ଯାଜପୁର:IBN ଓଡିଶା-ଫାଇଭ୍-ଟି ବ୍ୟବସ୍ଥା ଅଧୀନ ସ୍ମାର୍ଟ୍ ସ୍କୁଲକୁ କମ୍ପ୍ୟୁଟର ଯୋଗାଣ ପାଇଁ ହୋଇ ଆସିଥିବା ଜିଇଏମ୍ ବିଡ଼ିଂରେ ଫିକ୍ସିଂ ଓ ଦୁର୍ନୀତି ଅଭିଯୋଗ ଆସିଛି।ଗଭର୍ଣ୍ଣମେଣ୍ଟ୍ ଇ-ମାର୍କେଟିଂ ପ୍ଲେସ ବା ଜିଇଏମରେ ବିଡ଼ିଂ ପାଇଁ ତାଲିକାଭୁକ୍ତ ହୋଇ ନ ଥିବା ଏପିସି ବ୍ରାଣ୍ଡ୍ ୟୁପିଏସର ଅଧିକାରୀ ଓ ନିର୍ଦ୍ଦିଷ୍ଟ କିଛି ଡି଼ଲରଙ୍କ ସହିତ ବିଡ଼ିଓମାନେ ମଧୁଚନ୍ଦ୍ରିକା କରି ଚଞ୍ଚକତାପୂର୍ଣ୍ଣ ଉପାୟରେ ଜିଇଏମ୍ ବିଡ଼ିଂକୁ ଫିକ୍ସିଂ କରିବାକୁ ବେଶ୍ ସଫଳ ହୋଇ ଆସିଛନ୍ତି । ଏପିସିର ବହୁ ସ୍ଵୀକୃତିପ୍ରାପ୍ତ ଡି଼ଲର୍ ଜିଇଏମ୍ ବିଡ଼ିଂରେ ଅଂଶ ଗ୍ରହଣ କରୁଥିବା ବେଳେ ବିଡ଼ିଓମାନେ ଅନାବଶ୍ୟକ ଭାବେ ବିଡ଼ରଙ୍କଠାରୁ ବିଡ଼ିଂ ପାଇଁ ପୁନଶ୍ଚ ଏକ ସ୍ଵୀକୃତି ପ୍ରମାଣପତ୍ର ଦାଖଲ କରିବାକୁ ବିଡ଼ିଂରେ ନିୟମ ଧାର୍ଯ୍ୟ କରୁଛନ୍ତି । ମନିଟର୍ ପ୍ରସ୍ତୁତକାରୀ ସଂସ୍ଥା କମ୍ପାନୀ ଏଚପି ପକ୍ଷରୁ ବିଡ଼ିଂରେ ଅଂଶ ଗ୍ରହଣ କରୁଥିବା ସବୁ ଡି଼ଲରଙ୍କୁ ବିଡ଼ିଂ ପାଇଁ ସ୍ଵୀକୃତି ପ୍ରମାଣପତ୍ର ଦେଇ ଦେଉଛନ୍ତି; କିନ୍ତୁ ୟୁପିଏସ ପ୍ରସ୍ତୁତକାରୀ ସଂସ୍ଥା ଏପିସି ପକ୍ଷରୁ ତାର ଡି଼ଲରଙ୍କୁ ବିଡ଼ିଂ ପାଇଁ ସ୍ଵୀକୃତି ପ୍ରମାଣପତ୍ର ନ ଦେଇ ଯେଉଁମାନେ ବିଡ଼ିଓଙ୍କ ସହ ବିଡ଼ିଂ ଫିକ୍ସିଂ କରି ପାରୁଛନ୍ତି ସେଇମାନଙ୍କୁ ହିଁ କେବଳ ସ୍ଵୀକୃତି ପ୍ରମାଣପତ୍ର ପ୍ରଦାନ କରୁଛନ୍ତି । କମ୍ପ୍ୟୁଟର ପିଛା ୧୦/୧୨ହଜାର ଟଙ୍କା କମିଶନ କାରବାର ହେଉଥିବାରୁ ବିଡ଼ର ମାନେ ଚଢ଼ା ଦରରେ ନିମ୍ନମାନର କମ୍ପ୍ୟୁଟର ଯୋଗାଉଥିଲା ବେଳେ ତାହା ଉପରେ କେହି ଆପତ୍ତି ଉଠାଉ ନାହାନ୍ତି । ଜିଲ୍ଲା ଇନଫର୍ମେସନ୍ ଅଧିକାରୀ, ଇ-ଗଭାର୍ଣ୍ଣାନ୍ସ ମ୍ୟାନେଜର୍ କିମ୍ୱା ରାଜ୍ୟସ୍ତରୀୟ ନିରୀକ୍ଷଣ ସଂସ୍ଥା ଓକାକ୍ ପକ୍ଷରୁ ମଧ୍ୟ ଯୋଗାଣ ହେଉଥିବା କମ୍ପ୍ୟୁଟର ଗୁଡ଼ିକର ମାନ ଯାଞ୍ଚ୍ କରିବାକୁ ଏଯାଏଁ କେବେ ବି ଆଗ୍ରହ ଦେଖାଇ ନାହାନ୍ତି; ଯାହା ସ୍ବାଭାବିକ ଭାବେ ଆଶ୍ଚର୍ଯ୍ୟ କରୁଛି ।
ଧର୍ମଶାଳା ଓ ବିଞ୍ଝାରପୁର ବିଡ଼ିଓ ଚଢ଼ା ଦରରେ କମ୍ପ୍ୟୁଟର କିଣିଥିବା ନେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ନଜରକୁ ଆସିବା ପରେ ସେ କମ୍ପ୍ୟୁଟର ପିଛା ୩୫ରୁ ୪୦ହଜାର ଟଙ୍କା ମଧ୍ୟରେ କିଣିବାକୁ ସବୁ ବିଡ଼ିଓଙ୍କ ଉପରେ କଟକଣା ଜାରି କରିଥିଲେ ! ଦଶରଥପୁର ଓ କୋରାଇ ବିଡ଼ିଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ କଟକଣା ଦର ମଧ୍ୟରେ କମ୍ପ୍ୟୁଟର ସବୁ ଖରିଦ୍ କରିଥିଲେ ମଧ୍ୟ ବଡ଼ଚଣା ଓ ରସୁଲପୁର ବିଡ଼ିଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି କାହା ସ୍ୱାର୍ଥରେ ତେବେ ନିର୍ଦ୍ଦିଷ୍ଟ କିଛି ସଂସ୍ଥାଙ୍କ ଚଢ଼ା ଦରର ବିଡ଼ିଂକୁ ସ୍ଵୀକୃତି ଦେଇ ସେମାନଙ୍କୁ ଏବେ କମ୍ପ୍ୟୁଟର ଯୋଗାଣ ପାଇଁ ଆଦେଶ ଦେଇଛନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଞ୍ଝାରପୁର ବ୍ଲକ ଯେଉଁ ସଂସ୍ଥାଠାରୁ କମ୍ପ୍ୟୁଟର କିଣିଥିଲା ବଡ଼ଚଣା ବିଡ଼ିଓ ଏବେ ସେହି ସଂସ୍ଥାଠାରୁ କିଣିବାକୁ ଆଗ୍ରହ ଦେଖାଇଥିବା ବେଳେ ଧର୍ମଶାଳା ବ୍ଳକ୍ ଯେଉଁ ତିନୋଟି ସଂସ୍ଥାଠାରୁ କମ୍ପ୍ୟୁଟର କିଣିଥିଲା ରସୁଲପୁର ବିଡ଼ିଓ ସେହି ତିନି ସଂସ୍ଥାଠାରୁ ବି କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କ ଆକଟ ଯୋଗୁଁ କିଛି ମାସ ତଳେ ବିଡ଼ିଂ କରି କିଣିବାକୁ ଆଉ ଆଦେଶ ନ ଦେଇ ଚୁପ୍ ବସିଥିବା ବଡ଼ଚଣା ବିଡ଼ିଓ ଅଜିତ୍ ନାରାୟଣ ପ୍ରସାଦ ଗିରିଙ୍କର ବଦଳି ଆଦେଶ ପ୍ରକାଶ ପାଇବା ପରେ ସେ କୁଆଡ଼େ ପିସି ନେଇ ପିଛିଲା ତାରିଖରେ କମ୍ପ୍ୟୁଟର ଯୋଗାଣ ପାଇଁ କଟକର ପ୍ରଫେସନାଲ୍ କମ୍ପ୍ୟୁଟର ସଂସ୍ଥାକୁ ଆଦେଶ ଦେଇଥିବା କଥା ଜଣାପଡ଼ିଛି । କେବଳ ସେତିକି ନୁହେଁ ଆବେଦନକାରୀ ବିଡ଼ରଙ୍କ କାଗଜପତ୍ର ଯାଞ୍ଚ୍ କରିବା ପରେ ସେମାନଙ୍କ ମଧ୍ୟରୁ କେବଳ ସେହି ଗୋଟିଏ ସଂସ୍ଥା ପ୍ରଫେସନାଲ୍ କମ୍ପ୍ୟୁଟର ବିଡ଼ିଂ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ତାଙ୍କ ସହ ଆଉ ଦ୍ବିତୀୟ କୌଣସି ବିଡ଼ର ନଥିବା ସ୍ଥଳେ ବଡ଼ଚଣା ବିଡ଼ିଓ ସେହି ବିଡ଼ିଂକୁ ନାକଚ୍ ନ କରି ସଂପୃକ୍ତ ସଂସ୍ଥାର ଏକମାତ୍ର ବିଡ଼ିଂକୁ ଅନିୟମିତ ଭାବେ କେମିତି ଗ୍ରହଣ କରିନେଇ ତାହାକୁ କମ୍ପ୍ୟୁଟର ଯୋଗାଣ ପାଇଁ ଆଦେଶ ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ଏବେ ତାହାର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ଆବଶ୍ୟକ ହୋଇ ପଡ଼ିଛି । ଅନ୍ୟପକ୍ଷରେ ବିଡ଼ରମାନେ ବିଭିନ୍ନ ସମୟରେ ଏଭଳି ଅନିୟମିତ କାର୍ଯ୍ୟକୁ ସ୍ଵୀକୃତି ଦେଇଥିବା ବିଡ଼ିଓ ମାନଙ୍କ ନିକଟରେ ତାହା ଉପରେ ଆପତ୍ତି ଉଠାଇବା ସହିତ ଯାଜପୁର ଜିଲ୍ଲାପାଳଙ୍କ ସମେତ ପଞ୍ଚାୟତିରାଜ ବିଭାଗ ସଚିବ ଏବଂ ଫାଇଭ୍-ଟି ସଚିବଙ୍କ ନିକଟରେ ଏଥିନେଇ ଅଭିଯୋଗ କରିଥିଲେ ମଧ୍ୟ ତାହା ଉପରେ ଏଯାଏଁ ତଦନ୍ତ କିମ୍ୱା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ଘଟଣା ମଧ୍ୟ ଏବେ ସ୍ବାଭାବିକ ଭାବେ ଆହୁରି ଅଧିକ ଆଶ୍ଚର୍ଯ୍ୟ କରିଛି ।ତୁରନ୍ତ ଉପରିସ୍ତ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି।