କଳାପଥର କେଳେଙ୍କାରୀ ଘଟଣା ୪ ଲିଜ୍ଧାରୀଙ୍କୁ ୧୦୫କୋଟି ଜରିମାନା

ଯାଜପୁର,ଧର୍ମଶାଳା,IBN ଓଡିଶା:
ଲଘୁ ଖଣିଜ ଦ୍ରବ୍ୟ ଲୁଟ ରେ ଯାଜପୁର ଧର୍ମଶାଳା ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାରୀ କରିଛି।ଦୈନିକ ମାଫିଆ ମାନେ ସ୍ଥାନୀୟ ବିଧାୟକ ଙ୍କ ଛତ୍ର ଛାୟା ତଳେ ରହି ଲୁଟ ପରେ ଲୁଟ କରି ଚାଲିଛନ୍ତି।ସୂଚନା ଥାଉକି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳର କଳାପଥର କେଳେଙ୍କାରୀର ଗୁମର ଖୋଲୁଛି। ଅନୁମତିଠାରୁ ଢେର୍ ଅଧିକ କଳାପଥର ଖନନ କରିଥିବା ୪ଜଣ ଲିଜ୍ଧାରୀଙ୍କ ଉପରେ ତହସିଲ ପକ୍ଷରୁ ୧୦୫ କୋଟି ୧୩ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ ହୋଇଛି। ଜରିମାନା ଧାର୍ଯ୍ୟ ହୋଇଥିବା ଏହି ୪ଜଣ ଲିଜ୍ଧାରୀ ହେଲେ ସରୋଜ ରାଉତ(ଗେଡ଼), ରଞ୍ଜନ ଜେନା, ସାବିତ୍ରୀ ପରିଡ଼ା ଓ ଚନ୍ଦ୍ରମଣୀ ପରିଡା। ଜିଲ୍ଲାପାଳ ଚକ୍ରବର୍ତ୍ତୀସିଂ ରାଠୋରଙ୍କ ନିର୍ଦ୍ଦେଶରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସ ଆଜି ଅତ୍ୟଧିକ କଳାପଥର ଖନନ ପାଇଁ ଏହି ଜରିମାନା ଧାର୍ଯ୍ୟ କରିଛନ୍ତି। ଫଳରେ, ବେଆଇନ ଭାବେ ଖାଦାନ ଖୋଳି ଚାଲିଥିବା ଲିଜ୍ଧାରୀଙ୍କ ମଧ୍ୟରେ ଛନକା ପଶିଛି।
ଲଘୁଖଣିଜ ସମ୍ପଦରେ ଭରପୁର ଯାଜପୁର ଜିଲ୍ଲାରୁ ହଜାର ହଜାର କୋଟି ଟଙ୍କାର କଳାପଥର, ମୋରମ, ବାଲି, ମାଟି ଆଦି ନିୟମିତ ଚୋରାଚାଲାଣ ଚାଲିଛି। ଲିଜ୍ ନାମରେ ବ୍ୟାପକ ବେଆଇନ୍ ଖନନ ସହ ଅସ୍ଥାୟୀ ପରମିଟ୍କୁ ଲିଜ୍ଧାରୀ ଓ ଠିକାଦାରମାନେ ଢାଲ କରି ବ୍ୟାପକ ରାଜସ୍ବ ଲୁଟ୍ କରୁଛନ୍ତି। ତହସିଲ କଳାପଥର କେଳେଙ୍କାରୀ ପ୍ରସଙ୍ଗକୁ ନେଇ ସମଗ୍ରରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଫଳରେ, ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ନେତୃତ୍ବରେ ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତିଙ୍କ ଟିମ୍ ୪ଟି ଖାଦାନର ଲିଜ୍ ଅବଧିର ଶେଷଦିନ ଇଟିଏସ୍ ଓ ଡ୍ରୋନ୍ ମାଧ୍ୟମରେ ଖାଦାନ ମାପଚୁପ କରିଥିଲେ। ଧର୍ମଶାଳା ତହସିଲ୍ର ଲୁଣିବାରି ମୌଜାର ଖାଦାନ ନମ୍ବର ୪ର ଲିଜଧାରୀ ସରୋଜ ରାଉତ(ଗେଡ) ସର୍ବାଧିକ ବେଆଇନ୍ ଖନନ କରି ରାଜସ୍ବ ଫାଙ୍କିଥିବା ତଦନ୍ତରେ ଧରାପଡ଼ିଛି। ଶ୍ରୀ ରାଉତଙ୍କ ନାମରେ ୬୩କୋଟି ୩୭ଲକ୍ଷ ଟଙ୍କା ଜରିମାନା ଆଦେଶ ହୋଇଛି। ସେହିପରି, ଡଙ୍କାରୀର ଖାଦାନ ନମ୍ବର-୫ର ଲିଜଧାରୀ ରଞ୍ଜନ ଜେନାଙ୍କ ନାମରେ ୨୩କୋଟି ୩୨ଲକ୍ଷ ଟଙ୍କା ଜରିମାନା ହୋଇଥିବାବେଳେ ଅନୁରୂପ ଭାବେ ଲୁଣବାରିର ଖାଦାନ ନମ୍ବର-୨ର ଲିଜଧାରୀ ସାବିତ୍ରୀ ପରିଡ଼ାଙ୍କ ନାମରେ ୧୬କୋଟି ୫୭ଲକ୍ଷ ଓ ତାଙ୍କ ସ୍ବାମୀ ଚନ୍ଦ୍ରମଣି ପରିଡ଼ା ନାମରେ ଥିବା ଲୁଣବାରି ଖାଦାନ ନମ୍ବର-୩ରେ ମାତ୍ରାଧିକ ଖନନ ପାଇଁ ୧କୋଟି ୮୭ଲକ୍ଷ ଟଙ୍କା ଜରିମାନା କରାଯାଇଛି।
ଏ ସମ୍ପର୍କରେ ତହସିଲଦାର ଶ୍ରୀ ଦାସଙ୍କୁ ପଚରାଯିବାରୁ ଏହି ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି। ୪ଟି ସୈରାତର ମାପଚୁପ ହେବା ଫଳରେ ବେଆଇନ୍ ଖନନ ଧରାପଡ଼ିଛି। ଏବେ ଲିଜ୍ରେ ଥିବା ୧୭ଟି ସୈରାତ ଓ ତହସିଲର ମୋଟ ୮୫ଟି ଲଘୁଖଣିଜ ସୈରାତରେ ଏହି ବ୍ୟବସ୍ଥା ଅନୁସାରେ ଲିଜ ଅବଧି ଶେଷ ପୂର୍ବରୁ ମାପଚୁପ କରାଯିବ l ଅଧିକ ଖନନ ହୋଇଥିଲେ ରାଜସ୍ୱ ସହ ଜରିମାନା ଆଦାୟ କରାଯିବ। ଯାହାଫଳରେ, ବେଆଇନ୍ କାରବାର ନିୟନ୍ତ୍ରଣ ସହିତ ରାଜସ୍ବ ଆଦାୟ ମଧ୍ୟ ବୃଦ୍ଧି ପାଇବ ବୋଲି ତହସିଲଦାର ଶ୍ରୀ ଦାସ କହିଛନ୍ତି।
ଅନ୍ୟପଟେ ଉକ୍ତ ୧୦୫କୋଟି ଜୋରିମାନା ପରେ ପାହାଡ ଲୁଟକୁ ନେଇ ଧର୍ମଶାଳା ର ବିଜେଡି ଯୁବନେତା ତଥା ପାହାଡ ପର୍ବତ ସୁରକ୍ଷା ମଞ୍ଚ ର ସଭାପତି ସତୀଶ ବିଶ୍ଵାଳ ବିସ୍ପୋରକ ବୟାନ ଦେଇଛନ୍ତି।
ସତୀଶ ଙ୍କ କହିବା କଥା ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଧୀନରେ ଥିବା ପାହାଡ ପର୍ବତରୁ ଏକସେସ୍ ମାଇନିଂ ଅର୍ଥାତ ବେଆଇନ ଭାବେ ଅଧିକ ଖନନ ନେଇ ପାହାଡ଼ ଲିଜ ନେଇଥିବା ଚାରିଜଣ ଇଜିରାଦାର ଙ୍କ ଉପରେ ୧୦୫କୋଟି ୧୩ଲକ୍ଷ ଟଙ୍କା ଜୋରିମାନା ହୋଇଛି।ଏଥି ନେଇ ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଞ୍ଚ ସଭାପତି ତଥା ବିଜେଡି ନେତା ସତୀଶ ବିଶ୍ୱାଳ ଦୀର୍ଘ ଦିନ ଧରି ଲଢେଇ କରିବା ସହ ବରମ୍ଭାର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରି ଆସିଛନ୍ତି ।ଆଗାମୀ ଦିନରେ ଧର୍ମଶାଳାର ଆହୁରି କେତେକ ବଡ ଲୁଟେରା ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି ବୋଲି ସତୀଶ କହିଛନ୍ତି।ସତୀଶ ଙ୍କ କହିବା କଥା ନବୀନ ପଟ୍ଟନାୟକ ସରକାର କଦାପି ରାଜ୍ୟର ରାଜସ୍ୱ ଲୁଟ ଏବଂ ଜନସ୍ୱାର୍ଥ ବିରୋଧୀ କାର୍ଯ୍ୟକୁ ବରଦାସ୍ତ କରିନାହିଁ।ଧର୍ମଶାଳା କ୍ଷେତ୍ରରେ ବ୍ୟବସ୍ଥା କଡ଼ ଲେଉଥିବା ଆରମ୍ଭ କରିଛି।ଆଗକୁ ଆଉ କେତେକ ଲୁଟେରା ତଥା ମାଫିଆ ଙ୍କ କଳା ସାମ୍ରାଜ୍ୟ ନେଇ ଦୁଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସତୀଶ ମତ ପ୍ରକାଶ ପରେ ମାଫିଆଙ୍କ ଶିବିରରେ କମ୍ପନ ସୃଷ୍ଟି ହୋଇଛି।