ପ୍ରକୃତି ପ୍ରେମୀ ସମାଜସେବୀ ବିଦ୍ୟାଧର
ବଣମଲ୍ଲୀ ବଣରେ ଫୁଟି, କିଛି ଦୂର ପର୍ଯ୍ୟନ୍ତ ତାର ବାସ୍ନା କୁ ମହକାଇ, ମଉଳି ଗଲା ଭଳି ବହୁ ପ୍ରତିଭାବାନ ବ୍ୟକ୍ତି ମଧ୍ୟ ଏଠି ଲୋକଲୋଚନକୁ ନ ଆସିପାରି କେବଳ କିଛି ଦୂର ପର୍ଯ୍ୟନ୍ତ ହିଁ ସୀମିତ ରହି ଯାଉଛନ୍ତି I ସେହିଭଳି ଜଣେ ପ୍ରତିଭାବାନ ବ୍ୟକ୍ତିତ୍ୱ ହେଉଛନ୍ତି ନବରଙ୍ଗପୁର ଜିଲ୍ଲାର ଜଣେ ଜଣାଶୁଣା ସମାଜସେବୀ ତଥା ପ୍ରକୃତି ପ୍ରେମୀ ବିଦ୍ୟାଧର I ବିଦ୍ୟାଧର ନାୟକ, କେବଳ ସାମାଜିକ କାର୍ଯ୍ୟ ନୁହେଁ, ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ବୃକ୍ଷରୋପଣ, ପାହାଡ, ରାସ୍ତାକଡ, ଡଙ୍ଗରରେ ସବୁଜିମା ସୃଷ୍ଟି ପାଇଁ, ଜଳ, ଜମି, ଜନ୍ତୁ, ଜଙ୍ଗଲ, ମୃତ୍ତିକା ଓ ଜନ ସଂରକ୍ଷଣ ଦିଗରେ ଅନ୍ୟକୁ ସଚେତନ କରିବାକୁ ତୃଣମୂଳ ସ୍ତରରୁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମମାନ ଦୀର୍ଘ ବର୍ଷ ଧରି ଆୟୋଜନ କରି ସମାଜ ସଂସ୍କାରକ ଭାବେ ଦୀର୍ଘ ଦିନରୁ କାମ କରି ଆସୁଛନ୍ତି I ତାଙ୍କ ଲିଖିତ ପରିବେଶ, ଜଙ୍ଗଲ, ବନ୍ୟପ୍ରାଣୀ, ବିଲୁପ୍ତପ୍ରାୟ ଉଦ୍ଭିଦ ଓ ପ୍ରାଣୀ, ଜଳ ଓ ମୃତ୍ତିକା ସଂରକ୍ଷଣ ସମ୍ବନ୍ଧୀୟ ବିଭିନ୍ନ କବିତା ବିଭିନ୍ନ କବିତା ପାଠୋତ୍ସବ ଏବଂ ପତ୍ରପତ୍ରିକା ମାନଙ୍କରେ ପ୍ରକାଶ ପାଇଛି ଏବଂ ସାମାଜିକ ଗଣମାଧ୍ୟମ ଫେସବୂକ, ହ୍ୱାଟ୍ସ ଅପ, ଇନ୍ଷ୍ଟଗ୍ରାମ, ଇ-ପତ୍ରିକା ଜରିଆରେ ପ୍ରକୃତି ଏବଂ ପରିବେଶ ସଂରକ୍ଷଣ ସମ୍ବନ୍ଧୀୟ ବିଭିନ୍ନ ବିଷୟବସ୍ତୁ ଉପରେ ସଚେତନଧର୍ମୀ ନିବନ୍ଧ ଲେଖି ବ୍ୟାପକ ପ୍ରଚାର ଏବଂ ପ୍ରସାର କରି ଆସୁଛନ୍ତି I

“ଗଣପତି ଯୁବକ ସଂଘ”ର ସମସ୍ତ ସ୍ବେଚ୍ଛାସେବୀଙ୍କ ସହିତ ମିଶି ଅନ୍ୟାନ୍ୟ ଯୁବ ସଂଗଠନର ସ୍ବେଚ୍ଛାସେବୀଙ୍କୁ ପୁନର୍ବାର ଗ୍ରାମ୍ୟ ପରିବେଶ ଫେରାଇ ଆଣିବାକୁ ବହୁବାର ଆହ୍ୱାନ ଦେଇଛନ୍ତି, ଗ୍ରମୟ ଜଙ୍ଗଲର ରକ୍ଷଣାବେକ୍ଷଣ, ଗ୍ରାମ୍ୟ ଦେବଦେବୀଙ୍କ ପୀଠ ଓ ମଠରେ ଔଷଧୀୟ ଓ ମୂଲ୍ୟବାନ ବୃକ୍ଷ ରୋପଣ କରି ଯୁବକ ସଂଘ ମାନଙ୍କୁ ଦାୟିତ୍ୱ ଦେବାକୁ ବହୁବାର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି, ବନ ସଂରକ୍ଷଣ ସମିତି ସହିତ ଯୁବକ ସଂଘକୁ ନେଇ ସଚେତନ କାର୍ଯ୍ୟ କଲେ ପୁନଃ ବନୀକରଣ ହୋଇପାରିବ ବୋଲି କୁହନ୍ତି ସେ I ତାଙ୍କ ନିଜସ୍ୱ ଉଦ୍ୟମରେ ଡ଼େଙ୍ଗାଗୁଡ଼ା ଗ୍ରାମର ଦେବୀ ମନ୍ଦିର, ବୁଢାରଜା ମନ୍ଦିର ଏବଂ ଗାଁ ରାସ୍ତା (ନୀଳାଗୁଣ୍ଡିଗୁଡା ଠାରୁ ପ୍ରଧାନିଗୁଡା ପର୍ଯ୍ୟନ୍ତ ରାସ୍ତା) ଦୁଇ ପାର୍ଶ୍ୱରେ ଆମ୍ବ, ଶାଗୁଆନ, ଆକାଶିଆ, ଶିଶୁ, ନିମ୍ବ, ଗମ୍ଭାରୀ, କରଞ୍ଜ, ଜାମୁକୋଳି, କୃଷ୍ଣଚୂଡା, ବେଲ, ହରିଡା, ତେନ୍ତୁଳୀ, କାଜୁ, ଶିମିଳି, ଚାକୁଣ୍ଡା, ଦେବଦାରୁ, ନିଳଗିରି, ପିପ୍ପଳ ଓ ବର ଆଦି ଗଛ ଲଗାଇ ପରିବେଶକୁ ସବୁଜ ବନାନୀରେ ପରିଣତ କରି ପାରିଛନ୍ତି । ଯୁବକ ସଂଘ ଓ ମହିଳା ମଣ୍ଡଳ ମାଧ୍ୟମରେ ପରିବେଶ ସଂରକ୍ଷଣ ନିମନ୍ତେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଛି, ଏହି ଅନୁଷ୍ଠାନର ସଦସ୍ୟ ମାନେ ମଧ୍ୟ ବହୁବାର ସମ୍ମାନିତ ହୋଇପାରିଛନ୍ତି, ଏତଦ ବ୍ୟତୀତ ଭାରତ ସରକାରଙ୍କ କ୍ରୀଡା ଓ ଯୁବ କାର୍ଯ୍ୟକ୍ରମ ମନ୍ତ୍ରାଳୟ ଅଧୀନରେ ଥିବା ନେହରୁ ଯୁବ କେନ୍ଦ୍ର, ନବରଙ୍ଗପୁର ଜିଲ୍ଲା ପକ୍ଷରୁ ସର୍ବଶ୍ରେଷ୍ଠ ଯୁବ ସଂଗଠନ ତଥା ସାମାଜିକ ଅନୁଷ୍ଠାନ ପୁରସ୍କାର ପ୍ରଦାନ କରାଯାଇଛି, ଏସବୁର ନେତୃତ୍ୱ ନେଇଛନ୍ତି ସ୍ୱୟଂ ବିଦ୍ୟାଧର I ସେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ସ୍ବେଚ୍ଛାସେବୀ କାର୍ଯ୍ୟରେ ନିୟୋଜିତ ହୋଇ ନେତୃତ୍ୱ ନେଇ ପ୍ରତିବର୍ଷ ବିଶ୍ୱ ପରିବେଶ ଦିବସ, ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ, ବିଶ୍ୱ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ, ବିଶ୍ୱ ଓଜନ ଦିବସ, ବିଶ୍ୱ ହସ୍ତୀ ଦିବସ, ବିଶ୍ୱ ବନ ଦିବସ ପାଳନ କରି ବିଭିନ୍ନ ସ୍କୁଲ ଏବଂ କଲେଜରେ ସ୍ଲୋଗାନ, ଚିତ୍ରାଙ୍କନ, ପ୍ରବନ୍ଧ, ଭାଷଣ ଭଳି ବିଭିନ୍ନ ପ୍ରତିଯୋଗିତା ଏବଂ ବିଭିନ୍ନ ଗ୍ରାମରେ ପଥପ୍ରାନ୍ତ ନାଟକ ଓ ଗ୍ରାମ୍ୟ ନାଟକରେ ସଚେତନ ବାର୍ତା ପ୍ରଚାର, ସଚେତନତା ପଦଯାତ୍ରା, ସାଇକଲ ରାଲି ଆୟୋଜନ କରି ପରିବେଶ ସଂରକ୍ଷଣ ନିମନ୍ତେ ସଚେତନତା ସୃଷ୍ଟି କରିବା ସହ ଅନ୍ୟକୁ ଏହି ସବୁ ଦିବସ ପାଳନ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି I ପ୍ରାଚୀନ କୀର୍ତ୍ତିରାଜି ସଂରକ୍ଷଣ କାର୍ଯ୍ୟକ୍ରମ, ଜଳବାୟୁ ପରିବର୍ତ୍ତନ ସପ୍ତାହ, ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ, ବ୍ୟାଘ୍ର ସଂରକ୍ଷଣ ସପ୍ତାହ, ବିଶ୍ଵ ଧରିତ୍ରୀ ଦିବସ, ଆନ୍ତର୍ଜାତୀୟ ଯୁବ ଦିବସ, ବିଶ୍ଵ ଜଙ୍ଗଲ ଦିବସ, ରକ୍ଷା ବନ୍ଧନ, ବିଶ୍ଵ ଜଳ, ଜମି, ଜନ୍ତୁ ସଂରକ୍ଷଣ ଦିବସ, ସ୍ଵାଧୀନତା ଦିବସ, ବିଶ୍ଵ ମୃତ୍ତିକା ସଂରକ୍ଷଣ ଦିବସ, ବିଶ୍ଵ ଖାଦ୍ୟ ସଂରକ୍ଷଣ ଦିବସ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ବିଭିନ୍ନ ଗ୍ରାମ, ଶିକ୍ଷାନୁଷ୍ଠାନ, ଧର୍ମସ୍ଥଳୀ, ଗାଁ ମଧ୍ୟସ୍ଥଳୀ, ଛକଜାଗା ମାନଙ୍କରେ ବ୍ୟାପକ ରୂପେ ବୃକ୍ଷରୋପଣ, ତେନ୍ତୁଳିଖୁଣ୍ଟି ବ୍ଲକ ବ୍ୟତୀତ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଙ୍ଗଲ ଓ ପରିବେଶ, ମୃତ୍ତିକା ଓ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଦୀର୍ଘଦିନ ଧରି ପାଠଚକ୍ର, କର୍ମଶାଳା, ପ୍ଲା କାର୍ଡ ପଦଯାତ୍ରା, ସାଇକେଲ ରାଲି, ଆଲୋଚନଚକ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡା କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ଅନୁଷ୍ଠାନ, ସ୍ଵୟଂ ସହାୟକ ଗୋଷ୍ଠୀ, ମହିଳାମଣ୍ଡଳ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଏକତ୍ରିତ କରି ସଚେତନତା ଶିବିର ଆୟୋଜନ କରି ବହୁ ଶିକ୍ଷିତ, ଅର୍ଦ୍ଧ ଶିକ୍ଷିତ, ଶିଶୁ, ଯୁବକ, ଯୁବତୀ, ମହିଳା ତଥା ବିଭିନ୍ନ ଜନସାଧାରଣଙ୍କୁ ସ୍ଵେଚ୍ଛାକୃତ ଭାବେ ଜନସଚେତନତା ସୃଷ୍ଟି କରୁଛନ୍ତି । ତତ ସହିତ ବନ ସଂରକ୍ଷଣ ସମିତି ବୈଠକ, ଯୁବକସଂଙ୍ଘର ମାସିକ ବୈଠକ, ପଲ୍ଲୀସଭା ଓ ଗ୍ରାମସଭା ମାନଙ୍କରେ ଲୋକଙ୍କ ମଧ୍ୟରେ ବୃକ୍ଷ ରୋପଣ ପାଇଁ ଆଗ୍ରହ ଜନ୍ମ ଯାଇଥାଏ I




