀକାନ୍ତ ଜେନାଙ୍କ ସପକ୍ଷରେ ମତ ଦେଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ରାହୁଳ ଗାନ୍ଧୀଙ୍କ ଘନିଷ୍ଠ କୁହାଯାଉଥିବା ଏବଂ ଜାତୀୟ କଂଗ୍ରେସରେ ପ୍ରଭାବ ରଖିଥିବା କର୍ଣ୍ଣାଟକ ଓ ରାଜସ୍ଥାନର କିଛି ବରିଷ୍ଠ ନେତା ମୋକିମ୍‌ ଓଡ଼ିଶା କଂଗ୍ରେସର ମଙ୍ଗ ସମ୍ଭାଳି ପାରିବେ ବୋଲି ମତ ଦେଇଥିବା କୁହାଯାଉଛି। ଯଦି ଏହାକୁ ସତ୍ୟ ବୋଲି ମନେ କରାଯାଏ ତେବେ ମହମ୍ମଦ ମୋକିମ୍‌ ରାଜ୍ୟ କଂଗ୍ରେସର ପରବର୍ତ୍ତୀ ସଭାପତି ହେବା ଆପାତତଃ ଚୂଡ଼ାନ୍ତ ବୋଲି ମନେ କରାଯାଉଛି ।

ପ୍ରସାଦ ହରିଚନ୍ଦନ ଓ ନିରଞ୍ଜନ ପଟ୍ଟନାୟକଙ୍କ ପିସିସି ସଭାପତିତ୍ୱ ସମୟରେ ରାଜ୍ୟ କଂଗ୍ରେସର କୋଷାଧ୍ୟକ୍ଷ ଭାବେ ମହମ୍ମଦ ମୋକିମ୍‌ ଦାୟିତ୍ୱ ତୁଲାଇଛନ୍ତି। ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ କଂଗ୍ରେସର ପ୍ରଦର୍ଶନ ସବୁଠାରୁ ଖରାପ ରହୁଥିବା ସତ୍ତେ୍ୱ ସେ କଟକ ବାରବାଟୀ ଆସନରୁ ୨୦୧୯ରେ ବିଜୟୀ ହୋଇଥିଲେ ଓ ତାଙ୍କ ଝିଅ ୨୦୨୪ରେ ମଧ୍ୟ ବିଜୟୀ ହୋଇଛନ୍ତି। ମହମ୍ମଦ ମୋକିମ୍‌ଙ୍କ ସାଂଗଠନିକ ଦକ୍ଷତା ଯୋଗୁଁ କଟକ ବାରବାଟୀ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆସନକୁ ଲଗାତାର ଦ୍ୱିତୀୟ ଥର କଂଗ୍ରେସ ଦଖଲ କରିବା କଂଗ୍ରେସ କର୍ମୀଙ୍କୁ ମଧ୍ୟ ଉତ୍ସାହିତ କରିଛି। ଅନ୍ୟପକ୍ଷରେ ନିକଟରେ ରାଜ୍ୟ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଦୁଇଟି କାର୍ଯ୍ୟକ୍ରମକୁ ମଧ୍ୟ ମୋକିମ୍‌ ସଫଳତାର ସହ କାର୍ଯ୍ୟାନ୍ୱୟନ କରିଛନ୍ତି । ରାଜ୍ୟରେ କଂଗ୍ରେସକୁ ଚଳାଇବା ପାଇଁ ପାଣ୍ଠି ଯୋଗାଣ କରିବାରେ ମଧ୍ୟ ସେ ସଫଳ ହେବେ ବୋଲି ଦଳର କର୍ମୀମାନେ ମନେ କରୁଥିବାରୁ ତାହା ତାଙ୍କ ସପକ୍ଷରେ ଯିବା ସମ୍ଭାବନା ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button