ଝାରସୁଗୁଡାରେ କାର୍ଡିଆକ୍ କେୟାର ହସ୍ପିଟାଲ୍ ଉଦ୍ଘାଟିତ – Ibnodisha

[ad_1]
ସମ୍ବଲପୁର: ମହାନଦୀ କୋଲ୍ଫିଲ୍ଡସ ଲିମିଟେଡ୍ (ଏମ୍ସିଏଲ୍) ସମାଜସେବା କ୍ଷେତ୍ରରେ ନିଜ ପ୍ରତିବଦ୍ଧତା ପ୍ରଦର୍ଶନ ଜାରି ରଖିଛି । ଏହିକ୍ରମେ ମଙ୍ଗଳବାର ଏମ୍ସିଏଲ୍ ପକ୍ଷରୁ ଝାରସୁଗୁଡା ଠାରେ ଏକ କାର୍ଡିଆକ୍ କେୟାର ହସ୍ପିଟାଲ୍ ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ହସ୍ପିଟାଲର ଉଦ୍ଘାଟନ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଏମ୍ସିଏଲ୍ର ଟେକ୍ନିକାଲ, ପ୍ରକଳ୍ପ ଏବଂ ଯୋଜନା ବିଭାଗ ନିର୍ଦ୍ଦେଶକ ଅକ୍ଷୟ ଏସ୍ ବାପତ୍ ଏଠାରେ ଉପସ୍ଥିତ ରହିଥିଲେ ।
ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏମ୍ସିଏଲ୍ ପକ୍ଷରୁ ଝାରସୁଗୁଡା ଠାରେ ଏହି ହସ୍ପିଟାଲର ନିର୍ମାଣ କରାଯାଇଛି । ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ହେବାକୁ ଥିବା ଏହି ୧୦୦ ଶଯ୍ୟାବିଶିଷ୍ଟ କାର୍ଡିଆକ୍ କେୟାର (ହୃଦ୍ରୋଗ) ହସ୍ପିଟାଲ ପାଇଁ ଏମ୍ସିଏଲ୍ ପକ୍ଷରୁ ପ୍ରାୟ ୧୦୩.୫୮ କୋଟି ଟଙ୍କାର ପାଣ୍ଠି ଖର୍ଚ୍ଚ କରାଯାଇଛି । ଏମ୍ସିଏଲ୍ର କର୍ପୋରେଟ୍ ସୋସିଆଲ ରେସପନ୍ସିବିଲିଟି (ସିଏସ୍ଆର୍) ଅନ୍ତର୍ଗତ ଏହି ପାଣ୍ଠିକୁ ବିନିଯୋଗ କରାଯାଇଛି ।
ଏଥିରେ ହସ୍ପିଟାଲର ଭିତ୍ତିଭୂମୀ ସହ ମେଡିକାଲ କର୍ମଚାରୀ ଏବଂ ଡାକ୍ତରଙ୍କ ପାଇଁ ଆବାସିକ ବିଲ୍ଡିଂ ସବୁ ନିର୍ମାଣ କରାଯାଇଛି । ଏତଦ୍ବ୍ୟତୀତ ଏହି ପାଣ୍ଠି ଦ୍ୱାରା ମେଡିକାଲ ସରଞ୍ଜାମ, ମେସିନାରୀ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ଆଦିର ବ୍ୟବସ୍ଥା କରାଯାଇଛି । ପଶ୍ଚିମଓଡ଼ିଶାରେ ସ୍ୱାସ୍ଥ୍ୟସେବା ବିଶେଷକରି ହୃଦ୍ରୋଗଜନିତ ଅତ୍ୟାଧୁନିକ ସେବା କ୍ଷେତ୍ରରେ ଏହି ହସ୍ପିଟାଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ବିଶ୍ୱାସ ସୃ୍ଷ୍ଟି ହୋଇଛି । ହସ୍ପିଟାଲରେ ଅତ୍ୟାଧୁନିକ ମେଡିକାଲ୍ ଟେକ୍ନୋଲୋଜିର ବ୍ୟବହାର ପଶ୍ଚିମ ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ହୃଦ୍ରୋଗଜନିତ ସେବା ଯୋଗାଇଦେବା ପାଇଁ ସମର୍ପିତ ବୋଲି ଏମସିଏଲ୍ ପକ୍ଷରୁ ଦର୍ଶାଯାଇଛି ।
[ad_2]



