ବଣମଲ୍ଲୀ ବଣରେ ଫୁଟି, କିଛି ଦୂର ପର୍ଯ୍ୟନ୍ତ ତାର ବାସ୍ନା କୁ ମହକାଇ, ମଉଳି ଗଲା ଭଳି ବହୁ ପ୍ରତିଭାବାନ ବ୍ୟକ୍ତି ମଧ୍ୟ ଏଠି ଲୋକଲୋଚନକୁ ନ ଆସିପାରି କେବଳ କିଛି ଦୂର ପର୍ଯ୍ୟନ୍ତ ହିଁ ସୀମିତ ରହି ଯାଉଛନ୍ତି I ସେହିଭଳି ଜଣେ ପ୍ରତିଭାବାନ ବ୍ୟକ୍ତିତ୍ୱ ହେଉଛନ୍ତି ନବରଙ୍ଗପୁର ଜିଲ୍ଲାର ଜଣେ ଜଣାଶୁଣା ସମାଜସେବୀ ତଥା ପ୍ରକୃତି ପ୍ରେମୀ ବିଦ୍ୟାଧର I ବିଦ୍ୟାଧର ନାୟକ, କେବଳ ସାମାଜିକ କାର୍ଯ୍ୟ ନୁହେଁ, ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ବୃକ୍ଷରୋପଣ, ପାହାଡ, ରାସ୍ତାକଡ, ଡଙ୍ଗରରେ ସବୁଜିମା ସୃଷ୍ଟି ପାଇଁ, ଜଳ, ଜମି, ଜନ୍ତୁ, ଜଙ୍ଗଲ, ମୃତ୍ତିକା ଓ ଜନ ସଂରକ୍ଷଣ ଦିଗରେ ଅନ୍ୟକୁ ସଚେତନ କରିବାକୁ ତୃଣମୂଳ ସ୍ତରରୁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମମାନ ଦୀର୍ଘ ବର୍ଷ ଧରି ଆୟୋଜନ କରି ସମାଜ ସଂସ୍କାରକ ଭାବେ ଦୀର୍ଘ ଦିନରୁ କାମ କରି ଆସୁଛନ୍ତି I ତାଙ୍କ ଲିଖିତ ପରିବେଶ, ଜଙ୍ଗଲ, ବନ୍ୟପ୍ରାଣୀ, ବିଲୁପ୍ତପ୍ରାୟ ଉଦ୍ଭିଦ ଓ ପ୍ରାଣୀ, ଜଳ ଓ ମୃତ୍ତିକା ସଂରକ୍ଷଣ ସମ୍ବନ୍ଧୀୟ ବିଭିନ୍ନ କବିତା ବିଭିନ୍ନ କବିତା ପାଠୋତ୍ସବ ଏବଂ ପତ୍ରପତ୍ରିକା ମାନଙ୍କରେ ପ୍ରକାଶ ପାଇଛି ଏବଂ ସାମାଜିକ ଗଣମାଧ୍ୟମ ଫେସବୂକ, ହ୍ୱାଟ୍ସ ଅପ, ଇନ୍ଷ୍ଟଗ୍ରାମ, ଇ-ପତ୍ରିକା ଜରିଆରେ ପ୍ରକୃତି ଏବଂ ପରିବେଶ ସଂରକ୍ଷଣ ସମ୍ବନ୍ଧୀୟ ବିଭିନ୍ନ ବିଷୟବସ୍ତୁ ଉପରେ ସଚେତନଧର୍ମୀ ନିବନ୍ଧ ଲେଖି ବ୍ୟାପକ ପ୍ରଚାର ଏବଂ ପ୍ରସାର କରି ଆସୁଛନ୍ତି I
ବିଦ୍ୟାଧରଙ୍କ ନେତୃତ୍ୱରେ ଏବଂ କିଛି ଯୁବକଙ୍କ ସଂଗଠିତ ଉଦ୍ୟମରେ ୧୯୯୫ ମସିହାରେ ବନ ଜଙ୍ଗଲ ପାହାଡ ପର୍ବତ ଘେରା ଛୋଟିଆ ଗାଁରେ ଜନ୍ମ ନେଇଥିଲା ଗଣପତି ଯୁବକ ସଂଘ, ଯୁବବର୍ଗଙ୍କୁ ଓଡ଼ିଶାର କଳା, ସଂସ୍କୃତି, ପର୍ଯ୍ୟଟନ, କ୍ରୀଡା, ଗ୍ରାମ୍ୟ ପରିବେଶର ସଚେତନତା ବାର୍ତା ଦେଇ ଆଜି ପର୍ଯ୍ୟନ୍ତ ଏହି ସଂଗଠନ ନବରଙ୍ଗପୁର ଜିଲ୍ଲାରେ ୫୦,୦୦୦ରୁ ଉର୍ଧ ବୃକ୍ଷରୋପଣ ଓ ଚାରା ବଣ୍ଟନ କରିସାରିଥିବା ବେଳେ ୫୦୦୦୦ ରୁ ଉର୍ଧ ଲୋକଙ୍କୁ ସଚେତନ କରିପାରିଛି I ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ଉଦ୍ୟାନ ବିଭାଗ, କୃଷି ବିଭାଗ ଓ ଆତ୍ମା, ଜିଲ୍ଲା ଜଳ ବିଭାଜିକା ମିଶନ, ଜଙ୍ଗଲ ବିଭାଗ ସହିତ ମିଳିତ ସହଯୋଗରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମମାନ ଦୀର୍ଘ ବର୍ଷ ଧରି ଆୟୋଜନ କରାଯାଇ ପୁଣିଥରେ ଉଜୁଡା ଜଙ୍ଗଲକୁ ସଜାଡିବାରେ କାର୍ଯ୍ୟ କରି ଆସୁଛନ୍ତି ବିଦ୍ୟାଧର, ଚାକିରିରୁ ଫୁରସତ ସମୟ ବାହାର କରି ଲୋକଙ୍କ ମେଳରେ ଯାଇ ବୃକ୍ଷରୋପଣର ସନ୍ଦେଶ ଦେଉଛନ୍ତି I ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକରେ ୩୦୦୦ ରୁ ଉର୍ଦ୍ଧ, ଡାବୁଗାଁ ଓ ପାପଡାହାଣ୍ଡି ଜିଲ୍ଲାରେ ୧୫୦୦ ରୁ ଉର୍ଧ ଏବଂ ନବରଙ୍ଗପୁର ଜିଲ୍ଲାର ଅନ୍ୟ ବ୍ଲକ ମାନଙ୍କରେ ମଧ୍ୟ ପରିବେଶ ନିମନ୍ତେ ଉପଯୋଗୀ ଚାରା ବଣ୍ଟନ କରି ସବୁଜିମା ସୃଷ୍ଟି କରିଛନ୍ତି ସେ I କେନ୍ଦୁ, କୁସୁମ, ହରିଡ଼ା, ବାହାଡା ଭଳି ଗଛ ଲୋପ ପାଉଥିବାରୁ ସେଗୁଡିକର ସଂରକ୍ଷଣ ନିମନ୍ତେ ଏହି ଅନୁଷ୍ଠାନ ସଦସ୍ୟ ମାନଙ୍କ ଉଦ୍ୟମରେ ପ୍ରତିବର୍ଷ ସେଗୁଡିକର ଚାରା ୫୦୦୦ ରୁ ଅଧିକ ଲୋକଙ୍କୁ ବଣ୍ଟନ କରିଛନ୍ତି, ବିଭିନ୍ନ ଲୋକ ସେଗୁଡିକ ନେଇ ନିଜ ଜମି ଏବଂ ଘର ବାଡ଼ି ରେ ଲଗାଇବା ମଧ୍ୟ ଏକ ପ୍ରଶଂସନୀୟ କାର୍ଯ୍ୟ I ତତ ସହିତ ନୂଆଖାଇ, ଦିଆଲି ପର୍ବ, ଅକ୍ଷୟ ତୃତୀୟା ଦିନ ମାନଙ୍କରେ ୮୦୦୦ ରୁ ଉର୍ଦ୍ଧ, ମଣ୍ଡେଇ ଦିନ ୩୦୦୦ରୁ ଅଧିକ, ବିଭିନ୍ନ ଗ୍ରାମର ବାଲିଯାତ୍ରାରେ ୧୫୦୦ରୁ ଅଧିକ, ରଜ ତଥା ଅନ୍ୟାନ୍ୟ ପର୍ବପର୍ବାଣି ରେ ୫୦୦୦ ରୁ ଅଧିକ ଜାମୁକୋଳି, ଦେବଦାରୁ, ନଡ଼ିଆ, ଆମ୍ବ, ପଣଷ, କୃଷ୍ଣଚୂଡ଼ା, କଦମ୍ବ, ଆକାଶିଆ, ବର ଓ ପିପ୍ପଳ ଚାରା ବଣ୍ଟନ କରିଛନ୍ତି I ତାଙ୍କରି ନେତୃତ୍ୱରେ ହିଁ ଶିବରାତ୍ରି ଦିନ ଘୁମୁରେଶ୍ୱର, ଇନ୍ଦ୍ରାବତୀ, ପାପଡାହାଣ୍ଡି ଏବଂ କେଲିଆ ପର୍ଯ୍ୟଟନ ସ୍ଥଳୀରେ ଔଷଧୀୟ ଗଛ କଦମ୍ବ, ନିମ୍ବ, କରଞ୍ଜ, ଲେମ୍ବୁ, ବେଲ, ଅଁଳା ଗଛ ଲଗାଇ ସଚେତନ କରାଯାଏ, ସେଗୁଡିକର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ଧ୍ୟାନ ଦିଆଯିବ ସହିତ ସମୟ ସମୟରେ ସେହିସ୍ଥାନକୁ ସଦସ୍ୟମାନେ ଯାନ୍ତି I

“ଗଣପତି ଯୁବକ ସଂଘ”ର ସମସ୍ତ ସ୍ବେଚ୍ଛାସେବୀଙ୍କ ସହିତ ମିଶି ଅନ୍ୟାନ୍ୟ ଯୁବ ସଂଗଠନର ସ୍ବେଚ୍ଛାସେବୀଙ୍କୁ ପୁନର୍ବାର ଗ୍ରାମ୍ୟ ପରିବେଶ ଫେରାଇ ଆଣିବାକୁ ବହୁବାର ଆହ୍ୱାନ ଦେଇଛନ୍ତି, ଗ୍ରମୟ ଜଙ୍ଗଲର ରକ୍ଷଣାବେକ୍ଷଣ, ଗ୍ରାମ୍ୟ ଦେବଦେବୀଙ୍କ ପୀଠ ଓ ମଠରେ ଔଷଧୀୟ ଓ ମୂଲ୍ୟବାନ ବୃକ୍ଷ ରୋପଣ କରି ଯୁବକ ସଂଘ ମାନଙ୍କୁ ଦାୟିତ୍ୱ ଦେବାକୁ ବହୁବାର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି, ବନ ସଂରକ୍ଷଣ ସମିତି ସହିତ ଯୁବକ ସଂଘକୁ ନେଇ ସଚେତନ କାର୍ଯ୍ୟ କଲେ ପୁନଃ ବନୀକରଣ ହୋଇପାରିବ ବୋଲି କୁହନ୍ତି ସେ I ତାଙ୍କ ନିଜସ୍ୱ ଉଦ୍ୟମରେ ଡ଼େଙ୍ଗାଗୁଡ଼ା ଗ୍ରାମର ଦେବୀ ମନ୍ଦିର, ବୁଢାରଜା ମନ୍ଦିର ଏବଂ ଗାଁ ରାସ୍ତା (ନୀଳାଗୁଣ୍ଡିଗୁଡା ଠାରୁ ପ୍ରଧାନିଗୁଡା ପର୍ଯ୍ୟନ୍ତ ରାସ୍ତା) ଦୁଇ ପାର୍ଶ୍ୱରେ ଆମ୍ବ, ଶାଗୁଆନ, ଆକାଶିଆ, ଶିଶୁ, ନିମ୍ବ, ଗମ୍ଭାରୀ, କରଞ୍ଜ, ଜାମୁକୋଳି, କୃଷ୍ଣଚୂଡା, ବେଲ, ହରିଡା, ତେନ୍ତୁଳୀ, କାଜୁ, ଶିମିଳି, ଚାକୁଣ୍ଡା, ଦେବଦାରୁ, ନିଳଗିରି, ପିପ୍ପଳ ଓ ବର ଆଦି ଗଛ ଲଗାଇ ପରିବେଶକୁ ସବୁଜ ବନାନୀରେ ପରିଣତ କରି ପାରିଛନ୍ତି । ଯୁବକ ସଂଘ ଓ ମହିଳା ମଣ୍ଡଳ ମାଧ୍ୟମରେ ପରିବେଶ ସଂରକ୍ଷଣ ନିମନ୍ତେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଛି, ଏହି ଅନୁଷ୍ଠାନର ସଦସ୍ୟ ମାନେ ମଧ୍ୟ ବହୁବାର ସମ୍ମାନିତ ହୋଇପାରିଛନ୍ତି, ଏତଦ ବ୍ୟତୀତ ଭାରତ ସରକାରଙ୍କ କ୍ରୀଡା ଓ ଯୁବ କାର୍ଯ୍ୟକ୍ରମ ମନ୍ତ୍ରାଳୟ ଅଧୀନରେ ଥିବା ନେହରୁ ଯୁବ କେନ୍ଦ୍ର, ନବରଙ୍ଗପୁର ଜିଲ୍ଲା ପକ୍ଷରୁ ସର୍ବଶ୍ରେଷ୍ଠ ଯୁବ ସଂଗଠନ ତଥା ସାମାଜିକ ଅନୁଷ୍ଠାନ ପୁରସ୍କାର ପ୍ରଦାନ କରାଯାଇଛି, ଏସବୁର ନେତୃତ୍ୱ ନେଇଛନ୍ତି ସ୍ୱୟଂ ବିଦ୍ୟାଧର I ସେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ସ୍ବେଚ୍ଛାସେବୀ କାର୍ଯ୍ୟରେ ନିୟୋଜିତ ହୋଇ ନେତୃତ୍ୱ ନେଇ ପ୍ରତିବର୍ଷ ବିଶ୍ୱ ପରିବେଶ ଦିବସ, ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ, ବିଶ୍ୱ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ, ବିଶ୍ୱ ଓଜନ ଦିବସ, ବିଶ୍ୱ ହସ୍ତୀ ଦିବସ, ବିଶ୍ୱ ବନ ଦିବସ ପାଳନ କରି ବିଭିନ୍ନ ସ୍କୁଲ ଏବଂ କଲେଜରେ ସ୍ଲୋଗାନ, ଚିତ୍ରାଙ୍କନ, ପ୍ରବନ୍ଧ, ଭାଷଣ ଭଳି ବିଭିନ୍ନ ପ୍ରତିଯୋଗିତା ଏବଂ ବିଭିନ୍ନ ଗ୍ରାମରେ ପଥପ୍ରାନ୍ତ ନାଟକ ଓ ଗ୍ରାମ୍ୟ ନାଟକରେ ସଚେତନ ବାର୍ତା ପ୍ରଚାର, ସଚେତନତା ପଦଯାତ୍ରା, ସାଇକଲ ରାଲି ଆୟୋଜନ କରି ପରିବେଶ ସଂରକ୍ଷଣ ନିମନ୍ତେ ସଚେତନତା ସୃଷ୍ଟି କରିବା ସହ ଅନ୍ୟକୁ ଏହି ସବୁ ଦିବସ ପାଳନ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି I ପ୍ରାଚୀନ କୀର୍ତ୍ତିରାଜି ସଂରକ୍ଷଣ କାର୍ଯ୍ୟକ୍ରମ, ଜଳବାୟୁ ପରିବର୍ତ୍ତନ ସପ୍ତାହ, ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ, ବ୍ୟାଘ୍ର ସଂରକ୍ଷଣ ସପ୍ତାହ, ବିଶ୍ଵ ଧରିତ୍ରୀ ଦିବସ, ଆନ୍ତର୍ଜାତୀୟ ଯୁବ ଦିବସ, ବିଶ୍ଵ ଜଙ୍ଗଲ ଦିବସ, ରକ୍ଷା ବନ୍ଧନ, ବିଶ୍ଵ ଜଳ, ଜମି, ଜନ୍ତୁ ସଂରକ୍ଷଣ ଦିବସ, ସ୍ଵାଧୀନତା ଦିବସ, ବିଶ୍ଵ ମୃତ୍ତିକା ସଂରକ୍ଷଣ ଦିବସ, ବିଶ୍ଵ ଖାଦ୍ୟ ସଂରକ୍ଷଣ ଦିବସ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ବିଭିନ୍ନ ଗ୍ରାମ, ଶିକ୍ଷାନୁଷ୍ଠାନ, ଧର୍ମସ୍ଥଳୀ, ଗାଁ ମଧ୍ୟସ୍ଥଳୀ, ଛକଜାଗା ମାନଙ୍କରେ ବ୍ୟାପକ ରୂପେ ବୃକ୍ଷରୋପଣ, ତେନ୍ତୁଳିଖୁଣ୍ଟି ବ୍ଲକ ବ୍ୟତୀତ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଙ୍ଗଲ ଓ ପରିବେଶ, ମୃତ୍ତିକା ଓ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଦୀର୍ଘଦିନ ଧରି ପାଠଚକ୍ର, କର୍ମଶାଳା, ପ୍ଲା କାର୍ଡ ପଦଯାତ୍ରା, ସାଇକେଲ ରାଲି, ଆଲୋଚନଚକ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡା କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ଅନୁଷ୍ଠାନ, ସ୍ଵୟଂ ସହାୟକ ଗୋଷ୍ଠୀ, ମହିଳାମଣ୍ଡଳ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଏକତ୍ରିତ କରି ସଚେତନତା ଶିବିର ଆୟୋଜନ କରି ବହୁ ଶିକ୍ଷିତ, ଅର୍ଦ୍ଧ ଶିକ୍ଷିତ, ଶିଶୁ, ଯୁବକ, ଯୁବତୀ, ମହିଳା ତଥା ବିଭିନ୍ନ ଜନସାଧାରଣଙ୍କୁ ସ୍ଵେଚ୍ଛାକୃତ ଭାବେ ଜନସଚେତନତା ସୃଷ୍ଟି କରୁଛନ୍ତି । ତତ ସହିତ ବନ ସଂରକ୍ଷଣ ସମିତି ବୈଠକ, ଯୁବକସଂଙ୍ଘର ମାସିକ ବୈଠକ, ପଲ୍ଲୀସଭା ଓ ଗ୍ରାମସଭା ମାନଙ୍କରେ ଲୋକଙ୍କ ମଧ୍ୟରେ ବୃକ୍ଷ ରୋପଣ ପାଇଁ ଆଗ୍ରହ ଜନ୍ମ ଯାଇଥାଏ I
ନେହରୁ ଯୁବକେନ୍ଦ୍ର, ବିଜୁ ଯୁବ ବାହିନୀ, ସ୍କୁଲର ଇକୋ କ୍ଲବ ମାଧ୍ୟମରେ ଦିନ କୁ ଦିନ ନବରଙ୍ଗପୁରସ୍ଥିତ ବିଭିନ୍ନ ପାହାଡ ପର୍ବତରୁ ଜୈବ ବିବିଧତା ଓ ପ୍ରକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଉଥିବାରୁ “ଗଛ ବଞ୍ଚାଅ ଅଭିଯାନ” ବ୍ୟାପକ ସଚେତନ କାର୍ଯ୍ୟ କରିଛନ୍ତି I “ସ୍ୱଛଭାରତ ସବୁଜ ଭାରତ” କାର୍ଯ୍ୟକ୍ରମ ମାଧ୍ୟମରେ ଜିଲାର ବିଭିନ୍ନ ବିଜୁ ଯୁବ ବାହିନୀ ଓ ନେହରୁ ଯୁବ କେନ୍ଦ୍ରର ସ୍ବେଛାସେବୀଙ୍କୁ ନେଇ ନିଜ ଉଦ୍ୟମରେ କିଛି ଚାରା ରୋପଣ କରି ନିଜ ସୁବିଧା ଅନୁଯାୟୀ ତାର ରକ୍ଷଣାବେକ୍ଷଣ କରୁଛନ୍ତି, ତତ୍ ସହିତ ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀର ସଫେଇ, ସୌନ୍ଦର୍ଯ୍ୟକରଣ ଏବଂ ପରିପାର୍ଶ୍ଵିକ ବିକାଶ ପାଇଁ ବିଭିନ୍ନ ରାଜ୍ୟ ସ୍ତରୀୟ ନେତା, ମନ୍ତ୍ରୀ ଙ୍କୁ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଛନ୍ତି, ଯାହା ଖୁବ ପ୍ରଶଂସନୀୟ ।
ବିଦ୍ୟାଧରଙ୍କ “ଗ୍ରାମ୍ୟ ପରିବେଶ ସୃଷ୍ଟି ଅଭିଯାନ” ରେ ଆଦିବାସୀଙ୍କ ପ୍ରିୟ ଖାଦ୍ୟ “ବାଉଁଶ କରଡି” ସମୟକ୍ରମେ ବ୍ୟାପକ ବାଉଁଶ ନଷ୍ଟ ହେଇଯିବା ଦେଖି ସେ ଆଗାମୀ ପୀଢ଼ିପାଇଁ “ବାଉଁଶ ବଞ୍ଚାଓ ଅଭିଯାନ” ଆରମ୍ଭ କରିଥିଲେ, ଯଦ୍ୱାରା ଜିଲ୍ଲାର ବହୁ ଯୁବ ଅନୁଷ୍ଠାନ ସଚେତନ ହୋଇ “କରଡି କାଟିବା ବନ୍ଦ କରି ବାଉଁଶ ବଞ୍ଚାଇବା” ଅଭିଯାନରେ ସାମିଲ ହୋଇଥିଲେ I ପୁରାତନ କାଳର ବୃକ୍ଷପୂଜା ପରମ୍ପରାକୁ ପୁନଃଜାଗରଣ ସୃଷ୍ଟି କରିବା ପାଇଁ “ବର ଓ ପିପ୍ପଳ ଗଛ ସୁରକ୍ଷା ଅଭିଯାନ” କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ମନରେ ପରିବେଶ ସୁରକ୍ଷାର ମନ୍ତ୍ର ଦେଉଛନ୍ତି I ଗୁଣ୍ଡୁରି, ଘର ଚଟିଆ ଭଳି ଚଡେଇକୁ ଲୋକେ ମାରି ଦେଉଥିବାରୁ “ଗୁଣ୍ଡୁରି ଓ ପକ୍ଷୀ ପ୍ରଜାତି ବଞ୍ଚାଅ ଅଭିଯାନ” ମାଧ୍ୟମରେ ଗୁଣ୍ଡୁରିକୁ ହତ୍ୟା ନ କରିବାକୁ ଆହ୍ଵାନ ଦେଇଛନ୍ତି । ଅନ୍ଧବିଶ୍ୱାସ “ବେଣ୍ଟ ଯାତ୍ରା” ବନ୍ଦକରିବାକୁ ସଚେତନତା, ରାସ୍ତାରୁ ଏପଟ ସେପଟ ହେଉଥିବା ମାଙ୍କଡ଼, ଜଙ୍ଗଲୀ ଭାଲୁ ଭଳି ବନ୍ୟପ୍ରାଣୀଙ୍କୁ ବଞ୍ଚାଇବା ନିମନ୍ତେ ସଚେତନ କାର୍ଯ୍ୟ, ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ “ସେଭ ଦି ଆନିମଲ” କ୍ୟାମ୍ପେନକୁ ଶିଶୁଙ୍କ ଗହଣରେ ବିଭିନ୍ନ ପ୍ରତିଯୋଗିତା କରି ପ୍ରଚାର ପ୍ରସାର କରୁଛନ୍ତିଇ ସେହିଭଳି ସେ ଜଙ୍ଗଲରେ ଲାଗୁଥିବା ନିଆଁ ଏବଂ କାଠ ମାଫିଆ ମୁକ୍ତ କରିବାକୁ ଜିଲ୍ଲାର ଯୁବକ ସଂଘର ସଦସ୍ୟ ଏବଂ ବନ ସଂରକ୍ଷଣ ସମିତି ସହିତ ମିଳିତ ସହଯୋଗରେ ଗ୍ରାମ୍ୟ ଜଙ୍ଗଲର ସେବା କରିବାକୁ ଆହ୍ୱାନ ଦେଇଥିଲେ I ତାଙ୍କରି ଉଦ୍ୟମରେ ଆଜି ବହୁ ଯୁବକ ସଂଘର ସଦସ୍ୟ ଅନୁକରଣ କରି ଜିଲ୍ଲାର ବିଭିନ୍ନ ଯୁବକ ସଂଘର ସଦସ୍ୟ ମାନେ ସ୍ୱେଚ୍ଛାକୃତ ଭାବେ ଜଙ୍ଗଲ ଜଗିବାକୁ ମଧ୍ୟ ଯାଉଛନ୍ତି I
ସଚେତନତା ନିମନ୍ତେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକ ମାନଙ୍କରେ ଯୁବକ ଯୁବତୀ, ମହିଳା ଆଉ ବୟସ୍କ ସମସ୍ତଙ୍କୁ ନାଟକ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରତିଯୋଗିତା, ଚଳଚିତ୍ର ପ୍ରଦର୍ଶିତ କରି ଜଳବାୟୁ ପରିବର୍ତନ ତଥା ସ୍ଥାନୀୟ ଜଙ୍ଗଲ ସୃଷ୍ଟି ନିମନ୍ତେ ତାଙ୍କ ନେତୃତ୍ୱରେ ଗଣପତି ଯୁବକ ସଂଘ ଦ୍ୱାରା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି I