ରାଜ୍ୟ

ହୁ ହୁ ହୋଇ ଜଳିଗଲା ଗୋଦାମ: କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ଭସ୍ମ

ଭୁବନେଶ୍ବର: ସତ୍ୟନଗରରେ ଥିବା ଇଲେକ୍ଟ୍ରୋନିକ୍ସ ଗୋଦାମରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଚାହୁ ଚାହୁ କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ ଓ ଷ୍ଟ୍ରାଇକିଂ ଫୋର୍ସର ୨୫୦ କର୍ମଚାରୀ ୩ଘଣ୍ଟା ନୟାନ୍ତ ହୋଇଛନ୍ତି। ପ୍ରଥମ ଥର ପାଇଁ ରୋବଟ୍‌ ନିଆଁ ଲିଭା କାମରେ ଲାଗିଛି। ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ଗୋଟିଏ ହେଲେ ସାମଗ୍ରୀ ଉଦ୍ଧାର ହୋଇ ପାରି ନାହିଁ। ନିଆଁ କେଉଁ କାରଣରୁ ଲାଗିଲା ତାହା ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟରୁ ଲାଗିଥିବା ସନ୍ଦେହ କରାଯାଉଛି।

କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ଭସ୍ମ, ନିଆଁ ଲିଭାଇଲା ରୋବଟ୍‌

ସୂଚନାନୁସାରେ, ଖାରବେଳନଗର ଥାନା ସତ୍ୟନଗରରେ ପିଏସ୍‌ପି ଡିଷ୍ଟ୍ରିବ୍ୟୁଟରର ଗୋଦାମ ରହିଛି। ଆଜି ସନ୍ଧ୍ୟା ୬ଟା ବେଳେ ଏହି ଗୋଦାମ ବନ୍ଦ ହୋଇଥିଲା। ପ୍ରାୟ ସାଢ଼େ ୭ଟା ବେଳେ ଗୋଦାମ ଭିତରୁ ଧୁଆଁ ବାହାରୁ ଥିବା ଦେଖି କିଛି ଲୋକ ଗୋଦାମ ମାଲିକଙ୍କୁ ଖବର ଦେଇଥିଲେ। କିଛି କର୍ମଚାରୀ ଗୋଦାମ ‌କବାଟ ଖୋଲି ପାଇପ ସାହାଯ୍ୟରେ ନିଆଁ ଆ‌ୟତ୍ତ କରିବାକୁ ଉଦ୍ୟମ କରିଥିଲେ। ହେଲେ ଚାହୁ ଚାହୁ ଗୋଦାମ ହୁ ହୁ ହୋଇ ଜଳିଥିଲା। ଖରା ଦିନ ପାଇଁ ଗୋଦାମ ଭିତରେ କୁଲର, ଟେବୁଲ ଫ୍ୟାନ, ୱାଲ ଫ୍ୟାନ, ସିଲିଂ ଫ୍ୟାନ ସହ ଆଇରନ, ଇଣ୍ଡକସନ୍ ଚୁଲା ଆଦି ଇଲେକଟ୍ରୋନିକ୍ସ ସାମଗ୍ରୀ ଭର୍ତ୍ତି ହୋଇ ରହିଥିଲା। ଫଳରେ ଜଲ୍‌ଦି ନିଆଁ ଧରିଥିଲା। ସାରା ଗୋଦାମକୁ ବ୍ୟାପୀ ଯାଇଥିଲା। ପୁଲିସ ଓ ଅଗ୍ନିଶମ ବିଭାଗ ଖବର ପାଇ ପହଞ୍ଚିଥିଲେ। କଳ୍ପନାସ୍ଥିତ ଅଗ୍ନିଶମ ବିଭାଗର ଏକ ଗାଡ଼ି ଆସି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ନିଆଁର ପ୍ରକୋପ ଏତେ ଥିଲା ଯେ ସମ୍ଭବ ହୋଇ ନଥିଲା। ପରେ ସଚିବାଳୟ, କଟକ, ତ‌ମାଣ୍ଡୋରୁ ପ୍ରାୟ ୧୫ଟି ଗାଡ଼ି ସହ ଓଡ୍ରାଫ୍ ଟିମ୍, ଷ୍ଟ୍ରାଇକିଂ ଟିମର ପ୍ରାୟ ୨୫୦ କର୍ମଚାରୀ ପହଞ୍ଚିଥିଲେ।

ପ୍ରବଳ ଧୁଆଁ ଓ ଉତ୍ତାପ କାରଣରୁ ଅଗ୍ନିଶମ କର୍ମଚାରୀମାନେ ଗୋଦାମ ମଧ୍ୟକୁ ପଶି ପାରି ନଥିଲେ। ଏଣୁ ପ୍ରଥମ ଥର ପାଇଁ ନିଆଁ ଲିଭା କାର୍ଯ୍ୟରେ ରୋବଟ୍‌ ବ୍ୟବହାର କରାଯାଇଥିଲା। ରୋବଟ୍‌ ଗୋଦାମ ଭିତରକୁ ଯାଇ ନିଆଁ ଲିଭାଇଥିଲା। ପ୍ରାୟ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇପାରିଥିଲା। ସେତେବେଳକୁ ଗୋଦାମରେ ଥିବା ପ୍ରାୟ ସବୁ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡର କାରଣ ନେଇ ଅଗ୍ନିଶମ ବିଭାଗ ତଦନ୍ତ କରୁଛି। ଏତେ ବଡ଼ ଗୋଦାମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା‌ ରହିଥିଲା କି ନାହିଁ ତାହା ମଧ୍ୟ ଅନୁସନ୍ଧାନ କରୁଛି। ତେବେ ଏହି ଗୋଦାମ ବ୍ୟତୀତ ଅନ୍ୟ ଜାଗାକୁ ନିଆଁ ବ୍ୟାପୀ ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button