
ପୁରୀ: ମଧ୍ୟ ରାତ୍ରିରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁରୀ ଜିଲ୍ଲା ବାସେଳିସାହି ଥାନା ପୁଲିସ ଅତର୍କିତ ଚଢ଼ଉ କରିଛି। ଏହି ଚଢ଼ଉ ସମୟରେ ୫ ଜଣ ପୁରୁଷ ଓ ଜଣେ ମହିଳା ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ମୋବାଇଲ୍, ଗାଡ଼ି ଓ ଟଙ୍କା ସହିତ କିଛି ଆପତ୍ତିଜନକ ଜିନିଷ ଜବତ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣ ପୁରୁଷ (ବୟସ ଯଥାକ୍ରମେ ୨୩, ୨୭ ଓ ୨୧) ପୁରୀ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୨ ଜଣ (ଯଥାକ୍ରମେ ୨୨ ଓ ୨୮) ଗଂଜାମ ଜିଲ୍ଲା ନିବାସୀ। ପୁଲିସ ମହିଳା (୨୩ ବର୍ଷ) ଅଭିଯୁକ୍ତଙ୍କ ବିଷୟରେ କିଛି କହିନାହିଁ।ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ବାସେଳିସାହି ଥାନା ଅନ୍ତର୍ଗତ ପାଇକସାହିରେ ବୁଧବାର ରାତିରେ ଅତର୍କିତ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଜଣେ ମହିଳା ସମେତ ୬ ଜଣ ଅଭିଯୁକ୍ତ ବଡ଼ଧରଣର ଡକାୟତି ପାଇଁ ଯୋଜନା କରୁଥିଲେ। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ କିଛି ବ୍ୟବହୃତ ଓ ଅବ୍ୟବହୃତ କଣ୍ଡୋମ୍, ଯୌନ ଉଦ୍ଦୀପକ ଔଷଧ, ଏକ କାର୍ (ଓଡ଼ି୦୨ପି-୯୬୯୩), ବାଇକ୍ ଓଡି୧୩ଆର-୬୦୦୪, ଓଡି୦୨ଏଏସ୍-୫୧୪୯, ଓଡି୧୩ଆର୍-୪୩୫୭ ଓ ଓଆର୦୭ଏସ୍-୭୩୭୭, ନଗଦ ୫ ହଜାର ଟଙ୍କା ଓ ୫ଟି ମୋବାଇଲ୍ ଫୋନ୍ ଜବତ କରିଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ପୁଲିସ ଅଧିକ ତଦନ୍ତ କରୁଛି।