ରାଜ୍ୟ

ସରକାରୀ ଜାଗା ବୋଲି ଅଧା ନିର୍ମାଣ ପରେ ଜାଣିଲେ, ମାପଚୁପ ପରେ କାମ ବନ୍ଦ

ଭୁବନେଶ୍ବର: ଭୀମପୁର ମୌଜା ଗଙ୍ଗନଗରରେ ସରକାରୀ ଜାଗାରେ ଚାଲିଥିବା ନିର୍ମାଣ ଅଭିଯୋଗର ଆଜି ଯୁଗ୍ମ ତଦନ୍ତ ହୋଇଛି। ସାଧାରଣ ପ୍ରଶାସନ(ଜିଏ), ବିଡିଏ, ବିଏମ୍‌ସି ମିଳିତ ଭାବେ ମାପଚୁପ କରିଛନ୍ତି। ମାପଚୁପ ବେ‌ଳେ କେଳେଙ୍କାରୀ ଧରାପଡ଼ିଛି। ଯେଉଁ ଘରୋଇ ଜମିରେ ବିଏମ୍‌ସି ପ୍ଲାନ୍‌ ଦେଇଛି ସେ ଜମି ସହ ସରକାରୀ ଜମିରେ ମଧ୍ୟ ନିର୍ମାଣ ଚାଲିଥିବା ଜଣାପଡ଼ିଛି। ଏଣୁ ବିଏମ୍‌ସି ତୁରନ୍ତ ନିର୍ମାଣ ବନ୍ଦ କରିବା ପାଇଁ ନୋଟିସ୍‌ କରିଛି। ଆଜି ହୋଇଥିବା ତଦନ୍ତର ଜିଏ ଏହି ଯୁଗ୍ମ ରିପୋର୍ଟ ପ୍ରସ୍ତୁତ କରୁଛି। ରିପୋର୍ଟ ଆଧାରରେ ବିଏମ୍‌ସି ପ୍ଲାନ୍‌ ବାତିଲ୍‌ କରିବ। ପୂର୍ବରୁ ବିଡିଏକୁ ଜିଏ ଉଚ୍ଛେଦ ପାଇଁ ଚିଠି ଲେଖିଥିଲା। ସେହି ଚିଠି ଆଧାରରେ ବିଡିଏ ମଧ୍ୟ ଉଚ୍ଛେଦ କରିବ ବୋଲି ଜଣାପଡ଼ିଛି। ୫୨ ନଂ ୱାର୍ଡର ଭୀମପୁର ମୌଜା ଖାତା ସଂଖ୍ୟା ୭୪୦ ପ୍ଲଟ୍‌ ନଂ ୫୦ରେ ଥିବା ୬୧୦ ଡେସିମିଲ୍‌ ଜମି ଜିଏ ବିଭାଗ ଅଧୀନରେ ରହିଛି। ଯେଉଁଥି‌ରେ ବେଆଇନ ନିର୍ମାଣ ହେଉଥିଲା।

ଏ ନେଇ ଗତ ମାସ ୨୩ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଜିଏ ତତ୍ପର ହୋଇଥିଲା। ଘର କରୁଥିବା ଲୋକକୁ ନୋଟିସ୍‌ ଦେଇଥିଲା। ତେବେ ତାହା ଘରୋଇ ଜମି ଓ ବିଏମ୍‌ସି ନିର୍ମାଣ କରିବା ପାଇଁ ପ୍ଲାନ୍‌ ମଧ୍ୟ ଆପ୍ରୁଭ୍‌ କରିଛି ନୋଟିସ୍‌ର ଉତ୍ତରରେ ଜିଏ ଜାଣିବା ପରେ ଏହାର ଯୁଗ୍ମ ତଦନ୍ତ ବା ମାପଚୁପ ହେବା ପାଇଁ ଯୋଜନା ହୋଇଥିଲା। ଆଜି ପୂର୍ବାହ୍ନ ୧୧ଟା ବେଳେ ତିନିଟି ସଂସ୍ଥାର ଅଧିକୃତ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମାପଚୁପ କରିଥି‌ଲେ। ମାପଚୁପ ବେଳେ ଘରୋଇ ଜମିର ତିନିଗୁଣା ସରକାରୀ ଜମିରେ ଘର ତିଆରି ହେଉଥିବା ଜଣାପଡ଼ିଥିଲା। ଏବେ ପ୍ରଶ୍ନ ଉଠୁଛି କି, ଏଭଳି କେଳେଙ୍କାରୀ ଗୋଟିଏ ନା ଆହୁରି ଅନେକ ଅଛି? କେବଳ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଧରପଗଡ଼ ହେଉଛି ନା ସ୍ବତଃପ୍ରବୃତ୍ତ ଭାବରେ ଏହି ସବୁ ବିଭାଗ ଜବରଦଖଲ ରୋକିବା ପାଇଁ ପ୍ରୟାସ କରୁଛି?

ସୂଚନାଯୋଗ୍ୟ, ଏହି ଜମିର କିଛି ଅଂଶରେ ପ୍ରାୟ ୧୫ଟି ଜବରଦଖଲ ଥିଲା। ଦୀର୍ଘ କାଳ ଧରି ଏଠାରେ ୧୫ ପରିବାର ଘର କରି ରହୁଥିଲେ। ରାଜୀବ ଆବାସ ‌ଯୋଜନା (ରେ) ସର୍ଭେ ସମୟରେ ସେମାନଙ୍କୁ ଚିହ୍ନଟ କରି ବିଏମ୍‌ସି ଘରଗୁଡ଼ିକୁ ଜିଓ ଟ୍ୟାଗିଂ କରିଥିଲା। ‌ସେମାନେ ରେ’ରେ ସାମିଲ୍‌ ହେବା ପରେ ସେମାନଙ୍କୁ ହଟାଯାଇ ନିର୍ମାଣ ଆରମ୍ଭ ହୋଇଥିଲା। ଗଙ୍ଗନଗରରୁ ଓୟୁଏଟି ମୁଖ୍ୟ ରାସ୍ତା କଡ଼ରେ ପ୍ରଥମ ମହଲା ଛାତ ପଡ଼ିବା ପର୍ଯ୍ୟନ୍ତ ନିର୍ମାଣ ଚାଲିଥିଲେ ମଧ୍ୟ କୌଣସି ସଂସ୍ଥା ଏହା ଉପରେ ନଜର ଦେଇ ନଥିଲା। ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଏହି ତିନି ବିଭାଗ ତତ୍ପର ହୋଇଥିଲେ। ତେବେ ଯେଉଁମାନେ ଏଠାରେ ରହି ରେ’ ରେ ସାମିଲ ହେଲେ ସେମାନଙ୍କ ଅବସ୍ଥା କଣ ହେବ? ସେମାନଙ୍କୁ ଘର ମିଳିବ କି ନାହିଁ? ଏ ସବୁ ଉପରେ ବିଏମ୍‌ସି ବିଚାର କରୁଥିବା କହିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button