ରାଜ୍ୟ

ଜମୁଛି ଖଣ୍ଡଗିରି ମେଳା: ଉପରେ ଭଜନ-କୀର୍ତ୍ତନ ‌ ତଳେ ମନୋରଞ୍ଜନ

ଖଣ୍ଡଗିରି: ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳାରେ ଜନଗହଳି ବଢ଼ିବାରେ ଲାଗିଛି। ଏବେ ପାହାଡ଼ ଉପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଦିନବେଳା ହୋମଯଜ୍ଞ ଚାଲୁଥିବା ବେଳେ ସଞ୍ଜ ହେଲେ ଭଜନ କୀର୍ତ୍ତନରେ ପରିବେଶ ପ୍ରକମ୍ପିତ ହେଉଛି। କେଉଁଠି ଖଞ୍ଜଣି ମାଡ଼ ଚାଲିଛି ତ କେଉଁଠି ମୃଦଙ୍ଗ ପରିବେଶକୁ ଆଧ୍ୟାତ୍ମିକତାରେ ଭରି ଦେଉଛି। ଏଣେ ପାହାଡ଼ ପାଦଦେଶରେ ବସିଥିବା ମେଳା ବି ବେଶ୍‌ ଲୋକାରଣ୍ୟ ହେଉଛି। ଦିନରେ ଲୋକେ ମେଳା ବୁଲିବାରୁ ମଜା ଉଠାଉଥିବା ବେଳେ ସଂଧ୍ୟାରେ ଐର ଖାରବେଳ ମହୋତ୍ସବ ଦର୍ଶକଙ୍କ ମନୋରଞ୍ଜନ କରୁଛି।

ମନୋହରି ସାମଗ୍ରୀ ପାଇଁ ଗହଳି
ମେଳାରେ ବହୁ ପ୍ରକାର ମନୋହରି ଜିନିଷର ପସରା ମେଲିଛି। ମହିଳାମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଅଧିକ ବିକ୍ରି ହେଉଛି। ଚୁଡ଼ିଠାରୁ ଶାଢ଼ି ପର୍ଯ୍ୟନ୍ତ ସବୁ ବିକ୍ରି ହେଉଛି। ଚୁଡ଼ିବାଲାଙ୍କ ଠେଲା ଗାଡ଼ି ଲାଇନ୍‌ ହୋଇ ରହୁଛି ଓ ସେଠାରେ ମହିଳାମାନଙ୍କ ନାହିଁ ନଥିବା ଭିଡ଼ ହେଉଛି। ତେବେ ଘରକରଣା ଜିନିଷ ଦୋକାନ ଆଗରେ ରହୁଛି ଅଧିକ ଗହଳି। ବାଉଁଶ ତିଆରି ଜିନିଷ ସାଙ୍ଗକୁ ଖଜୁରି ଝାଡ଼ୁ ବେପାର ବଢ଼ୁଥିବା ଦେଖିବାକୁ ମିଳୁଛି। ମେଳାରେ ଜିନିଷ କିଣିବାର ମଜା ନିଆରା ବୋଲି କିଛି ଗ୍ରାହକ କୁହନ୍ତି।

୫ଟଙ୍କିଆ ହରେକମାଲ୍‌ରେ ମନ
ଏଥର ମେଳାରେ ବହୁ ପ୍ରକାର ମନୋହରି ଜିନିଷର ପସରା ମେଲିଛି। ହେଲେ ହରେକମାଲ୍‌ ସାମଗ୍ରୀ ପାଖରେ ଅଧିକ ଗହଳି ହେଉଛି। ୫ଟଙ୍କିଆ ହରେକମାଲ୍‌ ରବର୍‌ ବ୍ୟାଣ୍ଡ୍‌, କ୍ଲିପ୍‌, ଛୁରି, ଟିକିଲି ଓ ରାଜସ୍ଥାନୀ ଚୁଡ଼ି କିଣିବାକୁ ମହିଳାମାନେ ବେଶି ପସନ୍ଦ କରୁଛନ୍ତି। ସବୁଠାରୁ ବଡ଼ କଥା ହେଲା ଦୋକାନରେ ଏତେ ଗହଳି ହେଉଛି ଯେ, ଗ୍ରାହକଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button