ଯାଜପୁର ରେ ବିକାଶ ବରୀ ରେ ରାଜନୀତି
(ସମ୍ପାଦକ-ସଞ୍ଜୟ କୁମାର ମିଶ୍ର)
ଯାଜପୁର:-ଜିଲ୍ଲାର ଦୁଇ ପଡୋଶୀ ନିର୍ବାଚନ ମଣ୍ଡଳୀ ଯାଜପୁର ଓ ବରୀ । ଯାଜପୁର ନିଜର ଗୌରବଜ୍ଵଳ ଅତୀତ ଓ ବର୍ତ୍ତମାନ କୁ ନେଇ ସାରା ରାଜ୍ୟରେ ବେଶ ପରିଚିତ । ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଏହି ପବିତ୍ର ମାଟି ସାରା ଦେଶରେ ଖୁବ ପରିଚିତ । ନୂତନ ଭାବେ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେଉଥିବାରୁ ସାରା ଜିଲ୍ଲାରେ ଯାଜପୁର ସହରର ଗୁରୁତ୍ୱ ଆଗକୁ ବେଶ ବଢିବ ଏଥିରେ ସନ୍ଦେହ ନାହିଁ । ଜିଲ୍ଲା ମୁଖ୍ୟାଳୟ ଭାବେ ଯାଜପୁର ସହର ସହିତ ପୁରା ନିର୍ବାଚନ ମଣ୍ଡଳୀରେ ବିକାଶ କାର୍ଯ୍ୟ ବେଶ ଦ୍ରୁତ ଗତିରେ ଆଗେଇ ଚାଲିଛି । ଯୋଜନାର ନୂଆ ନୂଆ ପ୍ରକଳ୍ପକୁ ପ୍ରତ୍ୟେୟ କରୁଛନ୍ତି ଜନସାଧାରଣ । ରାସ୍ତା ଘାଟ ଠାରୁ ନେଇ ନଦୀ ନାଳ କେନାଲ ପର୍ଯ୍ୟନ୍ତ ବିକାଶ କାର୍ଯ୍ୟରେ ସାମିଲ ହୋଇଛି । ସହର ସହିତ ପୁରା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିରବଛିନ୍ନ ଓ ଆନ୍ତରିକ ଉଦ୍ୟମକୁ କେହି ଅଣଦେଖା କରି ପାରିବେ ନାହିଁ । ସବୁ ନିର୍ମାଣାଧୀନ ପ୍ରକଳ୍ପ ଉପରେ ତାଙ୍କର ନଜର ରହିଥିଲା ବେଳେ ଭଲ ଓ ସୁନ୍ଦର କାର୍ଯ୍ୟକୁ ସବୁ ସମୟରେ ପ୍ରାଧାନ୍ୟ ଦେବା ଦେଖିବାକୁ ମିଳିଥାଏ । ହେଲେ ଯାଜପୁର ନିର୍ବାଚନ ମଣ୍ଡଳୀ ସୀମାକୁ ଲାଗିଥିବା ବରୀ ନିର୍ବାଚନ ମଣ୍ଡଳୀ ବିକାଶ କାର୍ଯ୍ୟ ଆଜକୁ ବେଶ କିଛି ବର୍ଷ ହେଲା ପଛେଇ ଯାଇଛି । ଯାହା ବରୀବାସୀଙ୍କୁ ବେଶ ବ୍ୟଥିତ କରିଛି । ଜିଲ୍ଲାର ଅନ୍ୟ ନିର୍ବାଚନ ମଣ୍ଡଳୀ ଭଳି ରାଜ୍ୟର ଅନ୍ୟତମ ପରିଚିତ ନିର୍ବାଚନ ମଣ୍ଡଳୀ ବରୀ । ସ୍ୱାଧୀନତା ସଂଗ୍ରାମର ଏହି ପୁଣ୍ୟ ଭୂମି ଓ ବଳିଦାନର ମାଟି ବରୀ । ବରୀ ନିର୍ବାଚନ ମଣ୍ଡଳୀରେ ରହିଛି ବିଶ୍ୱ ପ୍ରସିଦ୍ଧ ରତ୍ନଗିରି । ଯିଏ ଆଜିବି ନିଜ ଅତୀତକୁ ବଖାଣି ସାରା ବିଶ୍ୱର ବୌଦ୍ଧ ଧର୍ମାବଲମ୍ବୀ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ବିଜେଡି ସରକାର ସମୟରେ ବରୀର ଆଖି ଦୃଶିଆ ବିକାଶ ହୋଇଛି ଏହା ସତ୍ୟ । ହେଲେ ଗତ ୫ ବର୍ଷରେ ବରୀ ବିକାଶ ପାୟ କୋଡିଏ ବର୍ଷ ପଛକୁ ଚାଲିଯାଇଛି । ଅନଭିଜ୍ଞ ରାଜନେତ୍ରୀ ସୁନନ୍ଦା ଦାସ ବରୀ ବିଧାୟିକା ହେବା ବରୀବାସୀଙ୍କୁ ଚିନ୍ତାରେ ପକାଇ ଦେଉଛି । ବିକାଶ ପାଇଁ କିଭଳି ଉଦ୍ୟମ କରାଯାଏ, କିଭଳି ବିକାଶ କାର୍ଯ୍ୟ କରାଯାଏ ତାହା ତାଙ୍କୁ ଜଣା ନାହିଁ ବୋଲି ବରୀର ଜନସାଧାରଣ ଅଭିଯୋଗ କରୁଛନ୍ତି । ଅନ୍ୟ ପକ୍ଷରେ ବରୀ ବିଜେଡିର ଅନ୍ୟତମ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ବିଶ୍ଵରଞ୍ଜନ ମଲ୍ଲିକ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ ବି ବରୀ ବିକାଶ ପାଇଁ ତାଙ୍କ ସ୍ଵର ମଧ୍ୟ ନରମି ଯାଇଛି । ଉଭୟ ଉଭୟଙ୍କ ଛିଦ୍ର ଖୋଜୁଥିଲାବେଳେ ବରୀ ବିକାଶ ଉଭୟଙ୍କ ନିକଟରେ ଗୌଣ ହୋଇଯାଇଛି । ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଗୁରୁତର ବାଧାପ୍ରାପ୍ତ ହୋଇଛି । ସମସ୍ୟାରେ ଲୋକେ ଘାଣ୍ଟି ହେଉଥିଲାବେଳେ ଵିରୋଧି ଶିବିର ମଧ୍ୟ ଆଶ୍ଚର୍ଯ୍ୟ ଜନକ ଭାବେ ସମସ୍ୟା ସମାଧାନ ପାଇଁ ସରକାର ଓ ପ୍ରଶାସନ ବିରୁଦ୍ଧରେ ମୁହଁ ଖୋଲିବା ଦେଖିବାକୁ ମିଳେନାହିଁ । ଏବେ ନୂତନ ବର୍ଷ ସହିତ ନିର୍ବାଚନ ବର୍ଷ ଆସୁଥିବାରୁ ଶାସକ ଓ ଵିରୋଧି ଦଳ ନୂତନ ବର୍ଷ ର ଶୁଭେଛା ଜଣାଇବା ଆଳରେ ନିଜ ପ୍ରଚାର ପାଇଁ ବେଶ ତତ୍ପର ହୋଇ ଉଠିଛନ୍ତି । କେଉଁଠି ସମାଜସେବୀ ନାମରେ ପ୍ରଚାର ତ କେଉଁଠି ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ମଧ୍ୟ ଦଳୀୟ ଟିକେଟ ପାଇଁ ଆଶାୟୀ ହୋଇ ପ୍ରଚାରକୁ ଜୋରଦାର କରିଛନ୍ତି । ହେଲେ ବରୀର ପଛୁଆ ବିକାଶ କୁ ନେଇ ବିମୁଖ ଥିବା ଭୋଟର ଏହାକୁ କେତେ ଗ୍ରହଣ କରୁଛନ୍ତି ତାକୁ ଯେମିତି ଭୁଲି ଯାଇଛନ୍ତି ସମସ୍ତେ । ଯାହାକୁ ନେଇ ଲୋକେ କହୁଛନ୍ତି ଯାଜପୁର ରେ ବିକାଶ ଆଉ ବରୀରେ ରାଜନୀତି ।