ଦେଶ

ନିରବି ଗଲେ ‘ଗୀତମାଲା’ର ସ୍ୱର ଯାଦୁଗର ଅମିନ୍ ସୟାନୀ – Ibnodisha

[ad_1]

ନୂଆଦିଲ୍ଲୀ: ନିଆରା ସ୍ୱର ଏବଂ ଉପସ୍ଥାପନା ଶୈଳୀ ଦ୍ୱାରା ବିଶିଷ୍ଟ ରେଡିଓ ଉପସ୍ଥାପକ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅମିନ୍ ସୟାନୀଙ୍କ ୯୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପୁଅ ରାଜୀଲ ସୟାନୀ ବାପା ଅମିନ୍‌ଙ୍କ ପରଲୋକଗତ ସୂଚନା ଦେଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଅମିନ୍‌ଙ୍କ ଠାରେ ହୃଦ୍‌ଘାତ ହୋଇଥିଲା, ଯାହାଦ୍ୱାରା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା । ତାଙ୍କୁ ତୁରନ୍ତ ଏଚ୍‌ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲକୁ ନିଆଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରିଥିଲେ କିନ୍ତୁ ବିଳମ୍ବିତ ରାତିରେ ହିଁ ଡାକ୍ତରୀ ଦଳ ତାଙ୍କ ମୃତ୍ୟୁଗତ ସମ୍ବାଦ ପରିବାର ଲୋକଙ୍କୁ ଜଣାଇଥିଲେ । ଅମିନ୍ ସୟାନୀ, ଦୀର୍ଘ ସମୟ ଧରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରୁଥିଲେ ।

ସେ ଗତ ୧୨ ବର୍ଷ ଧରି ପିଠି ଯନ୍ତ୍ରଣାରେ ଜର୍ଜରିତ ଥିଲେ ବୋଲି ପୁଅ ରାଜୀଲ କହିଛନ୍ତି । ୨୧ ଡିସେମ୍ବର ୧୯୩୨ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ଅମିନ୍ ସମୟକ୍ରମେ ଅଲ୍ ଇଣ୍ଡିଆ ରେଡିଓରେ ନିଜ ପେସାଦାର କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କ ନିଆରା ସ୍ୱରକୁ ଦୃଷ୍ଟିରେ ରଖି ତାଙ୍କୁ ରେଡିଓ କାର୍ଯ୍ୟକ୍ରମରେ ଉପସ୍ଥାପକ ଭାବେ ନିଯୁକ୍ତି ଦିଆଯାଇଥିଲା । ତାଙ୍କ ଉପସ୍ଥାପନ ଶୈଳୀ ଏବଂ ଜାଦୁଗରୀ ସ୍ୱର ରେଡିଓ ଶ୍ରୋତାଙ୍କୁ ମତୁଆଲା କରିଦେଉଥିଲା । ଦୀର୍ଘ ୪୨ ବର୍ଷ (୧୯୫୨-୧୯୯୪) ଧରି ରେଡିଓର ସୁପରହିଟ୍ ସୋ’ ଗୀତମାଲା’ରେ ସେ ଉପସ୍ଥାପକ ଭାବେ କାର୍ଯ୍ୟ ଜାରି ରଖିଥିଲେ । ଏହି ସୋ’ ଲୋକପ୍ରିୟ ହେବା ପଛରେ କେବଳ ଅମିନ୍‌ଙ୍କ ଉପସ୍ଥାପନା ଶୈଳୀ ଏବଂ ବୁଦ୍ଧିମତା ହିଁ ରହିଥିଲା ବୋଲି କେନ୍ଦ୍ର ବେତାର ବିଭାଗ ପକ୍ଷରୁ ଅନେକ ଥର ସ୍ପଷ୍ଟ କରାଯାଇସାରିଛି । ନିଜ ୬୦ବର୍ଷର ରେଡିଓ ଯାତ୍ରା ମଧ୍ୟରେ ସେ ୫୦ହଜାରରୁ ଅଧିକ ରେଡିଓ ପ୍ରୋଗ୍ରାମର, ପ୍ରଯୋଜକ ଏବଂ ଉପସ୍ଥାପକ ଭାବେ କାମ କରିଥିଲେ, ଯାହାକି ଆଜି ପର୍ଯ୍ୟନ୍ତ ଏକ ସର୍ବକାଳୀନ ରେକର୍ଡ ହୋଇ ରହିଛି । ସେହିପରି ସେ ପ୍ରାୟ ୧୯ହଜାର ଜିଙ୍ଗଲ୍ ପାଇଁ କଣ୍ଠଦାନ କରିଥିଲେ, ଯାହାକି ତାଙ୍କୁ ଲିମ୍‌କା ବୁକ୍ ଅଫ୍ ରେକର୍ଡସ୍‌ରେ ପଞ୍ଜିକୃତ କରାଇଥିଲା ।

ଅମିନ୍‌ଙ୍କ ବିୟୋଗଗତ ସମ୍ବାଦ ଦେଶର ସମସ୍ତ ୮୦/୯୦ ଦଶକର ରେଡିଓ ଶ୍ରୋତାଙ୍କୁ ଶୋକାବିଭୂତ କରିଦେଇଛି । ସେହିପରି ଅନୁ ମଲିକ୍‌, ଉଦିତ୍ ନାରାୟଣ, ରାଜା ମୁରାଦ୍‌, କୁମାର ସାନୁ, ସୁରେଶ ୱାଡେକରଙ୍କ ଭଳି ବଲିଉଡ୍ ଜଗତର ଅନେକ ନାମୀ ଦାମୀ କଳାକାର, ଗାୟକ ମଧ୍ୟ ଅମିନ୍‌ଙ୍କ ସହ କଟାଇଥିବା ମୁହୂର୍ତ୍ତର ସ୍ମୃତି ଚାରଣ କରିବା ସହ ଗୀତମାଲାରେ ତାଙ୍କ ଉପସ୍ଥାପନ ଶୈଳୀ ଏବଂ ସ୍ୱର ଶୁଣିବା ପାଇଁ ସେସମୟରେ ଦେଶବାସୀଙ୍କ ମଧ୍ୟରେ ଦେଖାଯାଇଥିବା ଉନ୍ମାଦନା ସମ୍ପର୍କରେ କହିଛନ୍ତି । ଅମିନ୍‌, ନିଜ ସମୟରେ ମୁମ୍ବାଇରେ ଷ୍ଟ୍ରଗଲ୍ କରୁଥିବା ଯୁବପୀଢ଼ିଙ୍କୁ ସହଯୋଗର ହାତ ବଢ଼ାଉଥିବା ରାଜା ମୁରାଦ୍ କହିଛନ୍ତି । ସେହିପରି ଉଦିତ୍ ନାରାୟଣ, ଅମିନ୍‌ଙ୍କ ସ୍ୱର, ଈଶ୍ୱରଙ୍କ ସ୍ୱର ଥିଲା ବୋଲି କହିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button