ଆଠ ଜଣ ଟ୍ରକ ଚୋର ଗିରଫ, ଜବତ ହେଲା ଟ୍ରକ, କାର ଆଉ ଲକ୍ଷାଧିକ ଟଙ୍କା।
ଯାଜପୁର :IBN ଓଡ଼ିଶା:-ରାଜ୍ୟର ୪ ଥାନା ଅଞ୍ଚଳରୁ ୬ ଟ୍ରକ୍ ଚୋରି କରିଥିବା ଏକ ରାକେଟ୍କୁ ଠାବ କରିଛି ପୋଲିସ । ଏହି ଘଟଣାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ କୁଆଖିଆ ଥାନା ଅଞ୍ଚଳରୁ ଚୋରି ହୋଇଥିବା ଏକ ୧୦ ଚିକିଆ ଟ୍ରକ୍, ୨.୦୩ ଲକ୍ଷ ଟଙ୍କା, ଟ୍ରକ୍ଗୁଡ଼ିକରୁ ବାହାରିଥିବା ସ୍କାର୍ପ, ଟ୍ରକ୍ କାଟିବାରେ ବ୍ୟବହୃତ ଗ୍ୟାସ୍ କଟର, ୭ଟି ମୋବାଇଲ ଫୋନ୍, ଚୋରିରେ ବ୍ୟବହୃତ ଏକ ସୁଇପ୍ଟ ଡିଜାୟାର କାର୍ ଏବଂ ଏକ ବାଇକ୍କୁ ପୋଲିସ ଜବତ କରିଛି। ଗତକାଲି ସନ୍ଧ୍ୟାରେ ଯାଜପୁର ଜିଲା କୁଆଖିଆ ଥାନାରେ ହୋଇଥିବା ପ୍ରେସ ମିଟରେ ଯାଜପୁର ରୋଡ୍ ଏସ୍ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଘଟଣା ସମେତ ଅଭିଯୁକ୍ତମାନେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏକାଧିକ ଟ୍ରକ୍ ଚୋରିରେ ସାମିଲ ଥିବା ସନ୍ଦେହ କରାଯାଉଛି। ସେହି ଆଧାରରେ ବିଭିନ୍ନ ଥାନା ଅଞ୍ଚଳରେ ଘଟିଥିବା ଘଟଣା ସମ୍ପର୍କରେ ଥାନା ଅଧିକାରୀମାନେ ତଦନ୍ତ ଜାରି ରଖୁଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ଜିଲା ଅସ୍ତରଙ୍ଗ ବଜାରର ଗୁରୁ ଓ ଓରଫ୍ ସୂର୍ଯ୍ୟକାନ୍ତ ନାୟକ। ଧର୍ମଶାଳା ଥାନା ଥାନୁଆଳ ଅଞ୍ଚଳର ସିପନ ଓରଫ୍ ସତ୍ୟପ୍ରକାଶ ଦୋରା(୨୧), ଗଗନ ଓରଫ୍ ସତ୍ୟରଞ୍ଜନ ଦୋରା(୨୧), ଦୀପକ ଦେହୁରୀ(୨୦), ନୂଆଗାଁ ଅଞ୍ଚଳର ସୋନୁ ଓରଫ୍ ଶ୍ରୀନିବାସ ଦୋରା(୨୨), ଟ୍ରକ୍ କିଣିଥିବା ପୁରୀ ଜିଲା ବନମାଳିପୁର ଥାନା ଅଞ୍ଚଳର ସୋନି ଓରଫ୍ ସୁନୀଲ ମାଣିକ(୩୫)ଟ୍ରକ୍ ଚୋରି କାରବାରରେ ମଧ୍ୟସ୍ଥି କରୁଥିବା ପୁରୀ ଜିଲା ନିମାପଡ଼ା ଥାନା ଚାରିଛକ ଓରାପାଟ ଅଞ୍ଚଳର ମନୋରଞ୍ଜନ ବେହେରା(୨୩)।ତେବେ କୁଆଖିଆ ରୁ ଚୋରି ଟ୍ରକ୍କୁ ସୂର୍ଯ୍ୟକାନ୍ତ ନେଇ ସୁନୀଲଙ୍କୁ ବିକ୍ରି କରିଥିଲେ। ବାକି ୫ଟ୍ରକ୍କୁ ଅନ୍ୟ ଅଭିଯୁକ୍ତ ଚୋରି କରି ସୂର୍ଯ୍ୟକାନ୍ତଙ୍କୁ ବିକ୍ରି କରିଥିଲେ। ଚୋରି ଟ୍ରକଗୁଡ଼ିକୁ ସେଠାରେ କାଟି ବିକ୍ରି କରି ଦିଆଯାଉଥିଲା। ଉକ୍ତ ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଯିଏକି ଟ୍ରକ କିଣିଥିଲେ ଗୋପ ଥାନା ଅଞ୍ଚଳର ସେକ୍ ରିଆକୁଲ ହକ୍(୩୦)।କୁ ମଧ୍ୟ ଗିରଫ କରିଛି ପୋଲିସ। ଟ୍ରକ୍ ଚୋରି ଅଭିଯୋଗ ବଢୁଥିବାରୁ ଯାଜପୁର ଜିଲା ଆରକ୍ଷୀ ଅଧୀକ୍ଷକ ରାହୁଲ ପିଆର୍ଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ଗଠନ କରାଯାଇଥିଲା ।ଏସ୍ଡିପିଓ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ କୁଆଖିଆ ଥାନା ଅଧିକାରୀ ଶିବଚରଣ ବେହେରା, ଧର୍ମଶାଳା ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ, ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକ,ଏସ୍ଆଇ ଜହର ଆବେଦିନ, ଏସଆଇ ବିଭୂତି ମହାପାତ୍ର,ଏଏସ୍ଆଇ ପ୍ରଳୟ ରାଉତରାୟ ପ୍ରମୁଖ ସାମିଲ ଥିଲେ । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।