ଅଦାଲତ ଗିରଫ କୁ ବେଖାତିର,ବଡଚଣା ଥାନା ବାବୁ ଙ୍କୁ କୋଠପୁଅ ଟ୍ରାଫିକ ଥାନା ବାବୁ।

ଯାଜପୁର :ଚଣ୍ଡିଖୋଲ:(IBN ଓଡିଶା)-ଆଇନ ସମସ୍ତଙ୍କ ପାଇଁ ସମାନ ।ହେଲେ ଯାଜପୁର ଜିଲ୍ଲାରେ ପୋଲିସ ଙ୍କ ପାଇଁ ଆଇନ ମାଫ ଆଉ ସାଧାରଣ ଲୋକଙ୍କ ପାଇଁ ଆଇନ ଲାଗୁହେବାର ଚିତ୍ର ଯାହା ଏବେ ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।ଯାଜପୁର ଜିଲ୍ଲାର ପୋଲିସ ଅଧିକାରୀ ମାନେ କୋର୍ଟ ଆଦେଶକୁ ଭ୍ରୁକ୍ଷେପ କରନ୍ତି ନାହିଁ ! ଚଣ୍ଡିଖୋଲ ଜେଏମଏଫସି କୋର୍ଟ ସ୍ଥାନୀୟ ଟ୍ରାଫିକ ଥାନା ଆଇଆଇସି ହୃଦାନନ୍ଦ ବେହେରାଙ୍କ ନାମରେ ଏକ ଅପରାଧିକ ମାମଲାରେ ଜାମିନ୍ ବିହୀନ ଗିରଫ ପରୱାନା ଜାରି କରି ତାହାକୁ କାର୍ଯ୍ୟକାରୀ କରିବାକୁ ଆଦେଶ ଦେବା ପରେ ତାହା ଉପରେ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ କୋର୍ଟ ଦୁଇ ଦୁଇଟି ରିମାଣ୍ଡର୍ ଦେବା ସତ୍ତ୍ଵେ ତାହାକୁ ଭ୍ରୁକ୍ଷେପ କରୁନାହାନ୍ତି ବଡ଼ଚଣା ଥାନାଧିକାରୀ ସୁଶୀଲ କୁମାର ନାୟକ ! ସେହି ଜାମିନ୍ ବିହୀନ ଗିରଫ ପରୱାନା ବଳରେ ଟ୍ରାଫିକ ଆଇଆଇସି ହୃଦାନନ୍ଦ ବେହେରାଙ୍କୁ ଗିରଫ କରିବାକୁ ବଡ଼ଚଣା ଥାନାଧିକାରୀଙ୍କ ଜୁ ପାଉନି ନା ପୋଲିସ ବିରାଦରୀ ବୋଲି ତାଙ୍କୁ ସେ ଘଣ୍ଟ ଘୋଡାଉଛନ୍ତି ? ବଡ଼ଚଣା ଆଇଆଇସି ଶ୍ରୀ ନାୟକ କୋର୍ଟ ଆଦେଶକୁ ଅବଜ୍ଞା କରି କେବଳ ଏହି ଜଣେ ୱାରେଣ୍ଟିଙ୍କୁ ଗିରଫ କରୁ ନାହାନ୍ତି ନା ସବୁ ୱାରେଣ୍ଟିଙ୍କୁ ବି ସେ ଏଭଳି ଭାବେ ଘଣ୍ଟ ଘୋଡାଇଥାନ୍ତି ? ଅନ୍ୟପକ୍ଷରେ ଟ୍ରାଫିକ ଆଇଆଇସି ହୃଦାନନ୍ଦ ବେହେରାଙ୍କ ନାମରେ କୋର୍ଟ ଏନବିଡ଼ବ୍ଲୁ ଜାରି କରିଥିବା ନେଇ ଯାଜପୁର ଏସପିଙ୍କ ଜ୍ଞାତରେ ଥିବା ସତ୍ତ୍ବେ ସେ ବି ଏଥିନେଇ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରି ନାହାନ୍ତି । ବରଂ ତାଙ୍କ ନାମରେ ଯେଉଁ ଥାନାରେ ଏକ ଜାମିନ୍ ବିହୀନ ଗିରଫ ପରୱାନା ପଡ଼ି ରହିଛି ସେହି ଥାନା ଅଞ୍ଚଳରେ ଥିବା ଟ୍ରାଫିକ ଥାନାରେ ହିଁ ସମ୍ପୃକ୍ତ ଆଇଆଇସି ଶ୍ରୀ ବେହେରା ନିୟମିତ ନିଜ ଡ଼୍ୟୁଟି କରୁଥିବା ଏବଂ ନିସଙ୍କୋଚରେ ରାଜରାସ୍ତାରେ ଗାଡ଼ି ମଟର ଯାଞ୍ଚ୍ କାର୍ଯ୍ୟ କରୁଥିବା ପରିଲକ୍ଷିତ ହେଉଛି ! ଜିଲ୍ଲା ପୋଲିସର ଏତାଦୃଶ କାର୍ଯ୍ୟ କଳାପକୁ ଦେଖିଲେ ପୋଲିସର ସ୍ବଚ୍ଛ କାର୍ଯ୍ୟଧାରା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି !
ଉଲ୍ଲେଖଯୋଗ୍ୟ ଯେ ଚଣ୍ଡିଖୋଲର ଜଣାଶୁଣା ଆଇନଜୀବୀ ଉଦୟନାଥ ସାହୁଙ୍କ କାର୍ ଉପରେ ମୋଟା ଅଙ୍କର ଚାଲାଣ କାଟିବାର ଡ଼ର ଦେଖାଇ ତାଙ୍କୁ ୨୦୨୧ ମସିହା ଅକ୍ଟୋବର ମାସରେ ଦଶହରା ଖର୍ଚ୍ଚ ପାଇଁ ଏକ ହଜାର ଟଙ୍କା ବଟି ମାଗିବା ଏବଂ ସେ ପ୍ରତିବାଦ କରିବାରୁ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ତାଙ୍କୁ ଆର୍ଥିକ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଚଞ୍ଚକତାପୂର୍ଣ୍ଣ ଭାବେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବା ଆରୋପ ଲଗାଇ ୨ହଜାର ଟଙ୍କାର ଅନଲାଇନ୍ ଚାଲାଣ କରିବା ଘଟଣାକୁ ନେଇ ଚଣ୍ଡିଖୋଲ ଟ୍ରାଫିକ ଥାନା ଆଇଆଇସି ହୃଦାନନ୍ଦ ବେହେରାଙ୍କ ନାମରେ ଶ୍ରୀ ସାହୁ ଚଣ୍ଡିଖୋଲ ଜେଏମଏଫସି କୋର୍ଟରେ ଏକ ଅଭିଯୋଗ ଫର୍ଦ୍ଦ ମାମଲା ରୁଜୁ କରିଥିଲେ । ତାହା ଉପରେ ଆଇଆଇସି ଶ୍ରୀ ବେହେରା ଏବଂ ତାଙ୍କ ଦୁଇ ସହଯୋଗୀ କନଷ୍ଟେବଳଙ୍କ ବିରୁଦ୍ଧରେ ଜେଏମଏଫସି ଆଇପିସିର ଧର୍ତ୍ତବ୍ୟ ଅପରାଧ ଧାରା ୩୮୫/୨୯୪/ ୨୧୧/୪୧୮/୪୬୯/ ୩୪ରେ ଏକ ବିଚାରଯୋଗ୍ୟ ମାମଲା ଭାବେ କୋର୍ଟ ସଂଜ୍ଞାନକୁ ନେଇ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଟ୍ରାଫିକ ଆଇଆଇସିଙ୍କୁ ସମନ୍ ଜାରି କରିଥିଲେ । କିନ୍ତୁ କୋର୍ଟରେ ହାଜର ନ ହୋଇ ସେ ଜଣେ କର୍ତ୍ତବ୍ୟରତ ଲୋକସେବା ଅଧିକାରୀ ହୋଇଥିବାରୁ ବ୍ୟକ୍ତିଗତ ହାଜରରୁ ରିହାତି ଦେବା ପାଇଁ ସିଆରପିସିର ଧାରା ୨୦୫ ଆଧାରରେ ତାଙ୍କ ତରଫରୁ ତାଙ୍କ ଦ୍ଵାରା ନିଯୁକ୍ତ ଓକିଲଙ୍କ ମାଧ୍ୟମରେ ଏକ ଦରଖାସ୍ତ କରିଥିଲେ । ତେବେ ଜେଏମଏଫସି ସେହି ଦରଖାସ୍ତକୁ ଖାରଜ କରିଦେବା ସହ କୋର୍ଟରେ ଆସି ବ୍ୟକ୍ତିଗତ ଭାବେ ହାଜର ହେବାକୁ ଆଦେଶ ଦେଇଥିଲେ । ଅନ୍ୟପଟେ ଏହି ମାମଲାରେ କୋର୍ଟ ତାଙ୍କ ବିରୁଦ୍ଧରେ ଆଇପିସିର ବିଭିନ୍ନ ଧର୍ତ୍ତବ୍ୟ ଅପରାଧ ଧାରାରେ ସଂଜ୍ଞାନକୁ ନେଇଥିବା କାରଣରୁ ତାଙ୍କର ଅତିରିକ୍ତ ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଁ ସମସ୍ତ ପ୍ରକ୍ରିୟା ଚୁଡାନ୍ତ ହୋଇଥିଲା ବେଳେ ଗତ ଡିସେମ୍ବର ୩୧ତାରିଖରେ ବସିଥିବା ପୋଲିସ୍ ବୋର୍ଡ ତାଙ୍କ ନାମକୁ ପଦୋନ୍ନତି ତାଲିକାରୁ ବାଦ୍ ଦେଇଥିଲେ ଫଳରେ ସେ ଆଉ ଅତିରିକ୍ତ ଡିଏସପି ହୋଇ ନ ପାରି ସେହି ଇନ୍ସପେକ୍ଟର ହୋଇ ରହିଗଲେ । ଏତେ ପରେ ବି ସେ କୋର୍ଟଙ୍କ ଆଦେଶକୁ ଅବଜ୍ଞା କରି ନିର୍ଦ୍ଧାରିତ ତାରିଖରେ କୋର୍ଟରେ ଆଉ ହାଜର ହେଲେ ନାହିଁ । କୋର୍ଟ ଆଦେଶକୁ ଅବଜ୍ଞା କରିବା ଯୋଗୁଁ ଗତ ମାର୍ଚ୍ଚ ୮ତାରିଖ ଦିନ ତାଙ୍କ ବିରୁଦ୍ଧରେ ଜେଏମଏଫସି ଜାମିନ୍ ବିହୀନ ଗିରଫ ପରୱାନା ଜାରି କରି ତାହା ବଳରେ ମାର୍ଚ୍ଚ ୨୯ତାରିଖ ମଧ୍ୟରେ ତାଙ୍କୁ ଗିରଫ କରିବାକୁ ବଡ଼ଚଣା ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଧାରିତ ତାରିଖ ମଧ୍ୟରେ ସେହି ଏନବିଡ଼ବ୍ଲୁକୁ କାର୍ଯ୍ୟକାରୀ ନ କରିବା କାରଣରୁ ପୁନଶ୍ଚ କୋର୍ଟ ବଡ଼ଚଣା ଆଇଆଇସିଙ୍କୁ ଏକ ରିମାଣ୍ଡର୍ ଦେଇ ଗତ ଜୁନ୍ ମାସ ୨୦ ତାରିଖ ମଧ୍ୟରେ ପୂର୍ବରୁ ଜାରି ହୋଇଥିବା ଏନବିଡ଼ବ୍ଲୁକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତଥାପି ସେ ତାହାକୁ ଭ୍ରୁକ୍ଷେପ କଲେ ନାହିଁ । ତେବେ ଚଣ୍ଡିଖୋଲ ଜେଏମଏଫସି ଗତ ଅଗଷ୍ଟ ୧୬ତାରିଖ ଦିନ ତାହା ଉପରେ ବଡ଼ଚଣା ଆଇଆଇସିଙ୍କୁ ପୁଣି ଦ୍ବିତୀୟ ବାର ଏକ ରିମାଣ୍ଡର୍ ଦେଇଥିବା ଜଣାପଡ଼ିଛି । ଏବେ ଦେଖିବାର ଅଛି ବଡ଼ଚଣା ଥାନାଧିକାରୀ କୋର୍ଟ ଆଦେଶକୁ କିଭଳି ଭାବେ ଅନୂପାଳନ କରୁଛନ୍ତି ଅବା ତାହାର ଅବଜ୍ଞା କଲେ କୋର୍ଟ ତାଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି !