ଏଲନ୍ ମସ୍କଙ୍କ ବଡ଼ ଦାବି : ଇଭିଏମ୍ ଜାଲିଆତି କରି ନିର୍ବାଚନ ବିଜୟ ସମ୍ଭବ
ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନଠାରୁ ଆରମ୍ଭ କରି ପରବର୍ତ୍ତୀ ରାଜ୍ୟ ନିର୍ବାଚନ ଗୁଡ଼ିକର ଫଳାଫଳକୁ ନେଇ ବିଭିନ୍ନ ରାଜନୈତିକ ଦଳ ଇଭିଏମ୍ର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି। ତେବେ ନିର୍ବାଚନ କମିସନ ଏ ଅଭିଯୋଗକୁ ନିରାଧାର କହିଥିବା ବେଳେ ଇଭିଏମ୍ରେ ଜାଲିଆତି କରି ନିର୍ବାଚନ ଜିତିବା ସମ୍ଭବ ବୋଲି ବିଶିଷ୍ଟ ସଫ୍ଟୱେର୍ ବିଶେଷଜ୍ଞ ଏଲନ୍ ମସ୍କ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ଦେଇଥିବା ମନ୍ତବ୍ୟ ଭାରତରେ ଜାତୀୟ ରାଜନୀତିକୁ ସରଗରମ କରିଛି।
ନିଜ ଫେସ୍ବୁକ୍ ଏକାଉଣ୍ଟରେ ମସ୍କ କହିଛନ୍ତି, କମ୍ପ୍ୟୁଟର ପ୍ରୋଗ୍ରାମକୁ ହ୍ୟାକ୍ କରିବା ସହଜ ହୋଇଥାଏ। ତେଣୁ ଏହା ଉପରେ ଭରସା କରାଯାଇପାରିବ ନାହିଁ। ଏଥିପାଇଁ ବାଲଟ ପେପରରେ ମତଦାନ କରାଇବାକୁ ସେ ପରାମର୍ଶ ଦେଇଛନ୍ତି। ଆମେରିକା ନ୍ୟୁଜ ଏଜେନ୍ସି ଏବିସିର ରିପୋର୍ଟ ଅନୁଯାୟୀ ମସ୍କ ଡୋମିନିୟନ କମ୍ପାନୀର ଭୋଟିଂ ମେସିନର ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଫିଲାଡେଲଫିଆ ଏବଂ ଏରିଜୋନା ବ୍ୟତୀତ ଆଉ କେଉଁଠି ଏହି ମେସିନର ବ୍ୟବହାର କରାଯାଉନାହିଁ। ଏହି ଦୁଇ ସ୍ଥାନରେ ରିପବ୍ଲିକାନ ପାର୍ଟି ପରାଜିତ ହୋଇଛନ୍ତି। ଏହା ଏକ ଅଜବ ଘଟଣା। ତେବେ କମ୍ପାନୀ ମସ୍କଙ୍କ ଅଭିଯୋଗକୁ ଖଣ୍ଡନ କରିଦେଇଛି।
ଭାରତରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)କୁ ନେଇ ଝଡ଼ ଲାଗି ରହିଛି। ଏହାର ସ୍ବଚ୍ଛତା ଉପରେ ପ୍ରଶ୍ନ ଚିହ୍ନ ଲାଗିଛି। ଇଭିଏମ୍ ଦ୍ବାରା ଜାଲିଆତି କରାଯାଉଛି ବୋଲି ବିରୋଧୀ ଦଳଗୁଡିକ ଅଭିଯୋଗ କରିଆସୁଛନ୍ତି। ନିକଟରେ ଶେଷ ହୋଇଥିବା ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ମଧ୍ୟ ଏଭଳି ଅଭିଯୋଗ ଲାଗିଥିଲା। ୨୦ଟି କ୍ଷେତ୍ରରେ ଇଭିଏମ୍ ଜାଲିଆତି କରିଯାଇଥିବା କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। ଦଳ ଇସିଙ୍କୁ ୭ଟି କ୍ଷେତ୍ରର ପ୍ରମାଣ ଦେଇଥିବାବେଳେ ଅନ୍ୟ ପ୍ରମାଣ ଦେବା ଲାଗି କିଛି ସମୟ ମାଗିଥିଲା। ଏବେ ଆମେରିକାରେ ଇଭିଏମ୍ ପ୍ରସଙ୍ଗ ଉଠାଯାଇଛି। ରାଷ୍ଟ୍ରପତି ନିର୍ବାଚନକୁ ନେଇ ମାହୋଲ ସରଗରମ ଥିବାବେଳେ ଶିଳ୍ପପତି ଏଲନ୍ ମସ୍କ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଛନ୍ତି। ଇଭିଏମ୍ ମାଧ୍ୟମରେ ନିର୍ବାଚନରେ ଜାଲିଆତି କରାଯାଉଛି ବୋଲି ସେ ଦାବି କରିଛନ୍ତି।