ଉଧାର ଟଙ୍କା ପାଇଁ ଗଡ଼ିଲା ମୁଣ୍ଡ – Ibnodisha

[ad_1]
ଗଞ୍ଜାମ: ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମରେ ଶନିବାର କୋଡ଼ି ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଉକ୍ତ ଗ୍ରାମର ବିଜୟ ପାଣିଗ୍ରାହୀ (୩୩) । ହତ୍ୟା ଅଭିଯୋଗରେ ପୋଲିସ ଉକ୍ତ ଗ୍ରାମର ରାମକୃଷ୍ଣ ସାହୁ(୫୪)ଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଉଭୟ ବିଜୟ ଓ ରାମକୃଷ୍ଣ ଉକ୍ତ ଗାଁର ଏକ ଘରେ ଶୁକ୍ରବାର ରାତିରେ ଥିଲେ । ଭୋର୍ରେ ସେମାନଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ବଚସା ହୋଇଥିଲା । ଦୁହେଁ ହାତାହାତି ହୋଇଥିଲେ । ରାମକୃଷ୍ଣ ଘର ଭିତରେ ଥିବା ଏକ କୋଡ଼ିରେ ବିଜୟଙ୍କ ମୁଣ୍ଡକୁ ମାଡ଼ ମାରିଥିଲେ । ରକ୍ତ ଜୁଡୁବୁଡୁ ବିଜୟ ଜୀବନ ବଞ୍ଚାଇବା ଲକ୍ଷ୍ୟରେ ଘରୁ ବାହାରକୁ ଦୌଡ଼ି ଗାଁ ଦାଣ୍ଡରେ ପଡ଼ି ଯାଇଥିଲେ ।
ସେଠାରେ ହିଁ ବିଜୟଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ । ଆସିକା ଏସ୍ଡିପିଓ ଉମାଶଙ୍କର ସିଂ, ହିଞ୍ଜିଳି ଆଇଆଇସି ଶ୍ରୀନିବାସ ସେଠୀଙ୍କ ସହ ପୋଲିସ ଟିମ୍ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତ ରାମକୃଷ୍ଣଙ୍କୁ ଧରି ଥାନାରେ ରଖି ପଚରାଉଚରା କରାଯାଉଛି । ଧାର ଟଙ୍କାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ଓ ହାତାହାତି ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ହତ୍ୟାକାଣ୍ଡରେ ବ୍ୟବହୃତ କୋଡ଼ିକୁ ପୋଲିସ ଘଟଣାସ୍ଥଳରୁ ଜବତ କରିଥିବା ବେଳେ ଘଟଣାସ୍ଥଳରେ ଫରେନ୍ସିକ୍ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅନୁସନ୍ଧାନ ଓ ପ୍ରମାଣ ସଂଗ୍ରହ କରିଛନ୍ତି । ମୃତ ବିଜୟଙ୍କ ବାପା ସାହେବ ପାଣିଗ୍ରାହୀଙ୍କ ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ ହୋଇଛି ।
[ad_2]