ସ୍କୁଲ ପଢ଼ା ପିଲାଙ୍କୁ ବିଧାୟକଙ୍କ ବିବାଦୀୟ ପରାମର୍ଶ; ମା’ ବାପା ମୋତେ ଭୋଟ୍ ନଦେଲେ ଖାଇବାକୁ ମନାକର – Ibnodisha
[ad_1]
ମୁମ୍ବାଇ: ପିଲାମାନଙ୍କୁ ରାଜନୈତିକ ପ୍ରଚାର କାର୍ଯ୍ୟରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସାମିଲ କରିବା ଉପରେ ନିର୍ବାଚନ ଆୟୋଗ କିଛି ଦିନ ପୂର୍ବେ ସ୍ପଷ୍ଟ ନିଷିଦ୍ଧାଦେଶ ଜାରି କରିସାରିଛନ୍ତି । ଏହାସତ୍ତ୍ୱେ ମହାରାଷ୍ଟ୍ରରେ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା ଗୋଷ୍ଠୀର ଜଣେ ବିଧାୟକ ପିଲାମାନଙ୍କୁ ନିଜ ପ୍ରଚାର ପାଇଁ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସେ ଏବେ ବିବାଦୀୟ ମଧ୍ୟ ହୋଇପଡିଛନ୍ତି । ରିପୋର୍ଟ ଅନୁସାରେ କଲାମାନୁରୀ ଆସନରୁ ପ୍ରତିନିଧିତ୍ୱ କରୁଥିବା ଶିନ୍ଦେ ଗୋଷ୍ଠୀର ବିଧାୟକ ସନ୍ତୋଷ ବାଙ୍ଗର ଏଠାରେ ପ୍ରଚାର କରୁଥିବା ବେଳେ ଏହି ଅଞ୍ଚଳରେ ଥିବା ଏକ ଜିଲ୍ଲା ପରିଷଦ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ସେଠାରେ ସ୍କୁଲ ପିଲାମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, “ଯଦି ତୁମ ମା’ ବାପା ମୋତେ ଭୋଟ୍ ନଦିଅନ୍ତି ତେବେ ଘରେ ତୁମେ ଖାଇବାକୁ ସିଧା ମନା କରିଦେବାର ଧମକ ଦିଅ ।
ସେମାନେ ବାଧ୍ୟହୋଇ ମତେ ହିଁ ଭୋଟ୍ଦେବେ ।” ସ୍କୁଲ ପିଲାମାନଙ୍କୁ ସନ୍ତୋଷ ବାଙ୍ଗର ଏପ୍ରକାର କହିବା ସମୟରେ ସେଠାରେ ଥିବା କିଛି ଲୋକ ଏସବୁର ଭିଡିଓ କରିଥିଲେ ଏବଂ ସୋସିଆଲ ମିଡିଆରେ ସେୟାର କରିଦେଇଥିଲେ, ଯାହାକି ଏବେ ଭାଇରାଲ ହେଉଛି । ତେବେ ଜଣେ ବିଧାୟକଙ୍କ ଏପ୍ରକାର ଆଚରଣକୁ ନେଇ ଏବେ ତାଙ୍କ ନିଜର ଦଳର ଅନ୍ୟ ବିଧାୟକମାନେ ମଧ୍ୟ ବିରକ୍ତି ଭାବ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ କଂଗ୍ରେସ, ଶରଦ ପାୱାରଙ୍କ ଏନ୍ସିପି ଗୋଷ୍ଠୀ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ନିର୍ବାଚନ ଆୟୋଗ ନିର୍ଦ୍ଦେଶର ଅବମାନନା କରିଥିବା ଅଭିଯୋଗ ଆଧାରରେ ତାଙ୍କୁ ଦଣ୍ଡବିଧାନ କରାଯାଉ । ପ୍ରକାଶ, ସନ୍ତୋଷ ବାଙ୍ଗରଙ୍କ ବିରୋଧରେ ଏହାପୂର୍ବରୁ ମଧ୍ୟ ଏକାଧିକ ଘଟଣା ସାମ୍ନାକୁ ଆସିସାରିଛି ଯେଉଁଥିରେ ସେ ବିବାଦୀୟ ମନ୍ତବ୍ୟ ଦେବା, ବିବାଦୀୟ ଆଚରଣ ପ୍ରଦର୍ଶନ କରିବା ଆଦି ସାମିଲ ରହିଛି । ତାଙ୍କର ଏପ୍ରକାର ବିବାଦୀୟ ଆଚରଣ ପାଇଁ ଅନେକ ଥର ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ସରକାରକୁ ମଧ୍ୟ ବିରୋଧୀ ଗୋଷ୍ଠୀଙ୍କ ସମାଲୋଚନାର ଶିକାର ହେବାକୁ ପଡିସାରିଛି ।
[ad_2]