ରାଜ୍ୟ

ନୂଆବର୍ଷରେ ଶ୍ରୀକ୍ଷେତ୍ର ଲୋକାରଣ୍ୟ; ୫ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତ – Ibnodisha

[ad_1]

ଭକ୍ତଙ୍କୁ ଆକୃଷ୍ଟ କରିଛି ବହୁ ଆକାଂକ୍ଷିତ ‘ପରିକ୍ରମା ପ୍ରକଳ୍ପ’
ବାଧାମୁକ୍ତ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା
ଦିବ୍ୟାଙ୍ଗ, ବରିଷ୍ଠ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି
ସଅଳ ନୀତିକାନ୍ତି, ଧାର୍ଯ୍ୟ ସମୟରେ ମହାପ୍ରସାଦ
ପୁଲିସ ଓ ପ୍ରଶାସନ ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା

ପୁରୀ : ୨୦୨୩ ବିଦାୟ ନେଇଥିବା ବେଳେ ୨୦୨୪ କୁ ଜୋରଦାର ସ୍ୱାଗତ କରିଛନ୍ତି ସାରା ବିଶ୍ୱବାସୀ । ତେବେ ନବବର୍ଷ ସୁଖ, ସମୃଦ୍ଧି ସହ ମଙ୍ଗଳମୟ ହେବ ବୋଲି ସମସ୍ତଙ୍କର ଆଶା ରହିଛି । ଏହି ପରିପ୍ରେକ୍ଷୀରେ ବିଶ୍ୱ ନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟକୁ ଧାଇଁ ଆସିଛନ୍ତି ଲକ୍ଷାଧିକ ଭକ୍ତ । ନବବର୍ଷର ପ୍ରଥମ ଦିନରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ନିଜର ସମୃଦ୍ଧି ଓ ଉନ୍ନତି ପାଇଁ ପ୍ରାର୍ଥନା କରିଛନ୍ତି ଭକ୍ତ । ସେପଟେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ।

ଇଂରାଜୀ ନବ ବର୍ଷର ପ୍ରଥମ ଦିନରେ ମହୋଦଧିରେ ସୂର୍ଯ୍ୟୋଦୟ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ତାଙ୍କ ଆଶୀଷ ନେବା ପାଇଁ ପୁରୀକୁ ଛୁଟିଥିଲା ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ । ନବବର୍ଷ ପାଇଁ ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସଅଳ ନୀତିକାନ୍ତି ସହ ରାତ୍ର ୯ଟା ୪୦ରେ ରାତ୍ର ପହୁଡ଼ କରାଯାଇ ରାତ୍ର ୧ଟା ବେଳେ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା । ପରେ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିବା ପରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ଜଗା ଦୁଆରେ ଲାଗିଥିଲା ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ । ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ବଡ଼ଦାଣ୍ଡର ମାର୍କେଟ ଛକ ପାଖାପାଖି ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଲାଗିଥିଲା ଭକ୍ତଙ୍କ ଲମ୍ବା ଲାଇନ୍ । ବିଭିନ୍ନ ଆକର୍ଷଣୀୟ ଫୁଲ ଓ ସାଜସଜ୍ଜାରେ ଝଲସୁଛି ଶ୍ରୀମନ୍ଦିର ସିଂହଦ୍ୱାର । ୨୦୨୪ ନବବର୍ଷରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବଡ଼ଦାଣ୍ଡରେ । ନବବର୍ଷ ସୁଖ, ସମୃଦ୍ଧି ପୂର୍ଣ୍ଣ ହେଉ ବୋଲି ଆଶା ନେଇ ମହାପ୍ରଭୁଙ୍କ ପାଖକୁ ଧାଇଁ ଆସିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ତାଙ୍କରି ଆଶୀର୍ବାଦରେ ବର୍ଷ ୨୦୨୪ ସମ୍ପୂର୍ଣ୍ଣ ଭଲରେ କଟୁ ବୋଲି ପ୍ରାର୍ଥନା କରିଛନ୍ତି ଭକ୍ତ ।

ନବବର୍ଷରେ ଶ୍ରୀକ୍ଷେତ୍ର ଆସିଥିବା ଭକ୍ତ ଏକ ନୂଆ ଅନୁଭୂତି ନେଇ ଫେରିଛନ୍ତି । ଭକ୍ତମାନେ ବ୍ୟାରିକେଡରେ ଦୀର୍ଘ ସମୟ ଠିଆ ହୋଇ ଯେଭଳି କଷ୍ଟ ନପାଇବେ ସେଥିପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇଥିବା ଏସି ସେଡ୍ ପାଥ୍ ୱେରେ ଭକ୍ତଙ୍କୁ ଛଡ଼ା ଯାଇଥିଲା । ସମ୍ପୂର୍ଣ ଶୀତତାପ ନିୟନ୍ତ୍ରିତ ଏହି ସେଡ୍ ପାଥ୍ ୱେ ରେ ଭକ୍ତଙ୍କ ବସିବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଭକ୍ତମାନେ ଶୀତତାପ ନିୟନ୍ତ୍ରିତ ଟନେଲ ଓ ଅଭ୍ୟର୍ଥନା କେନ୍ଦ୍ର ଦେଇ ଶ୍ରୀମନ୍ଦିରକୁ ୍ରପ୍ରବେଶ ସହ ମହାପ୍ରଭୁଙ୍କୁ ଦର୍ଶନ ପରେ ଉତ୍ତରଦ୍ୱାର ଦେଇ ମନ୍ଦିରରୁ ବାହାରକୁ ବାହାରିଛନ୍ତି । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଶିଶୁଙ୍କୁ ସାଥୀରେ ନେଇ ଆସିଥିବା ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା ଯୋଗୁଁ ସେମାନେ ବିନା ବାଧାରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଅନୁରୂପ ଭାବରେ ସହଳ ନୀତିକାନ୍ତି ଓ ଧାର୍ଯ୍ୟ ସମୟ ପୂର୍ବରୁ ମହାପ୍ରସାଦ ଲାଗି ଯୋଗୁଁ ଭକ୍ତମାନେ ମଧ୍ୟ ଆନନ୍ଦିତ ହୋଇଛନ୍ତି ।

ଶୃଙ୍ଖଳିତ ଦର୍ଶନ ନିମନ୍ତେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି କେ. ବିଶାଳ ସିଂ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀମାନଙ୍କ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ରାଜ୍ୟ ବାହାରୁ ଆସିଥିବା ଭକ୍ତମାନେ ଦର୍ଶନ ନିମନ୍ତେ ରାଜ୍ୟ ସରକାର ଓ ପ୍ରଶାସନର କାର୍ଯ୍ୟକୁ ମୁକ୍ତ କଣ୍ଠରେ ପ୍ରଶଂସା କରିଛନ୍ତି । ଭକ୍ତଙ୍କ ସୁରକ୍ଷା ପାଇଁ ୮୨ ପ୍ଲାଟୁନ ପୁଲିସ ଫୋର୍ସ, ଶ୍ରୀମନ୍ଦିର ଭିତରେ, ବାହାରେ, ବଡ଼ଦାଣ୍ଡ ଓ ସମୁଦ୍ର କୂଳ ସହ ସହରର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି । ସେପଟେ ଆଜିଠାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଶାଳିନତା ପୂର୍ଣ୍ଣ ପୋଷାକ ପିନ୍ଧିବା ନିୟମକୁ କଡ଼ାକଡ଼ି କରାଯାଇଥିବାରୁ ଭକ୍ତମାନେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି । ସେହିପରି ଆଜିଠାରୁ ମଧ୍ୟ ଶ୍ରୀମନ୍ଦିର ଭିତରେ ପାନ ଗୁଟଖା ସେବନ ଓ ପଲିଥିନ, ପ୍ଲାଷ୍ଟିକ ବ୍ୟବହାର କଟକଣା କୁ ଅଧିକ କଡ଼ାକଡ଼ି କରାଯାଇଛି । ଶ୍ରୀକ୍ଷେତ୍ରରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଏକ ଦିବ୍ୟ ଅନୁଭୂତି ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ପ୍ରକଳ୍ପର ପରିକଳ୍ପନା କରିଛନ୍ତି । ଏହା ଆସନ୍ତା ୧୭ ତାରିଖରେ ଉଦ୍‌ଘାଟନ ହେବ । ‘୫-ଟି’ ତଥା ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିୟମିତ ଭାବରେ ଏହି ପ୍ରକଳ୍ପର ଅନୁଧ୍ୟାନ ସହ କାର୍ଯ୍ୟଗୁଡ଼ିକର ସମୀକ୍ଷା କରୁଛନ୍ତି ।

ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀମନ୍ଦିର ଓ ଏହାର ଚତୁଃର୍ପାର୍ଶ୍ୱରେ ସୁବିଧା ସୁଯୋଗ କରାଯାଇଛି । ଏପରିକି ପରିକ୍ରମା ଅଞ୍ଚଳ ମଧ୍ୟରେ ଭକ୍ତଙ୍କ ବାଧାମୁକ୍ତ ବିଚରଣ, ଶ୍ରୀମନ୍ଦିରର ଚତୁଃପାର୍ଶ୍ୱ ଦର୍ଶନ, ପରିକ୍ରମଣ ଏବଂ ବଡ଼ ଦେଉଳରେ ପ୍ରତିଦିନ ହେଉଥିବା ପତାକା ପରିବର୍ତ୍ତନର ଦୃଶ୍ୟ ଦର୍ଶନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ମେଘନାଦ ପାଚେରୀ ଚାରିପଟେ ଅଳ୍ପ ଦୂରତାରେ ଖଣ୍ଡେଲାଇଟ୍ ପଥରେ ସ୍ୱଳ୍ପ ଉଚ୍ଚତାର ପଥର ବ୍ୟାରିକେଡ଼ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଛି । ସେହିପରି ସ୍ଥାନାନ୍ତରଣକ୍ଷମ ଗଛ ଚାରା ମନ୍ଦିର ଚାରିପଟେ ଘନ ସବୁଜ ଉଦ୍ୟାନର ଭ୍ରମ ସୃଷ୍ଟି କରିଛି । ଶ୍ରୀ ପାଣ୍ଡିଆନ ନିୟମିତ ବ୍ୟବଧାନରେ ପୁରୀରେ ଏହି କାର୍ଯ୍ୟଗୁଡ଼ିକୁ ବ୍ୟକ୍ତିଗତ ଭାବରେ ଅନୁଧ୍ୟାନ କରି ଏହାର କାର୍ଯ୍ୟାନ୍ୱୟନ କରୁଛନ୍ତି । ଅନୁରୂପ ଭାବରେ ପୁରୀ ଜନସାଧାରଣ, ଛୋଟ ବ୍ୟବସାୟୀ, ସେବାୟତମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ତାହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ପାଣ୍ଡିଆନ । ଯେଉଁଥିପାଇଁ ପୁରୀକୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ପୂର୍ବରୁ ନୂଆ ବର୍ଷରେ ପୁରୀକୁ ଲକ୍ଷେରୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ହେଉଥିବାବେଳେ ଚଳିତ ବର୍ଷ ଏହା ୩ରୁ ୪ଗୁଣ ବୃଦ୍ଧି ପାଇ ୫ ଲକ୍ଷ ଅତିକ୍ରମ କରିଛି । ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷ ଲାଭ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋଭନୀୟ ଶୋଭା ଭକ୍ତଙ୍କୁ ଆନନ୍ଦ ପ୍ରଦାନ କରୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button