ପେଟ ସମ୍ବନ୍ଧୀୟ ସମସ୍ୟା ସହ ଅନେକ ରୋଗ ଦୂର କରେ ବେଲପଣା, ଜାଣନ୍ତୁ କ’ଣ?
ଖରାଦିନେ ଶରୀର ପାଇଁ ଉତ୍ତମ ପାନୀୟ ସେବନ କରିବା ଉଚିତ୍ । କାରଣ ଖରାଦିନେ ଶରୀରକୁ ଥଣ୍ଡା ଏବଂ ଶକ୍ତି ଯୋଗାଇବାରେ ଏହିସବୁ ପାନୀୟ ସାହାଯ୍ୟ କରିଥାଏ । ଏସବୁ ପାନୀୟ ମଧ୍ୟରେ ଶରୀର ପାଇଁ ଲାଭକାରୀ ହୋଇଥାଏ ବେଲପଣା । ବେଲପଣା ପିଇବା ଦ୍ୱାରା ଶରୀରରେ ଏନର୍ଜି ରହିଥାଏ । ଏଥିସହ ଅନେକ ରୋଗ ମଧ୍ୟ ଦୂର ହୋଇଥାଏ । କାରଣ ବେଲରେ ଆଇରନ, କ୍ୟାଲସିୟମ, ଗୁଡ୍ ଫ୍ୟାଟ୍, ଫାଇବର, ଭିଟାମିନ-ସି, ଫସଫରସ୍, ବିଟା-କ୍ୟାରୋଟିନ୍, ଥାୟମିନ, ରାଇବୋଫ୍ଲେୱିନ୍ ଏବଂ ପ୍ରୋଟିନ୍ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀର ପାଇଁ ଲାଭକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ବେଲପଣା ପିଇବା ଦ୍ୱାରା କ’ଣ କ’ଣ ଲାଭ ମିଳିଥାଏ?
ବେଲପଣାରେ ଭିଟାମିନ ସି ରହିଥାଏ । ଏହିକାରଣରୁ ଏହାକୁ ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇବା ସହ ଅନେକ ରୋଗ ଦୂର ହୋଇଥାଏ । ସେହିଭଳି ଗରମ ଦିନେ ବେଲପଣା ପିଇବା ଦ୍ୱାରା ଶରୀରକୁ ଥଣ୍ଡା ମିଳିବା ସହ ହାଇଡ୍ରେଟ ରହିଥାଏ । ବେଲ ସରବତ ପେଟ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । କାରଣ ଏହାକୁ ପିଇବା ଦ୍ୱାରା ପାଚନ କ୍ରିୟା ମଜବୁତ ହେବା ସହ କବଜ ସମସ୍ୟା ଦୂର ହୋଇଥାଏ । ସେହିପରି ମହିଳାମାନଙ୍କ ପାଇଁ ଏହି ପଣା ଲାଭକାରୀ ହୋଇଥାଏ । କାରଣ ବେଲପଣା ପିଇବା ଦ୍ୱାରା ବ୍ରେଷ୍ଟ କ୍ୟାନସର ଭଳି ରୋଗ କମ ହୋଇଥାଏ । ଏଥିସହ ଏହି ସରବତ ପିଇବା ଦ୍ୱାରା ରକ୍ତ ସଫା ହେବା ସହ ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ ।
ଯେଉଁ ଲୋକମାନେ ଅତ୍ୟଧିକ ମୋଟାପଣ ପାଇଁ ଚିନ୍ତିତ ସେମାନେ ମଧ୍ୟ ଏହି ସରବତ ସେବନ କରିବା ଉଚିତ୍ । କାରଣ ବେଲରେ ଫାଇବର ରହିଥାଏ, ଯାହା ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଏସବୁ ବ୍ୟତୀତ ବେଲପଣା ଡାଇବେଟିଜ୍ ଥିବା ବ୍ୟକ୍ତିଙ୍କ ପାଇଁ ଲାଭକାରୀ ହୋଇଥାଏ । କାରଣ ବେଲରେ ଲକ୍ସାଟିଭ୍ ରହିଥାଏ, ଯାହା ବ୍ଲଡ ସୁଗାର ଲେବଲ କୁ କଣ୍ଟ୍ରୋଲ୍ ରେ ରଖିବାରେ ସାହାଯ୍ୟ କରିଥାଏ ।