ଗ୍ୟାସ୍ରେ ଚାଲିବ ବସ୍: ଗାଡ଼କଣରେ ହେବ ହାଇଡ୍ରୋଜେନ୍ ପ୍ଲାଣ୍ଟ୍

ଭୁବନେଶ୍ୱର: ହାଇଡ୍ରୋଜେନ୍ ଗ୍ୟାସ୍ରେ ଚାଲିବ ବସ୍। ଡିଜେଲ୍ ବ୍ୟବହାର ସହ ପ୍ରଦୂଷଣ ମଧ୍ୟ କମିବ। ରାଜ୍ୟରେ ‘ଗ୍ରିନ୍ ହାଇଡ୍ରୋଜେନ୍ ମୋବିଲିଟି ପ୍ରୋଜେକ୍ଟ’ ଆରମ୍ଭ କରିବାକୁ ସରକାର ପ୍ରଥମ ପଦକ୍ଷେପ ନେଇଛନ୍ତି। ଏନେଇ ଆଜି କ୍ୟାପିଟାଲ୍ ରିଜିୟନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍), ଗ୍ରିଡ୍କୋ ଓ ଏନ୍ଟିପିସି ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହେଦଓ, ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ(ଏଚ୍ ଆଣ୍ଡ୍ ୟୁଡି) ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ କ୍ରୁଟ୍ ଏମ୍ଡି ତିରୁମାଲା ନାୟକ, ଏନଟିପିସି ସିଜିଏମ୍ ଡିଏମ୍ ଆର୍ ପଣ୍ଡା, ଗ୍ରିଡ୍କୋ ଏମ୍ଡି ତ୍ରିଲୋଚନ ପଣ୍ଡା ଏହି ରାଜିନାମା ସ୍ବାକ୍ଷର କରିଛନ୍ତି। ଏଚ୍ ଆଣ୍ଡ୍ ୟୁଡି ପ୍ରମୁଖ ସଚିବ ଉଷା ପାଢ଼ୀ ପ୍ରକଳ୍ପ ସମ୍ବନ୍ଧରେ ସୂଚନା ଦେଇଥିବା ବେଳେ ଶକ୍ତି ସଚିବ ବିଶାଳ ଦେବ ଉପସ୍ଥିତ ଥିଲେ।
ଗ୍ରିନ୍ ହାଇଡ୍ରୋଜେନ୍ ମୋବିଲିଟି ପ୍ରୋଜେକ୍ଟ ପାଇଁ ତ୍ରିପାକ୍ଷିକ ବୁଝାମଣା
ଆସନ୍ତା ପାଞ୍ଚ ବର୍ଷ ପାଇଁ କାର୍ଯ୍ୟକାରୀ ହେବାକୁ ଥିବା ଏମଓୟୁରେ ହାଇଡ୍ରୋଜେନ୍ ଚାଳିତ ବସ୍ଗୁଡ଼ିକର ସୁପରିଚାଳନା ଦାୟିତ୍ୱ କ୍ରୁଟ୍ ନେବ। ଏନ୍ଟିପିସି ହାଇଡ୍ରୋଜେନ୍ ଉତ୍ପାଦନ ଓ ଗ୍ରିଡ୍କୋ ଅକ୍ଷୟ ଶକ୍ତି ଯୋଗାଣ ଉପରେ ଧ୍ୟାନ ଦେବ। ଜାତୀୟ ଗ୍ରିନ୍ ହାଇଡ୍ରୋଜେନ୍ ମିସନ୍ ଅଧୀନରେ ପରିବହନ କ୍ଷେତ୍ରରେ ସବୁଜ ହାଇଡ୍ରୋଜେନ୍ ବ୍ୟବହାର ପାଇଁ ଏଭଳି ପାଇଲଟ୍ ପ୍ରୋଜେକ୍ଟ ହାତକୁ ନିଆଯାଇଛି। ଅଟୋମେଟିଭ୍ ରିସର୍ଚ୍ଚ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏହି ପ୍ରକଳ୍ପରେ ୧୯.୫ କୋଟି ଅର୍ଥରାଶି ବିନିଯୋଗ କରିଛି। ଏନ୍ଟିପିସି ଦ୍ୱାରା ତିନିଟି ହାଇଡ୍ରୋଜେନ୍ ଚାଳିତ ବସ୍ ନିୟୋଜିତ ହେବ। ଡିଜେଲ ବସ୍ର ସ୍ଥାୟୀ ବିକଳ୍ପ ଭାବେ ଏହି ବସ୍ର ଡିଜାଇନ୍ କରାଯାଇଛି। ୧ କେଜି ହାଇଡ୍ରୋଜେନ୍ ବ୍ୟବହାରରେ ଏହି ବସ୍ ୧୨ କିମି ଯିବ। ବସ୍ର ଇନ୍ଧନ କ୍ଷମତା ୫୮ କେଜି ଓ ୪୨ଟି ସିଟ୍ ରହିବ। ୬୦୦ କିମି ପର୍ଯ୍ୟନ୍ତ ବସ୍ ଚଳାଚଳ କରିପାରିବ। ଏନ୍ଟିପିସି କ୍ରୁଟ୍ର ଗାଡ଼କଣ ମୋ ବସ ଡିପୋରେ ହାଇଡ୍ରୋଜେନ୍ ଉତ୍ପାଦନ ପ୍ଲାଣ୍ଟ୍ ପ୍ରତିଷ୍ଠା କରିବ। କ୍ରୁଟ୍ ଡିପୋରେ ପୁର୍ବରୁ ଥିବା ଇଟିପି ଓ ଏସ୍ଟିପି ପ୍ଲାଣ୍ଟ୍କୁ ବ୍ୟବହାର କରି ହାଇଡ୍ରୋଜେନ୍ ଗ୍ୟାସ୍ ଉତ୍ପାଦନ କରିବ। ଏନ୍ଟିପିସିକୁ ୨ଏକର ଜାଗା ଦେବାକୁ ଶକ୍ତି ବିଭାଗ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ଅନୁରୋଧ କରିଛି। ଗ୍ରିଡ୍କୋ ଏହି ପ୍ଲାଣ୍ଟକୁ ୨ମେଗା ୱାଟ୍ ବିଦ୍ୟୁତ୍ ଯୋଗାଣ କରିବ।




