ରାଜ୍ୟ

ଟାୱାର ବସିଛି, ନେଟ୍‌ୱର୍କ ଆସୁନି: ପାହାଡ଼, ଗଛ ଚଢ଼ିଲେ ଲାଗୁଛି ଫୋନ୍‌

ଳାବାଡ଼ିଆ: ବହୁବର୍ଷର ଦାବିପରେ ବସିଥିଲା ମୋବାଇଲ୍ ଟାୱାର। ଉପାନ୍ତ ଅଞ୍ଚଳର ଲୋକେ ଭାବିଥିଲେ ଆଉ ଫୋନ୍ କରିବା ପାଇଁ ପାହାଡ଼ କିମ୍ବା ଗଛ ଚଢ଼ିବାକୁ ପଡ଼ିବନି। ୧୦୮ ଆମ୍ବୁଲାନ୍ସ, ଦମକଳ ସେବା ଘର ପାଖରେ ପହଞ୍ଚିବ। ତେବେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍ ଅଧୀନ ଚାକିଡ଼ି, ବ୍ରାହ୍ମଣଗାଁ ଓ ସୋରିଷପାଳ ପଞ୍ଚାୟତର ଲୋକଙ୍କ ଆଶା କେବଳ ଆଶାରେ ରହିଗଲା।

ଚାକିଡ଼ି ପଞ୍ଚାୟତର ସରପଞ୍ଚ ବିକ୍ରମ ମୁର୍ମୁ ଓ ଆଖପାଖ ଗ୍ରାମର ଲୋକଙ୍କ ଦାବି ପରେ ବର୍ଷ ବର୍ଷ ଧରି ଅନ୍ଧାରରେ ଥିବା ଚାକିଡ଼ିକୁ ଚଳିତ ବର୍ଷ ଜାନୁଆରିରେ ପ୍ରଥମକରି ବିଦ୍ୟୁତ୍ ସଂଯୋଗ ହେବାସହ ମୋବାଇଲ୍ ସେବା ପାଇଁ ବିଏସ୍ଏନ୍ଏଲ୍ ଟାୱାର ବସିଥିଲା। ହେଲେ ପୁରୁଣା କି-ପେଡ୍ ମୋବାଇଲ୍ରେ ଏହି ଟାୱାରରୁ ନେଟ୍ୱର୍କ ଧରୁନି। ପୂର୍ବଭଳି ଲୋକଙ୍କୁ ଫୋନ୍ କରିବା ପାଇଁ ଗଛ ଚଢ଼ିବାକୁ ପଡ଼ୁଛି। ଛାତ୍ରଛାତ୍ରୀଙ୍କ ଅନ୍ଲାଇନ୍ ପାଠପଢ଼ା ଏଠି ସାତସପନ।

ସେହିପରି ବ୍ରାହ୍ମଣ ଗାଁ ଓ ସୋରିଷପାଳ ପଞ୍ଚାୟତ ପାଇଁ ଚୋରାବନ୍ଧ ଓ ଧଡ଼ିପାଣିରେ ଦୁଇଟି ନୂତନ ଟାୱାର ନିର୍ମାଣ ହୋଇଥିଲେ ବି ଆବଶ୍ୟକ ଯନ୍ତ୍ରାଂଶ ଲଗାଯାଉନି କି ଏହାକୁ କାର୍ଯ୍ୟକ୍ଷମ କରାଯାଇନି। କୁମ୍ଭୀରମୁଣ୍ଢିଠାରେ ଏକ ଟାୱାର ନିର୍ମାଣ କାର୍ଯ୍ୟ ଅଧାରେ ଅଟକିଛି। ଏଥିପାଇଁ ରେଙ୍ଗାଲବେଡ଼ା, ଶାଳଘାଟି ପରି ପାହାଡ଼ ଜଙ୍ଗଲ ପାଖରେ ଥିବା ଗ୍ରାମବାସୀ ଅଧିକ ହଇରାଣ ହେଉଛନ୍ତି। ଏ ନେଇ ୨ ମାସ ପୂର୍ବରୁ ଚାକିଡ଼ି ସରପଞ୍ଚ ଶ୍ରୀ ମୁର୍ମୁ ଓ ବ୍ରାହ୍ମଣ ଗାଁ ସରପଞ୍ଚ ପ୍ରଦୀପ କୁମାର ସୋରେନଙ୍କ ସହ କିଛି ଗ୍ରାମବାସୀ ଭୁବନେଶ୍ବର ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିଥିଲେ। ହେଲେ ଏବେ ସୁଦ୍ଧା ସମସ୍ୟା ସମାଧାନ ହୋଇନି। ଏହି ୩ ପଞ୍ଚାୟତ, ବାଙ୍ଗିରିପୋଷି ବ୍ଲକ୍ ମୁଖ୍ୟାଳୟରୁ ପ୍ରାୟ ୨୦ ରୁ ୩୨ କିଲୋମିଟର ଦୂରରେ ଥିବାରୁ ପ୍ରଶାସନ ଏଥିପ୍ରତି ନଜର ଦେବାକୁ ଦାବି ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button