ରାଜ୍ୟ

‘ଗୁରୁପ୍ରସାଦ ଓଡ଼ିଆ କବିଜଗତର ଅସାଧାରଣ ପ୍ରତିଭା’

ଭୁବନେଶ୍ୱର: ଅସହାୟତାକୁ ଆନନ୍ଦରେ ରୂପାନ୍ତର କରି ଦେଇଥିବା କବି ହେଉଛନ୍ତି ଗୁରୁପ୍ରସାଦ ମହାନ୍ତି। ତାଙ୍କ କବିତା ପଢ଼ିଲେ ଶବ୍ଦ, ଅନୁଭବ ଓ ଉଚ୍ଚାରଣ ସହିତ ସେ ମିତ ବସିଥିବା ଅନୁଭବ ହୁଏ। ତାଙ୍କ କବିତା ଚେତନାକୁ ଉଦ୍ଜୀବିତ କରେ। ସ୍ୱାଧୀନତାର ପରବର୍ତ୍ତୀ ସମୟରେ ତାଙ୍କ ଆଧୁନିକ କବିତା ଗତାନୁଗତିକ ଧାରାରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା।

ରାଜ୍ୟ ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ କବି ଗୁରୁ ପ୍ରସାଦ ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀରେ ଯୋଗଦେଇ ଅତିଥିମାନେ ଏଭଳି ମତ ପ୍ରକାଶ କରିଛନ୍ତି।

କବି ଗୁରୁପ୍ରସାଦ ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ

କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗଦେଇ ଗୁରୁ ପ୍ରସାଦ ମହାନ୍ତି ଓଡ଼ିଆ କବି ଜଗତର ଅନନ୍ୟ ଓ ଅସାଧାରଣ ପ୍ରତିଭା ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଫନୀ ମହାନ୍ତି ଯୋଗଦେଇ ଗୁରୁ ପ୍ରସାଦଙ୍କ କବିତାରେ ପ୍ରକୃତି ଓ ଜୀବନବାଦ ଜୀବନ୍ତ ଭାବେ ରୂପାନ୍ତରିତ ହୁଏ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ କଥାକାର ଗୌରହରି ଦାସ ଯୋଗଦେଇ ପ୍ରତ୍ୟେକ କବିତା ଗୋଟିଏ ଗୋଟିଏ ଗପ ଓ ପ୍ରତ୍ୟେକ ଗପ ଗୋଟିଏ ଗୋଟିଏ କବିତା ବୋଲି କହିଥିଲେ।

ସାହିତ୍ୟିକ ଅମେରଶ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କବି ରବିନାରାୟଣ ସେନାପତି, ଗାଳ୍ପିକା ମମତା ଦାଶ, ଶାସ୍ତ୍ରୀୟ ଭାଷା ଉତ୍କର୍ଷ କେନ୍ଦ୍ର ନିର୍ଦ୍ଦେଶକ ପ୍ରଫେସର ବସନ୍ତ ପଣ୍ଡା, ଗୁରୁପ୍ରସାଦ ମହାନ୍ତିଙ୍କ କନ୍ୟା ପ୍ରିୟଦର୍ଶିନୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବହୁ କବି ଗୁରୁ ପ୍ରସାଦ ମହାନ୍ତିଙ୍କ କବିତା ଆବୃତ୍ତି କରିଥିଲେ। କଣ୍ଠଶିଳ୍ପୀ ଅନିନ୍ଦିତା ଦାଶ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ତାଙ୍କ ପୁତ୍ର ଅମୃତ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ମିହିର ସାହୁ ଧନ୍ୟବାଦ ଦେଇଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button