ଯାଜପୁର: କାଳିଆପାଣି : ପତ୍ନୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଶିଳ୍ପ ସୁରକ୍ଷା ବଳରେ କାର୍ଯ୍ୟରତ ଜଣେ କନଷ୍ଟେବଳଙ୍କୁ କାଳିଆପାଣି ଥାନା ପୁଲିସ ଶନିବାର ଦିନ ଗିରଫ କରିଛି। ଅଭିଯୁକ୍ତ ସ୍ବାମୀ କାଳିଆପାଣି ଓଡ଼ିଶା ଖଣି ନିଗମ (ଓଏମ୍ସି)ରେ ନିୟୋଜିତ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ(ଓଆଇଏସ୍ଏଫ୍) ୟୁନିଟ୍ରେ କାର୍ଯ୍ୟରତ ଅମିୟ କୁମାର ବେହେରା(୨୭)। ତାଙ୍କ ପତ୍ନୀ ବନ୍ଦନା ରାଉତରାୟ (୨୭) ମଧ୍ୟ କନଷ୍ଟେବଲ୍ ଭାବେ କାର୍ଯ୍ୟରତ।କଟକ ସଦର ଥାନା ପ୍ରତାପ ନଗରୀର ଅମିୟ ଓ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଲକିପୁର ଗାଁର ବନ୍ଦନାଙ୍କ ମଧ୍ୟରେ ଅନୁଗୁଳ ପୁଲିସ ପ୍ରଶିକ୍ଷଣ (ପିଟିସି) କେନ୍ଦ୍ରରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଉଭୟ ୨୦୧୭ ରେ ପ୍ରଥମେ ଅଦାଲତରେ ବିବାହ କରିଥିଲେ। ଦୁହିଁଙ୍କର ଏକ କନ୍ୟାସନ୍ତାନ ଅଛି। ଅମିୟ ପୂର୍ବରୁ ବିବାହିତ ଏବଂ ଗାଁରେ ପ୍ରଥମ ପତ୍ନୀ ଓ ଶିଶୁପୁତ୍ର ଥିଲେ ହେଁ ସେ ଏହାକୁ ଗୋପନ ରଖିଥିଲେ। ୨୦୧୮ ରେ ଦୁହେଁ କାଳିଆପାଣିରେ କାର୍ଯ୍ୟ କରୁଥିଲେ ମଧ୍ୟ ଅଶାନ୍ତି ଓ ଅବିଶ୍ବାସ ଲାଗିରହିଥିଲା। ବନ୍ଦନାଙ୍କ ଚାପରେ ପୁଣିଥରେ ଉଭୟ ଖୋର୍ଦ୍ଧାଗଡ଼ ମାଣତୀରା ରାମଚଣ୍ଡୀ ମନ୍ଦିରରେ ବିବାହ କରିଥିଲେ। ତଥାପି ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା ଏବଂ କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା ଭଙ୍ଗ କରିବାରୁ ଏହି ଦମ୍ପତିଙ୍କୁ ହୀରାକୁଦ ଓ ପରେ କେନ୍ଦୁଝର ଶୁଆକାଟି ୟୁନିଟ୍ ବଦଳି କରାଯାଇଥିଲା। ଗତବର୍ଷ ଉଭୟ ପୁଣି କାଳିଆପାଣି ଆସି ଏକ ଭଡ଼ାଘରେ ରହୁଥିଲେ। ଗତକାଲି ଅମିୟ ଏକ ଛୁରିରେ ବନ୍ଦନାଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ। ଏନେଇ ବନ୍ଦନା ଥାନାରେ ସ୍ବାମୀ ନାଁରେ ଏତଲା ଦାଏର କରିଥିଲେ। ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଅମିୟଙ୍କୁ ଗିରଫ କରିଥିଲେ। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
Related Articles
Check Also
Close