୩ଟି ଅପରାଧିକ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ – Ibnodisha

[ad_1]
ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ନିକଟରେ ପାରିତ ହୋଇଥିବା ୩ଟି ଅପରାଧିକ ଆଇନ (ସଂଶୋଧନ) ବିଲ୍କୁ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। ଏହି ୩ଟି ବିଲ୍ ହେଉଛି ଭାରତୀୟ ନ୍ୟାୟ ସଂହିତା (୨ୟ) ୨୦୨୩ ବିଲ୍, ଭାରତୀୟ ନାଗରିକ ସୁରକ୍ଷା (୨ୟ) ସଂହିତା ବିଲ୍ ଓ ଭାରତୀୟ ସାକ୍ଷ୍ୟ (୨ୟ) ବିଲ୍ । ଏହା ଦ୍ୱାରା ଏହି ୩ଟି ବିଲ୍ ଆଇନରେ ପରିଣତ ହୋଇଯାଇଛି । ଏସବୁ ଆଇନ ଏବେ ବ୍ରିଟିଶ ଅମଳରୁ ପ୍ରଚଳିତ ଅପରାଧିକ ଆଇନ ଇଣ୍ଡିଆନ ପେନାଲ କୋଡ୍ (ଆଇପିସି), କୋଡ ଅଫ କ୍ରିମିନାଲ ପ୍ରୋସେଜ୍ୟୋର ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ବଦଳରେ ଲାଗୁ ହେବ ।
ଏହି ୩ଟି ବିଲ୍ ଗତ ଡିସେମ୍ବର ୨୦ରେ ଲୋକସଭା ଏବଂ ଡିସେମ୍ବର ୨୧ରେ ରାଜ୍ୟସଭାରେ ଗୃହୀତ ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲ୍ ଉପସ୍ଥାପନ କରିବା ପରେ ରାଜ୍ୟସଭାରେ ବାଚିନିକ ଭୋଟରେ ଗୃହୀତ ହୋଇଥିଲା। ଲୋକସଭାରେ ଏହି ତିନୋଟି ନୂଆ ବିଲ୍ ଉପରେ ବିତର୍କର ଉତ୍ତର ଦେଇ ଅମିତ ଶାହା କହିଥିଲେ, ବ୍ୟକ୍ତିଗତ ସ୍ୱାଧୀନତା, ମାନବିକ ଅଧିକାର ଏବଂ ସମସ୍ତଙ୍କ ସହ ସମାନ ବ୍ୟବହାରର ତିନୋଟି ନୀତି ଆଧାରରେ ନୂତନ ଆଇନ ପ୍ରସ୍ତୁତ କରାଯାଉଛି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଅପରାଧିକ ନ୍ୟାୟ ବ୍ୟବସ୍ଥା ସହ ଜଡିତ ତିନୋଟି ଆଇନକୁ ମାନବୀକରଣ କରାଯିବ । ଶାହା କହିଛନ୍ତି, ନୂଆ ଆଇନରେ ମହିଳା ଓ ଶିଶୁମାନଙ୍କ ସଂପର୍କିତ ଆଇନଗୁଡ଼ିକ ଉପରେ ପ୍ରାଥମିକତା ଦିଆଯାଇଛି । ସେହିପରି ମାନବ ଅଧିକାର ଓ ରାଷ୍ଟ୍ରୀୟ ସୁରକ୍ଷା ସଂପର୍କିତ ଆଇନ ଉପରେ ବି ପ୍ରାଥମିକତା ଦିଆଯାଇଛି ।
[ad_2]



