ଆଜି କଳା ଦିବସ – Ibnodisha
[ad_1]
ନୂଆଦିଲ୍ଲୀ : ୨୦୧୯ ମସିହା ଫେବୃଆରୀ ୧୪ ତାରିଖ । ସାରା ଦେଶ ପାଇଁ ଥିଲା କଳା ଦିନ । ପ୍ରେମର ଦିବସରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଜମ୍ମୁର ପୁଲୱାମାରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଥିଲା । ଆତଙ୍କବାଦୀ ଆକ୍ରମଣରେ ୪୪ ବୀର ଯବାନ ଶହୀଦ ହୋଇଯାଇଥିଲେ । ଏ ଖବର ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ପ୍ରତିଶୋଧ ନେବାକୁ ଭାରତୀୟ ସେନା ପାକିସ୍ତାନରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସ୍ଥାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା । ଆଜି ସେହି ଭୟଙ୍କର ପୁଲୱାମା ଆତଙ୍କୀ ଆକ୍ରମଣକୁ ୫ ବର୍ଷ ପୂରଣ ହୋଇଛି । ଦେଶମାତୃକାର ସେବାରେ ପ୍ରାଣବଳି ଦେଇଥିବା ବୀର ଯବାନଙ୍କୁ ଝୁରୁଛି ଦେଶ । ବୀଭତ୍ସ ଆଉ ଅଭିଶପ୍ତ ଦିନ ଆଜି ବି ମନରୁ ଲିଭିନି । ଏବେ ବି ବୀରପୁତ୍ରକୁ ହରାଇ ଗୁମୁରି ଗୁମୁରି କାନ୍ଦୁଛି ଜନ୍ମମାଟି । ବିସ୍ଫୋରକ ଭର୍ତ୍ତି କାର ସହିତ ଧକ୍କା ହୋଇଥିବା ସେନା ବସ୍: ୨୦୧୯ ମସିହା ଫେବୃଆରୀ ୧୪ ତାରିଖ ସମୟ ୩ଟା ୩୦ ମିନିଟ ସମୟରେ ସିଆରପିଏଫ ୧୮୦ ବାଟାଲିଅନର ୮୦୦ ଯବାନ ଶ୍ରୀନଗର କ୍ୟାମ୍ପକୁ ସ୍ଥାନାନ୍ତରିତ ହେଉଥିଲେ । ପୁଲୱାମା ମାଇଲଷ୍ଟୋନ ୨୭୨ ଅଞ୍ଚଳରେ ହଠାତ୍ ୩୦୦ କିଲୋଗ୍ରାମ ଆରଡିଏକ୍ସ ବୋଝେଇ ଟାଟା ସୁମୋ ସେନା ବସକୁ ଧକ୍କା ଦେଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୦ କିଲୋମିଟର ବ୍ୟାପୀ ଅଞ୍ଚଳ ଥରି ଉଠିଥିଲା । ରାଜରାସ୍ତା ରକ୍ତରଞ୍ଜିତ ହେବା ସହିତ ୪୪ ଜଣ ବୀର ଯବାନ ଶହୀଦ ହୋଇଥିଲେ । ଏହି ଦିନକୁ କଳାଦିବସ ଭାବେ ମନେ ରଖିଛନ୍ତି ଦେଶବାସୀ । ଶହୀଦ ହୋଇଥିବା ୪୪ ଜଣ ବୀରପୁତ୍ରଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ରହିଥିଲେ । ଜଗତସିଂହପୁର ଜିଲ୍ଲାର ପ୍ରସନ୍ନ ସାହୁ ଏବଂ କଟକ ନିଆଳିର ମନୋଜ କୁମାର ବେହେରା । ଆଜି ବି ବୀର ଯବାନ ପୁଅକୁ ହରାଇ ପରିବାର ବାହୁନି ବାହୁନି କାନ୍ଦୁଛି । ତେବେ ପୁଲୱାମା ଆକ୍ରମଣକୁ ୫ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ବୀରପୁତ୍ରକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ୍ କରି କହିଛନ୍ତି, “ପୁଲୱାମାରେ ଶହୀଦ ହୋଇଥିବା ବୀର ଯବାନମାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଦେଶ ପାଇଁ ସେମାନଙ୍କର ସେବା ଏବଂ ବଳିଦାନ ସର୍ବଦା ମନେ ରହିବ ।”
[ad_2]