ରାଜ୍ୟ

ପ୍ରଜାତନ୍ତ୍ର’ର ୭୫ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେଲେ ଅମିତ ଶାହା ଓ ଏପଟେ ମୁଖ୍ୟମନ୍ତ୍ରୀ କହିଲେ ଭୟ ଓ ପକ୍ଷପାତ ବିନା ଗଣମାଧ୍ୟମ କାର୍ଯ୍ୟ କରୁ:

କଟକ:IBN ଓଡିଶା : ଓଡ଼ିଶାର ଏବେ ଭଲଦିନ ଆସିଛି। ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଯାଇ ମହାମହିମ ରାଷ୍ଟ୍ରପତି ହୋଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଏବେ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ, ଅଶ୍ବିନୀ ବୈଷ୍ଣବ ରେଳ ମନ୍ତ୍ରୀ, ବିଶ୍ବେଶ୍ବର ଟୁଡୁ ବି କେନ୍ଦ୍ରମନ୍ତ୍ରୀ ଏବଂ ଶକ୍ତିକାନ୍ତ ଦାସ ହେଉଛନ୍ତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର।

ଓଡ଼ିଶା ପାଇଁ ଏହା ଗୌରବର ବିଷୟ। ସ୍ବାଧୀନତା ପରେ କେନ୍ଦ୍ରରେ ଓଡ଼ିଶାରୁ ଏତେ ପ୍ରତିନିଧିତ୍ବ କେବେ ପୂର୍ବରୁ ମିଳି ନଥିଲା ବୋଲି ସୋମବାର ଦିନ ଜବାହାରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ଦୈନିକ ଖବର କାଗଜ ‘ପ୍ରଜାତନ୍ତ୍ର’ର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି।ଶ୍ରୀ ଶାହ କହିଛନ୍ତି ଯେ ଓଡ଼ିଶାରେ ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ତଥା ସମ୍ଭାବନା ରହିଛି। ସମୁଦ୍ର ତଟ ରହିଛି। ଓଡ଼ିଶା ଖଣିଜ ସଂପଦରେ ଭରପୁର। ଓଡ଼ିଶାର ସାଂସ୍କୃତିକ ମୂଲ୍ୟବୋଧ ସମୃଦ୍ଧ। ଓଡ଼ିଶା ପ୍ରତି ଈଶ୍ବରଙ୍କର ଆଶୀର୍ବାଦ ରହିଛି। କେନ୍ଦ୍ର ସରକାର ରାଜ୍ୟ ସହିତ ମିଶି ସବୁ ବେଳ ଓଡ଼ିଶାର ବିକାଶ ପାଇଁ କାମ କରି ଆସିଛନ୍ତି ବୋଲି ଶ୍ରୀ ଶାହ କହିଛନ୍ତି। ଏହି ଅବସରରେ ଶ୍ରୀ ଶାହ ‘ପ୍ରଜାତନ୍ତ୍ର’ର ପ୍ରତିଷ୍ଠାତା ଡକ୍ଟର ହରେକୃଷ୍ଣ ମହତାବଙ୍କ ଗଡଜାତ ମିଶ୍ରଣରେ ଉଲ୍ଲେଖନୀୟ ଅବଦାନ ସଂପର୍କରେ ମତ ରଖିଥିଲେ।ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକାକୁ କେବେ ଅଣଦେଖା କରାଯାଇପାରିବ ନାହିଁ। ଗଣମାଧ୍ୟମ ଭୟ ଓ ପକ୍ଷପାତ ବିନ‌‌ା ତାର କର୍ତ୍ତବ୍ୟ ସଂପାଦନ କରିବାକୁ ଆହ୍ବାନ ଦେବା ସହିତ ଗଣମାଧ୍ୟମ ରାଜନୀତିଠାରୁ ଲୋକଙ୍କ ସମସ୍ୟାକୁ ଅଧିକ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ଭାରତ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଦଣ୍ଡାୟମାନ। ତେଣୁ ଗଣମାଧ୍ୟମରେ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିଫଳନ ହେବା ଉଚିତ୍ ଏବଂ ପ୍ରତ୍ୟେକ ଗଣମାଧ୍ୟମ ସଂସ୍ଥା ନିଜର ଗରିମା ବଜାୟ ରଖିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆସନ୍ତାକାଲି ଅଗଷ୍ଟ କ୍ରାନ୍ତି ଦିବସ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ସମସ୍ତ ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button