ଚାକରି,ଘର କରିଦେବା ନାଁରେ ଠକେଇ,ଜେଲ ଗଲେ ଦୁଇ ଦଲାଲ
ଯାଜପୁର,ଜେନାପୁର,IBNଓଡିଶା:କଥା ରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନଥାଏ।ଦିନେ ନା ଦିନେ ଆଇନ ଜାଲରେ ଛନ୍ଦି ହେବାକୁ ପଡିଥାଏ।ଏପରି ଦୁଇ ଠକ ଙ୍କ ଘଟଣା ଯାହା ଯାଜପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।ଦୈନିକ ଘରୁ କୁ ଘର ଆସି ବନ୍ଧୁ ର ସମ୍ପର୍କ ସ୍ଥାପନା କରି ଆଉ ତାପରେ ବିଭିନ୍ନ ସମୟରେ ଚାକିର ଓ ଆବାସ କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଗାଁ ଗାଁ ରୁ ଲୋକଙ୍କୁ ଠକି ନେଇଥିବା ଜଣେ ଠକ ଓ ତାର ସହଯୋଗୀ କୁ ପୋଲିସ ଗିରଫ କରିଛି।
ସୂଚନା ଥାଉକି ରେଳ ବିଭାଗରେ ଚାକିରି ଓ ଗରିବଙ୍କୁ ଘର ଯୋଗାଇଦେବା ନାଁରେ ଠକେଇ ଅଭିଯୋଗରେ ଜେନାପୁର ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଦ୍ବୟ ହେଲେ ଯାଜପୁର ନିକଟ ଗୋଖନାର ବିଶ୍ବନାଥ ସାହୁ (୩୫) ଓ ସହଯୋଗୀ ଭୁବନେଶ୍ବର ନୟାପଲ୍ଲୀର ବିରଜା ପ୍ରସାଦ ରାୟ (୩୨)। ମହିଷରା ପଞ୍ଚାୟତ ଦୌଲତପୁର ଗ୍ରାମର ସେବତୀ ମହାରଣାଙ୍କ ଅଭିଯୋଗର ତଦନ୍ତ କରି ପୁଲିସ ଏହି ଦୁଇଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୫ ଟି ମୋବାଇଲ ଫୋନ, ରେଳ ବିଭାଗର ଜାଲି ନିଯୁକ୍ତିପତ୍ର, ସକାଳ ସାଥୀର ସାମ୍ବାଦିକ ପରିଚୟପତ୍ର, ବାଜିରାଉତ ସୋସିଆଲ ହାଉସିଂର କିଛି କାଗଜପତ୍ର, ନକଲି ସୁନାଇଟା, ଦୁଇଟି ସ୍କୁଟି (ଓଡି୦୫ ଏଏସ୍ ୧୪୧୨, ଓଡି ୦୨ ବିଓ୫୧୩୬) ଗୋଟିଏ ପଲସର (ଓଡି ୦୨ଏଫ୍ ୭୪୮୪) ସହ କିଛି ପିଲାଙ୍କ ସାର୍ଟିଫିକେଟ ଓ ଆଧାର କାର୍ଡ ଜବତ କରାଯାଇଥିବା ଜେନାପୁର ଥାନା ଆଇଆଇସି ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି।ଅଭିଯୋଗ ଅନୁସାରେ ବିଶ୍ଵନାଥ ନିଜକୁ ବାଜିରାଉତ ସୋସିଆଲ ହାଉସିଂ ସ୍କିମର ସଂଯୋଜକ ଭାବେ ପରିଚୟ ଦେଇ ଗରିବମାନଙ୍କୁ ମାଗଣା ଘର ଯୋଗାଉଥିବା କହୁଥିଲା। ନାମ ପଞ୍ଜୀକରଣ କରିବା ଲାଗି ଦୁଇହଜାର ଟଙ୍କା ମାଗୁଥିଲା। ବିଶ୍ବାସ ଜିଣିବା ପାଇଁ କିଛି ଲୋକଙ୍କ ବାଡ଼ିରେ ଇଟା ପକାଇଥିଲା। ଜେନାପୁର ଓ ଧର୍ମଶାଳା ଥାନା ଅଞ୍ଚଳରୁ ସେ ୨୫୦ ଲୋକଙ୍କଠାରୁ ଅର୍ଥ ଆଦାୟ କରିଥିଲା। ପରେ ସେବତୀଙ୍କ ପୁଅକୁ ରେଳ ବିଭାଗରେ ଚାକିରି କରେଇଦେବ ବୋଲି କହି ଦେଢ଼ଲକ୍ଷ ଟଙ୍କା ଓ ସେହି ଦୌଲତପୁର ଗ୍ରାମର ଅନ୍ୟଜଣେ ଯୁବକଙ୍କଠାରୁ ଦେଢ଼ଲକ୍ଷ ଟଙ୍କା ଗତ ବର୍ଷ (ଅଗଷ୍ଟ-ସେପ୍ଟେମ୍ବର)ମାସରେ ନେଇଥିଲା। ଗତ ମାର୍ଚ୍ଚ ମାସରୁ ଆଉ ତା’ର ଦେଖା ମିଳିନଥିଲା। ଫୋନ୍ ମଧ୍ୟ ଉଠାଉ ନଥିଲା। ସନ୍ଦେହ ହେବାରୁ ସେବତୀ ଗତ ଅଗଷ୍ଟ ୧୩ ତାରିଖରେ ଜେନାପୁର ଥାନାରେ ଏତଲା ଦେଇଥିଲେ। ପୁଲିସ ୨୨୦/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଇଆଇସିଙ୍କ ସୂଚନା ଅନୁସାରେ ଅଭିଯୁକ୍ତ ବିଶ୍ଵନାଥ ସାହୁ ପୂର୍ବରୁ ରେଳ ବିଭାଗରେ ଚାକିରି କରେଇଦେବା ନାଁରେ ବହୁ ଲୋକଙ୍କୁ ଠକି ଟଙ୍କା ଆଦାୟ କରିଛି। ଏନେଇ ତା’ ନାଁରେ ଯାଜପୁର ଟାଉନ ଥାନା, ଧର୍ମଶାଳା ଥାନା ଓ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରହିଥିବା ବେଳେ ବିଶ୍ୱନାଥ ଓ ତାର ସହଯୋଗୀ କୁ ପୋଲିସ ରିମାଣ୍ଡ ଆଣି ପଚାର ଉଚରା ଜାରି କରିଲେ ଆଗକୁ ଏମାନଙ୍କ ପଛରେ ଅନେକ କିଛି ବ୍ୟକ୍ତି ଥିବାର ସାଧାରଣ ରେ ଆଲୋଚନା ଜୋର ଧରିଛି।