Uncategorized

ପୁରୀରୁ କେନ୍ଦୁଝର ଯିବା ବାଟରେ କାହିଁକି ଘଟଗାଁରେ ଅଟକି ଗଲେ ମା’ତାରିଣୀ ? ଜାଣନ୍ତୁ କ’ଣ କୁହେ କିମ୍ବଦନ୍ତୀ?

IBN ଓଡିଶା(ବ୍ୟୁରୋ):-କେନ୍ଦୁଝର:- *ଘଟଗାଁ ମା ତାରିଣୀପୀଠ ଓଡିଶାର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର। ମା ତାରିଣୀ ମନ୍ଦିର ଆଧୁନିକ ସମୟର ସୃଷ୍ଟି। ଦେବୀଙ୍କର ପ୍ରକୃତିଦତ୍ତ ସ୍ଵରୂପ ଏହାଙ୍କର ଆଦିମ ମୂଳ ପ୍ରତିରୂପ ବୋଲି ପ୍ରମାଣିତ କରେ। କିମ୍ବଦନ୍ତୀ କହେ, ମା ତାରିଣୀ ତାଙ୍କ ଭକ୍ତଙ୍କ ପାଇଁ ସତତ କରୁଣାମୟୀ ଏବଂ ଦୟାଶୀଳା। ଯେଉଁଥିପାଇଁ କରୁଣାମୟୀ ସନ୍ତାନବତ୍ସଳ ମାଆ ଭକ୍ତ ଗୋବିନ୍ଦଙ୍କ ମନକଥା ବୁଝି ସୁଦୂର ପୁରୀରୁ ଘଟଗାଁ ଆସିଥିଲେ। ମା ତାରିଣୀଙ୍କ ପୀଠକୁ ସୌନ୍ଦର୍ଜ୍ୟମୟ କରୁଥିବା ନିକଟ ସଂରକ୍ଷିତ ଘଞ୍ଚ ବନାନୀ ବନ୍ୟ ପଶୁ ପକ୍ଷୀଙ୍କର ଆଶ୍ରୟ ସ୍ଥଳ। ଅନୁରାଗି ଭକ୍ତଗଣ ଶ୍ରଦ୍ଧାରେ ଦେବୀଙ୍କୁ ନଡିଆ ଭୋଗ ଅର୍ପଣ କରନ୍ତି। ଆଦିବାସୀ ପୂଜକଙ୍କ ଦ୍ଵାରା ଦେବୀ ପୂଜିତା। ସ୍ଥାନିୟ ବାସିନ୍ଦା ଚୈତ୍ର ପୂର୍ଣିମାରେ ମହା ଜାକଜମକରେ ଦେବୀଙ୍କ ପୀଠରେ ମହା ବିଷୁବ ସଙ୍କ୍ରାନ୍ତି ଉତ୍ସବ ପାଳନ କରନ୍ତି। ବର୍ଷସାରା ରାଜ୍ୟ ଏବଂ ରାଜ୍ୟ ବାହାରୁ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁ ଭକ୍ତ ମାତୃଦେବୀଙ୍କୁ ଭକ୍ତିପୂତ ସମ୍ମାନ ପ୍ରଦର୍ଶନ କରିଥାନ୍ତି।*

*ଘଟଗାଁରେ ମାଆଙ୍କର ଆବିର୍ଭାବ ସମ୍ପର୍କରେ ଅନେକ କିମ୍ବଦନ୍ତୀ ରହିଛି। କେନ୍ଦୁଝର, ପୁରୀ ଗଜପତି ମହାରାଜାଙ୍କ ଅଧୀନସ୍ଥ ଏକ ବଡ଼ ଗଡ଼ଜାତ ରାଜ୍ୟ ଥିଲା। ସେ ସମୟରେ ଏହାର ଆଦିମ ଅଧିବାସୀ ଥିଲେ କନ୍ଧ, ଭୂୟାଁ, ଜୁଆଙ୍ଗ ଓ ଶବର। କେନ୍ଦୁଝର ଥିଲା ପାହାଡ଼, ପର୍ବତ ଓ ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ, ହିଂସ୍ରଜନ୍ତୁଙ୍କ ବିଚରଣ ସ୍ଥଳୀ। ଯାତାୟତ ପାଇଁ ରାସ୍ତାଘାଟ ମଧ୍ୟ ନଥିଲା। ରାଜା ଓ ରାଜକର୍ମଚାରୀମାନେ ଘୋଡ଼ା ବା ହାତୀରେ ଯାତାୟତ କରୁଥିଲେ। ହିଂସ୍ରଜନ୍ତୁଙ୍କ ଭୟରେ ସାଧାରଣ ଲୋକଙ୍କୁ ଦଳବାନ୍ଧି ପାହାଡ଼ ଜଙ୍ଗଲ ରାସ୍ତାରେ ଯିବାକୁ ପଡ଼ୁଥିଲା। ପାଞ୍ଚଶହ ବର୍ଷ ପୂର୍ବେ କେନ୍ଦୁଝରରେ ରାଜା ଥିଲେ ତ୍ରିଲୋଚନ ଭଞ୍ଜ। ତାଙ୍କର ପୁତ୍ରଙ୍କ ନାମ ଗୋବିନ୍ଦ ଭଞ୍ଜ। ଗୋବିନ୍ଦ ଭଞ୍ଜ ଯୌବନାବସ୍ଥାରେ ଉପନୀତ ହେବା ପୂର୍ବରୁ ଶରୀର ଚର୍ଚ୍ଚା, ଯୁଦ୍ଧବିଦ୍ୟା ଓ ଅଶ୍ୱଚାଳନାରେ ବିଶେଷ ପାରଦର୍ଶିତା ହାସଲ କରିପାରିଥିଲେ। ପୁରୀରେ ସେତେବେଳେ ଗଜପତି ମହାରାଜା ଥିଲେ ଶ୍ରୀ ପୁରୁଷୋତ୍ତମ ଦେବ। କାଞ୍ଚି ଯୁଦ୍ଧରେ ପ୍ରଥମ ଥର ପରାଜିତ ହେବାପରେ ପରାଜୟର ଗ୍ଳାନିରେ ମର୍ମାହତ ମହାରାଜ ପୁରୁଷୋତ୍ତମ ଦେବ ସବୁଆଡୁ ନିରୁପାୟ ହୋଇ ଜଗତର ନାଥ ଜଗନ୍ନାଥଙ୍କ ଶରଣାପନ୍ନ ହୋଇଥିଲେ। ଜଗନ୍ନାଥ ସେବକର ଦୁଃଖ ସହିପାରିଲେ ନାହିଁ, ସ୍ୱପ୍ନାଦେଶ ହେଲା: ‘ତୁ ଆଉଥରେ କାଞ୍ଚି ଅଭିଯାନର ଆୟୋଜନ କର।ଏଇ ଯୁଦ୍ଧରେ ଆମେ ଦୁଇଭାଇ ତୋର ସହାୟତା କରିବୁ । କିନ୍ତୁ ମନେରଖ, ଆସନ୍ତାକାଲି ପ୍ରତ୍ୟୁଷରୁ ବଡ଼ଦାଣ୍ଡରେ ଯାହା ଘରର ଚାଳ ଉପରେ ଅମର ଧଣ୍ଡାମାଳ ପଡ଼ିଥିବା ଦେଖିବୁ, ତାକୁ ହିଁ ଏହି ଯୁଦ୍ଧର ସେନାପତି କରିବୁ। ଏ ଯୁଦ୍ଧରେ ତୋର ବିଜୟ ହେବ, ତୁ ତୋର ମାନସମ୍ମାନ ଫେରିପାଇବୁ ’। ପ୍ରତ୍ୟୁଷରୁ ପୁରୁଷୋତ୍ତମ ନିଜେ ବାହାରକୁ ଯାଇ ଦେଖିଲେ ବଡ଼ଦାଣ୍ଡରେ ରାଜନଅରର ଅନତି ଦୂରରେ ଜଣଙ୍କର ଚାଳ ଉପରେ ଫୁଲଧଣ୍ଡା ମାଳ ପଡ଼ିଥିଲା। ଏହା ଦେଖି ମହାରାଜ ପ୍ରହରୀକୁ ଡାକି କହିଲେ ଘରର ମାଲିକଙ୍କୁ ସାଙ୍ଗରେ ନେଇ ଆସିବା ପାଇଁ। ପ୍ରହରୀ ଧଣ୍ଡାମାଳ ପଡ଼ିଥିବାର ଘରର କବାଟରେ ଶବ୍ଦ କରିବା ପରେ ଘରୁ ବାହାରି ଆସିଥିଲେ କେନ୍ଦୁଝରର ସୁଯୋଗ୍ୟ ଦାୟଦ ଗୋବିନ୍ଦ ଭଞ୍ଜ, ଯିଏ ପିତାଙ୍କ ସହ ମତାନ୍ତର ହେବାରୁ କେନ୍ଦୁଝର ଛାଡ଼ି ପୁରୀରେ ରହୁଥିଲେ, କିନ୍ତୁ ନିଜକୁ କେବେ ପରିଚିତ କରାଇନଥିଲେ ରାଜପୁତ୍ର ଭାବେ ।ହଠାତ ଦୁଆର ଆଗରେ ରାଜ ପ୍ରହରୀଙ୍କୁ ଦେଖି ସାମାନ୍ୟ ଶଙ୍କିତ ହେଲେ ଯୁବରାଜ ଗୋବିନ୍ଦ। ମହାରାଜ ପୁରୁଷୋତ୍ତମ ଦେବ ସେମାନଙ୍କ ଆସିବାକୁ ଅପେକ୍ଷା କରି ରହିଥିଲେ। ଯୁବରାଜ ଗୋବିନ୍ଦ ମହାରାଜଙ୍କୁ ଅଭିବାଦନ ଜଣାଇଲେ। ସୁନ୍ଦର ଓ ବଳିଷ୍ଠ ଯୁବକ ଗୋବିନ୍ଦ ଭଞ୍ଜଙ୍କ ନିକଟରୁ ତାଙ୍କର ପରିଚୟ ପାଇବା ପରେ ପୁରୁଷୋତ୍ତମ ଦେବଙ୍କର ଆନନ୍ଦର ସୀମା ରହିଲା ନାହିଁ। ଗୋବିନ୍ଦ ଭଞ୍ଜଙ୍କୁ ଜଗନ୍ନାଥ ମହାପ୍ରଭୁଙ୍କ ଇଛା କଥା ଜଣାଇ ସେ ତାଙ୍କ ମସ୍ତକରେ, ସ୍ୱହସ୍ତରେ ସେନାପତିର ପାଗ ବାନ୍ଧିଥିଲେ।*

*ସୈନ୍ୟସାମନ୍ତଙ୍କ ଗହଣରେ କାଞ୍ଚି ରାଜ୍ୟର ସୀମାରେ ସେନାପତି ଗୋବିନ୍ଦ ଭଞ୍ଜ ପ୍ରବେଶ କଲେ। ଯାଉଯାଉ ଘୋଡ଼ାଟି ହଠାତ୍ ଠିଆ ହୋଇଗଲା,ଆଗକୁ ଆଦୌ ଗଲାନାହିଁ। ଏଥିରେ ବିଚଳିତ ହୋଇ ଗୋବିନ୍ଦ ଭଞ୍ଜ ଘୋଡ଼ାରୁ ଓହ୍ଲାଇ ପଡ଼ିଲେ। ଘୋଡ଼ା କାହିଁକି ଅଟକିଗଲା ତାହାର କାରଣ ଚିନ୍ତା କରୁକରୁ ଦୃଷ୍ଟିଗୋଚର ହେଲା ମାଆ ତାରିଣୀଙ୍କର ପୀଠ। ସ୍ଥାନୀୟ ଲୋକଙ୍କଠାରୁ ମାଆଙ୍କ ମହିମା ଶୁଣି ପୀଠ ମଧ୍ୟରେ ଦେବୀଭକ୍ତ ଗୋବିନ୍ଦ ଭଞ୍ଜ ପ୍ରବେଶ କଲେ । ବୋଧ ହୁଏ ସେ ପର୍ଯ୍ୟନ୍ତ ଭକ୍ତବତ୍ସଳ ମାଆ ଗୋବିନ୍ଦ ଭଞ୍ଜଙ୍କୁ ଅପେକ୍ଷା କରିଥିଲେ କେନ୍ଦୁଝର ଆସିବା ପାଇଁ। ପୂଜାର୍ଚ୍ଚନାରେ ଲାଗି ପଡ଼ିଥିଲେ ଗୋବିନ୍ଦ। ମାଆ ଯୁଦ୍ଧରେ ବିଜୟୀ ହେବାର ଅଭୟ ବର ପ୍ରଦାନ କଲେ। ଯୁଦ୍ଧରେ ବିଜୟୀ ହୋଇ ସେନାପତି ଗୋବିନ୍ଦ ଭଞ୍ଜ କାଞ୍ଚିର ଇଷ୍ଟଦେବ ଗଣପତିଙ୍କୁ ପୂଜାର୍ଚ୍ଚନା କରିବା ପରେ ମଦନମୋହନ, ରଘୁନାଥ ଜୀଉ ଓ ମାଆ ତାରିଣୀଙ୍କ ସହିତ ପୁରୀକୁ ପ୍ରତ୍ୟାବର୍ତ୍ତନ କଲେ।*

*୧୪୮୦ରେ କେନ୍ଦୁଝର ରାଜା ତ୍ରିଲୋଚନ ଭଞ୍ଜଙ୍କ ମୃତ୍ୟୁ ପରେ ଗୋବିନ୍ଦ ଭଞ୍ଜ କେନ୍ଦୁଝରର ରାଜା ହେଲେ। ରାଜକାର୍ଯ୍ୟରେ ବ୍ୟସ୍ତ ରହି ମାଆ ତାରିଣୀଙ୍କୁ କେନ୍ଦୁଝର ଆଣିପାରିଲେ ନାହିଁ ବୋଲି ଦୁଃଖ ଅନୁଭବ କରୁଥିଲେ। କରୁଣାମୟୀ ସନ୍ତାନବତ୍ସଳ ମାଆ ଭକ୍ତ ଗୋବିନ୍ଦଙ୍କ ମନକଥା ବୁଝିଲେ। ଅଳ୍ପଦିନ ମଧ୍ୟରେ ଗଜପତି ପୁରୁଷୋତ୍ତମ ଦେବ ଡକାଇ ପଠାଇଲେ ଗୋବିନ୍ଦ ଭଞ୍ଜଙ୍କୁ। ପୁରୀ ଯାଇ ଗଜପତିଙ୍କୁ ସାକ୍ଷାତ କଲେ । ଗଜପତି ତାଙ୍କୁ ‘ଜୟ ଗୋବିନ୍ଦ ଭଞ୍ଜ ମହାରାଜ’ ଉପାଧିରେ ଭୂଷିତ କରି ପୁରୀ ଅଧିନରେ ଥିବା ଆଠଗଡ଼ ଅଞ୍ଚଳ (ଅଧୁନା ଆନନ୍ଦପୁର ସବ୍‌ଡିଭିଜନ) ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ଏହାକୁ କରଶୂନ୍ୟ ରାଜ୍ୟ ରୂପେ ଭୋଗ ଦଖଲ କରିବାର ଅନୁମତି ଦେଇଥିଲେ। ଗୋବିନ୍ଦ ଭଞ୍ଜ କିନ୍ତୁ ଇଚ୍ଛା ପୋଷଣ କରିଥିଲେ କାଞ୍ଚିରୁ ଆଣିଥିବା ଦେବଦେବୀ ମଦନମୋହନ, ରଘୁନାଥଜୀଉ ଓ ମାଆ ତାରିଣୀଙ୍କୁ ଜଗନ୍ନାଥ, ବଳଭଦ୍ରଓ ସୁଭଦ୍ରାଙ୍କ ବିଗ୍ରହ ତାଙ୍କ ସହିତ କେନ୍ଦୁଝର ନେବାକୁ । ଏହା ଶୁଣି ପୁରୁଷୋତ୍ତମ ଦେବ କହିଲେ: ‘ ସମସ୍ତଙ୍କୁ ତୁମେ ନେଇଯାଇପାର,ମାଆ ତାରିଣୀ ଯେ ପାତାଳୀ ,ତାଙ୍କୁ ତୁମେ ନେବ କିପରି ? ଏଥିରେ ନିରାଶ ନହୋଇ ଗୋବିନ୍ଦ ଭଞ୍ଜ ମାଆଙ୍କ ନିକଟକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ସେହିଦିନ ରାତିରେ, ଗଜପତି ପୁରୁଷୋତ୍ତମ ଦେବଙ୍କୁ ମାଆ ସ୍ୱପ୍ନରେ କହିଲେ, ‘ଗୋବିନ୍ଦ ମୋର ପରମ ଭକ୍ତ । ତା’ସହିତ ମୁଁ କେନ୍ଦୁଝର ଯିବି ,ତାକୁ ଅନୁମତି ଦେ । ’। ପରଦିନ ଗଜପତି ସମସ୍ତ ବୃତ୍ତାନ୍ତ ଶୁଣାଇବା ପରେ ଗୋବିନ୍ଦଙ୍କୁ କହିଲେ, ତୁମେ ଧନ୍ୟ ଗୋବିନ୍ଦ ! ମାଆଙ୍କୁ ନେବାର ବ୍ୟବସ୍ଥା କର। ମାଆଙ୍କୁ କେମିତି ନେବେ ସେହି ଚିନ୍ତାରେ ଗୋବିନ୍ଦ ଧ୍ୟାନମଗ୍ନ ହେଲେ । ମାଆ ସ୍ୱପ୍ନାଦେଶ ଦେଲେ ମୁଁ ଯେପରି ଘୋଡ଼ାରେ ଚଢ଼ି କାଞ୍ଚିରୁ ପୁରୀ ଆସିଥିଲି, ଠିକ୍ ସେମିତି ଘୋଡ଼ାରେ ଚଢ଼ି ତୋ’ ପଛେ ପଛେ ଯିବି। ଘୋଡ଼ା ଚାଲିଲେ ମୋ ପାଦର ନୁପୁର ରୁଣୁଝୁଣୁ ଶବ୍ଦରୁ ତୁ ଜାଣିବୁ ମୁଁ ତୋ ପଛରେ ଯାଉଛି। କିନ୍ତୁ ତୁ ଯଦି ପଛକୁ ଚାହିଁ ମୋତେ ଦେଖିବାକୁ ଚେଷ୍ଟା କରିବୁ, ମୁଁ ପାଷାଣ ହୋଇ ସେହିଠାରେ ରହିବି। ପରଦିନ ଅନ୍ୟ ଦେବଦେବୀଙ୍କ ବିଗ୍ରହ ସହ ଗୋବିନ୍ଦ ଚାଲିଲେ କେନ୍ଦୁଝର ଅଭିମୁଖେ। ପଛେ ପଛେ ଭକ୍ତବତ୍ସଳ ମାଆ ତାରିଣୀ ଘୋଡ଼ାରେ ଚଢ଼ି ଯାଉଥାଆନ୍ତି । ନୁପୁର ରୁଣୁଝୁଣୁ ଶବ୍ଦ ଗୋବିନ୍ଦଙ୍କ କାନରେ ବାଜୁଥାଏ। କିନ୍ତୁ ଲୀଳାମୟୀ ମାଆ ତାରିଣୀଙ୍କ ଲୀଳା ବିଚିତ୍ର । ଆନନ୍ଦପୁର ସୀମା ପାର ହୋଇ ସେ କେନ୍ଦୁଝର ସୀମାରେ ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରବେଶ କଲେ। ଠିକ୍ କେନ୍ଦୁଝରର ମଧ୍ୟସ୍ଥଳରେ ମାୟା ବିସ୍ତାର କଲେ ମାଆ ।ଗୋବିନ୍ଦଙ୍କ ଘୋଡ଼ା ଆଗକୁ ଗଲା ନାହିଁ। ପଛରେ ଆସୁଥିବା ମାଆ ତାରିଣୀଙ୍କ ନୁପୁରର ରୁଣୁଝୁଣୁ ଶବ୍ଦ ମଧ୍ୟ ଶୁଣାଗଲା ନାହିଁ। ଗୋବିନ୍ଦ ବିଚଳିତ ହୋଇ ପଛକୁ ଚାହିଁଦେଲେ, ଦେଖିଲେ, ତ୍ରିଜଗଧାତ୍ରୀ, ଜ୍ୟୋତିର୍ମୟୀ ମାଆ ଘୋଡ଼ା ଉପରେ ବସିଛନ୍ତି। ସର୍ତ୍ତ ଭଗ୍ନ ହୋଇଥିବାରୁ ମାଆ ହେଲେ ପାଷାଣ। ଶୂନ୍ୟବାଣୀ ହେଲା, ମୁଁ ଏହିଠାରେ ରହିବି । ଏହା ଶୁଣି ଗୋବିନ୍ଦ ମର୍ମାହତ ହେଲେ । ମାଆଙ୍କୁ ବିନମ୍ର ପ୍ରଣତି ଜଣାଇ ସେଠାରେ ଦେହୁରୀମାନଙ୍କୁ ରହିବା ବ୍ୟବସ୍ଥା କଲେ ।ସେହିଦିନଠାରୁ ମାଆ ଭଗବତୀ ତାରିଣୀ ଶାଳବଣ ଘେରା ପୀଠରେ ପୂଜା ପାଇ ଆସୁଛନ୍ତି। କେନ୍ଦୁଝରରେ ରହି ମଧ୍ୟ ପ୍ରତ୍ୟହ ରାଜା ଗୋବିନ୍ଦ ଭଞ୍ଜ ଘୋଡ଼ା ଚଢ଼ି ମାଆ ତାରିଣୀଙ୍କ ଦର୍ଶନ କରିବାକୁ ଆସୁଥିଲେ। ।*

*🙏❣️🙏ଜୟ ମା ତାରିଣୀ 🙏❣️🙏*

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button