ଶ୍ରୀମନ୍ଦିର ଦେବତ୍ୱର କ୍ଷୁର୍ଣ୍ଣ ପ୍ରତିବାଦରେ ବିଜେପି ଆନ୍ଦୋଳନ କରିବ : ଡ. ଯତୀନ ମହାନ୍ତି – Ibnodisha

[ad_1]
ଜଗନ୍ନାଥ ମନ୍ଦିରକୁ ଅପବିତ୍ର କରିବା ସହ ଜଗନ୍ନାଥ ସଂସ୍କୃତିକୁ ଧ୍ୱଂସ କରିବାକୁ ପ୍ରୟାସ କରିଛି ବିଜେଡି
ଜଗନ୍ନାଥଙ୍କୁ “ବଜାର ସାମଗ୍ରୀ” ଭାବେ ପ୍ରଚାର କରିବା ଦୁର୍ଭାଗ୍ୟଜନକ
ଭୁବନେଶ୍ୱର, : କିଛିଦିନ ତଳେ ବିଜୁ ଜନତା ଦଳର ଜଣେ ନୂଆ ନେତା ଭିକେ ପାଣ୍ଡିଆନ ଜଣେ ଗୋମାଂସ ଭକ୍ଷଣକାରୀଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଇବା ସହ ତାଙ୍କୁ ମହାପ୍ରସାଦ ସେବନ କରାଇଥିଲେ । ଏନେଇ ଦେଶ ତଥା ବିଶ୍ୱରେ ସନାତନ ଧର୍ମୀମାନେ ଘୋର ବିରୋଧ କରିବା ସହ ଦୁଃଖ ପ୍ରକାଶ କରିଛନ୍ତି । ଗତକାଲି ଶାସକ ଦଳ କ୍ୟାବିନେଟ୍ରେ ୨୧୪କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରି ପୁଣି କାମିଆ ଜାନି ଭଳି ଗୋମାଂସ ଭକ୍ଷଣକାରୀ ବିଧର୍ମୀମାନଙ୍କୁ ଆଣି ଆରାଧ୍ୟଦେବତା ଜଗନ୍ନାଥ ମନ୍ଦିରକୁ ଅପବିତ୍ର କରିବା ସହ ଜଗନ୍ନାଥ ସଂସ୍କୃତିକୁ ଧ୍ୱଂସ କରିବାକୁ ପ୍ରୟାସ କରିଛି । ଏଥିଲାଗି ଓଡ଼ିଶାର ଗରିବ ଜନସାଧାରଣମାନଙ୍କର ଟ୍ୟାକ୍ସ ଟଙ୍କାକୁ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର କରିବେ ବୋଲି ବିଜୁ ଜନତା ଦଳ ସରକାର କୁଆଡେ ନିଷ୍ପତି ନେଇଛି । କଳାପାହାଡ ସାଜି ଓଡ଼ିଶାକୁ ଆସିଥିବା ତାମିଲ ନେତା ଓଡ଼ିଶାର ଜଗନ୍ନାଥ ସଂସ୍କୃତିକୁ ଗୋଟିଏ ବଜାରର ସାମଗ୍ରୀ ଭାବରେ ବ୍ୟବହାର କରିବାକୁ ଯାଉଛନ୍ତି । ଯାହା ଓଡ଼ିଶାବାସୀଙ୍କ ମନକୁ ଆନ୍ଦୋଳିତ କରିବା ସହ ଓଡ଼ିଆଙ୍କ ବିଶ୍ୱାସରେ ଆଘାତ ଆଣିଦେଇଛି । ପୂର୍ବରୁ ଜଗନ୍ନାଥଙ୍କ ପ୍ରଚାର ପ୍ରସାରର ଆବଶ୍ୟକତା ନଥିଲା କି ଏବେ ବି ଆବଶ୍ୟକତା ନାହିଁ । ଯିଏ ହିନ୍ଦୁ ସିଏ ମହାପ୍ରଭୁ ଜଗନ୍ନାଥ ଓ ପୁରୀର ମହିମାକୁ ବୁଝେ, କିନ୍ତୁ ଏବେ ବିଜୁ ଜନତା ଦଳର ନୂଆ ନେତା ତଥା ଅଣଓଡିଆ ପାଣ୍ଡିଆନ ଜଗନ୍ନାଥଙ୍କୁ “ବଜାର ସାମଗ୍ରୀ” ଭାବେ ପ୍ରଚାର କରିବା ଦୁର୍ଭାଗ୍ୟଜନକ । ଏହି କାର୍ଯ୍ୟକୁ ବିଜେପି ଦୃଢ଼ ନିନ୍ଦା କରିବା ସହ ଏଥିରୁ ଖ୍ୟାନ୍ତ ରହିବାକୁ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ମହାନ୍ତି କହିଛନ୍ତି ଯେ, ବିଜୁ ଜନତା ଦଳର ଗାଲମାଧବମାନେ ଶ୍ରୀମନ୍ଦିର ଇତିହାସକୁ ନିଜ ନାଁରେ କରିବାକୁ ଚେଷ୍ଟା କରୁଛନ୍ତି । ପାଣ୍ଡିଆନ ଓ ପଟ୍ଟନାୟକ ଏହି ଦୁଇ ଗାଲମାଧବ ସମ୍ପୂର୍ଣ୍ଣ ମନ୍ଦିରର ଇତିହାସକୁ ନିଜର ଆତ୍ମପ୍ରଚାର ପାଇଁ ବ୍ୟବହାର କରୁଛନ୍ତି । ତେଣୁ ଆଗାମୀ ଦିନରେ କାମିଆ ଜାନି, ଗୋମାଂସ ଭକ୍ଷଣକାରୀ, ସନାତନୀ ବିରୋଧୀ, ବିଧର୍ମୀମାନଙ୍କୁ ଆଣି ମନ୍ଦିର ପ୍ରବେଶ କରାଇ ସଂସ୍କୃତିକୁ ନଷ୍ଟ କରିବାକୁ ବିଜେଡିର ପ୍ରଚେଷ୍ଟା । ସବୁଠୁ ଦୁଃଖ ଓ ପରିତାପର ବିଷୟ ବିଜେଡିର ନେତାଙ୍କୁ ସହଯୋଗ କରୁଥିବା କିଛି ମୁଷ୍ଟିମେୟ ସେବାୟତ ଯେଉଁମାନେ ଜଗନ୍ନାଥ ସେବା ଭୁଲି ପାଣ୍ଡିଆନଙ୍କ ତୋଷାମଦିି ସେବାରେ ଲାଗିଛନ୍ତି । ସେହିମାନେ ମନ୍ଦିର ପରମ୍ପରାର ଗୋଟିଏ ଗୋଟିଏ କଳଙ୍କ । ମୁକ୍ତିମଣ୍ଡପକୁ ହାତଯୋଡି ଅନୁରୋଧ କରୁଛି, ବୟସ୍କ ବ୍ରାହ୍ମଣ ସମାଜକୁ ଅନୁରୋଧ କରୁଛି ଦୟାକରି ମନ୍ଦିର, ସଂସ୍କୃତିକୁ ରକ୍ଷା କରନ୍ତୁ । ଜଗନ୍ନାଥଙ୍କୁ ବଜାରର ସାମଗ୍ରୀ ହେବାରୁ ବଂଚାନ୍ତୁ ।
ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସକ ଭାବରେ ଜଣେ କାଠ କଣ୍ଢେଇକୁ ନିଯୁକ୍ତି କରି ନିଜର ଆତ୍ମପ୍ରଚାର ଓ ଦଳୀୟ ସ୍ୱାର୍ଥ ଚରିତାର୍ଥ କରୁଛନ୍ତି ଯାହା ଜନସାଧାରଣଙ୍କୁ ଖୁବ୍ ବାଧୁଛି । ଜଗନ୍ନାଥଙ୍କୁ ଦାରୁବ୍ରହ୍ମ ଓ ମୂଳପୀଣ୍ଡ କୁହାଯାଏ । ରାଜ୍ୟ ସରକାରଙ୍କ ଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟ ଗୁଡିକ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅପମାନ । ଆମ ଜଗନ୍ନାଥ ଆମ ପରିଚୟ ହୋଇଥିବାବେଳେ ବିଜେଡି ସାଂସଦ ଅମର ପଟ୍ଟନାୟକ ଜଣେ ଶିକ୍ଷିତ ବ୍ୟକ୍ତି ହୋଇ ମଧ୍ୟ ତୋଷାମଦିର ଚରମ ସୀମାରେ ପହଂଚି ଓଡ଼ିଶାର ଜଗନ୍ନାଥ ହେଉଛନ୍ତି ଶ୍ରୀ ନବୀନ ପଟ୍ଟନାୟକ କହିବା ଅତ୍ୟନ୍ତ ଦୁଃଖର ବିଷୟ । ସେ ଏଭଳି ନିଲଜ୍ଜତାରୁ କ୍ଷ୍ୟାନ୍ତ ହୁଅନ୍ତୁ । ସେହିପରି ପିନାକୀ ମିଶ୍ର ପାର୍ଲାମେଂଟରେ ପରିକ୍ରମା ପ୍ରକଳ୍ପକୁ ନେଇ ୪ଟି ଶୌଚାଳୟ ନିର୍ମାଣ କଥା କହିଥିଲେ । ଭକ୍ତଙ୍କ ଅର୍ଥରେ ହେଉଥିବା ପ୍ରକଳ୍ପକୁ ଶ୍ରୀ ମିଶ୍ର ନିଜ ନାମରେ ପ୍ରଚାର କରିବାର ଅପଚେଷ୍ଟା କରିଛନ୍ତି ସେଥିରୁ ସେ କ୍ଷ୍ୟାନ୍ତ ରୁହନ୍ତୁ । ଓଡ଼ିଶାର ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳର ନୂଆ ନେତା ପାଣ୍ଡିଆନ କ୍ଷମା ପ୍ରାର୍ଥନା କରନ୍ତୁ । ବିଜେଡି ସରକାର ବିଗତ ଦିନରେ ଶ୍ରୀମନ୍ଦିର ସମସ୍ତ ନିୟମକୁ ଉଲଘଂନ କରି ବ୍ରହ୍ମ ବିଭ୍ରାଟ ଘଟାଇ ଥିଲେ, ରତ୍ନଭଣ୍ଡାର ଚାବି ହଜାଇ ଜଗନ୍ନାଥପ୍ରେମୀଙ୍କ ମନରେ ସନ୍ଦେହ ସୃଷ୍ଟି କରିବା ସହ ରଥଯାତ୍ରା ବନ୍ଦ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଥିଲେ ଏବଂ ପୁରୀକୁ “ଭାଟିକାନ୍ ସିଟି”ରେ ପରିଣତ କରିବା କଥା ପାର୍ଲ୍ୟାଆମେଂଟରେ ମଧ୍ୟ କହିଥିଲେ । ଆଜି ବିଜୁ ଜନତା ଦଳ ନିଜକୁ ଓଡ଼ିଆଙ୍କ ଦଳ କହିବାର ସମସ୍ତ ଅଧିକାର ହରାଇଛି । ଯିଏ ଜଗନ୍ନାଥଙ୍କୁ ଜାଣେନାହିଁ କି ସଂସ୍କୃତିକୁ ଚିହ୍ନେନାହିଁ ଓ ଜଗନ୍ନାଥଙ୍କୁ ଅପମାନ କରେ ସେ କେବେ ଓଡ଼ିଆଙ୍କ ଦଳ ହୋଇପାରେ ନାହିଁ । ଯଦି କାମିଆ ଜାନି ଘଟଣାର ଖୋଳତାଡ ନହୁଏ କି ତଦନ୍ତ ନହୁଏ ତଥା ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ କ୍ଷମା ପ୍ରାର୍ଥନା ନକରନ୍ତି, ଆଗାମୀ ଦିନରେ ବିଧର୍ମୀମାନଙ୍କୁ ଆଣି ପୁନଃର୍ବାର ଶ୍ରୀମନ୍ଦିରର ଦେବତ୍ୱକୁ କ୍ଷୁର୍ଣ୍ଣ କରିବାକୁ ଅପଚେଷ୍ଟା କରନ୍ତି ତାହାଲେ ଆଗାମୀ ଦିନରେ ବିଜେପି ବ୍ୟାପକ ଜନଆନ୍ଦୋଳନ କରିବ ବୋଲି ଡ. ମହାନ୍ତି ଦୃଢ଼କ୍ତି ପ୍ରକାଶ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
[ad_2]




