ବିଦ୍ୟୁତ ବିଲ ପୈଠ ଅର୍ଥ ନପାଇଲେ ଧାରଣା ଦେବେ ସରପଞ୍ଚ

ଯାଜପୁର:IBN ଓଡିଶା-ଧର୍ମଶାଳା ଧର୍ମଶାଳା ବ୍ଲକ କୁମାରୀ ପଞ୍ଚାୟତ ଅଧିନସ୍ଥ ଦେଉଳି ଠାରେ ଥିବା କୁମାରୀ-୨ ପାନୀୟ ଜଳ ପ୍ରକଳ୍ପଟି ଗତ ୬ ବର୍ଷ ହେଲା ଅଚଳ ହୋଇ ପଡିଛି। ହେଲେ ମାସକୁ ମାସ ପଞ୍ଚାୟତକୁ ଆସୁଛି ବିଦ୍ୟୁତ୍ ବିଲ। ବକେୟା ବିଲ ବାବଦକୁ ଏବେ ୪ ଲକ୍ଷ ୮ ହଜାର ଟଙ୍କା ପଞ୍ଚାୟତ ଉପରେ ବୋଝ। ଏପରିକି ଏହି ବିଲ ପରିଶୋଧ ପାଇଁ ବିଦ୍ୟୁତ୍ ବିଭାଗର ଯନ୍ତ୍ରୀ ଓ କର୍ମଚାରୀ ମାନେ ବାରମ୍ବାର ବାଧ୍ୟ କରିବାରୁ ସରପଞ୍ଚଙ୍କ ନିର୍ଦ୍ଦେଶ କ୍ରମେ ଗତ କିଛି ମାସକ ତଳେ ପଞ୍ଚାୟତରେ ନୂତନ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଥିବା ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) ଏହି ବକେୟା ବିଲରୁ ୩ ଲକ୍ଷ ୯୩ ହଜାର ଟଙ୍କା ପୈଠ କରିଛନ୍ତି। କିନ୍ତୁ ପରେ ଜଣା ପଡିଛି ଯେ, ଏହି ପ୍ରକଳ୍ପଟି ୨୦୧୬ ମସିହାରୁ ଅଚଳ। ତେବେ ଏହି ପୈଠ ବିଲକୁ ପଞ୍ଚାୟତକୁ ପୁନଃ ଫେରସ୍ତ ପାଇଁ ସରପଞ୍ଚ ଦାବି କରିଛନ୍ତି। ତେବେ ଘଂଚ ଜଙ୍ଗଲ ଓ ଚାରିପଟେ ଗଛ ଲତା ଭିତରେ ଅଦୃଶ୍ୟ ହୋଇପଡିଥିବା ଏହି ପ୍ରକଳ୍ପ ନିକଟକୁ ବିଦ୍ୟୁତ୍ କର୍ମଚାରୀ ମାନେ ଯାଇ ପ୍ରତିମାସ ସେଠାରୁ କିପରି ବିଲ ପ୍ରସ୍ତୁତ କରୁଛନ୍ତି ଓ ଏହା ସଚଳ କି ଅଚଳ ଜାଣି ପାରୁ ନାହାଁନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଘଟଣାରୁ ପ୍ରକାଶ ଯେ, ଗତ ୧୩ ବର୍ଷରୁ ଉର୍ଦ୍ଧ ହେବ କୁମାରୀ ଓ ଜାରକା ଗ୍ରାମକୁ ପିଇବା ପାଣି ଯୋଗାଇ ଦେବା ନିମନ୍ତେ ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଦେଉଳି ଗାଁ ନିକଟରେ ଭୂତଳ ଜଳ ସଂରକ୍ଷଣ ଓ ଯୋଗାଣ ପ୍ରକଳ୍ପ କରାଯାଇଥିଲା। ବ୍ରାହ୍ମଣୀ ନଦୀର ଜଳକୁ ବିଶୋଧନ ଓ ପରିଷ୍କାର କରାଯାଇ ଚହଟା ଜଳ ଯୋଗାଣ ପ୍ରକଳ୍ପରୁ ନଦୀ ବନ୍ଧ ପାର୍ଶ୍ଵ ରେ ପାଇପ୍ ଯୋଗେ ସିଧାସଳଖ ଆସି ଦେଉଳି ଠାରେ ଥିବା କୁମାରୀ – ୨ ଭୂତଳ ଜଳ ସଂରକ୍ଷଣ ସ୍ଥାନରେ ପହଞ୍ଚିବ। ସେଠାରୁ ପୁଣି ବିଦ୍ୟୁତ୍ ମଟର ଯୋଗେ କୁମାରୀ ଓ ଜାରକା ଗାଁକୁ ଜଳ ଯୋଗାଣ ହେବା ଉଦ୍ଦେଶ୍ୟରେ ସଂରକ୍ଷଣ ଟାଙ୍କି ଓ ପମ୍ପ ହାଉସ ନିର୍ମାଣ କରାଯାଇଥିଲା। ସେଠାରେ ଟ୍ରାନଫର୍ମର ସ୍ଥାପନ ଓ ପାଣି ମଟର ସଂଯୋଗ କରାଯାଇଥିଲା। ଯାହାକି ଗତ ୨.୨.୨୦୦୯ରେ ସେଠାକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବା ବିଲ ରେ ଉଲ୍ଲେଖ ରହିଛି। ପ୍ରକଳ୍ପଟି
କିଛି ବର୍ଷ ଚାଲିବା ପରେ ରାଜପଥ ସମ୍ପ୍ରସାରଣ ସମୟରେ ପାଇପ୍ ଗୁଡ଼ିକ ବାରମ୍ବାର ଫାଟି ଗଲା। ଏହାକୁ ଆଉ ମରାମତି କରାଯାଇ ନଥିଲା। ଏହାର କିଛି ବର୍ଷ ପରେ କୁମାରୀ ଠାରେ ଆଉ ଏକ ଜଳ ଯୋଗାଣ ପ୍ରକଳ୍ପ ହେବା ପରେ ସେଠାରୁ ଲୋକମାନେ ପାନୀୟ ଜଳ ପାଇଥିଲେ। ୨୦୧୬ ଠାରୁ ଏହି ପ୍ରକଳ୍ପଟି ସମ୍ପୂର୍ଣ ଅଚଳ ହୋଇ ପଡ଼ିଥିଲା। ସେତେ ବେଳେ ଏହା ଜାରକା ପଞ୍ଚାୟତ ଅଧିନରେ ଥିଲା। ୨୦୧୭ ରେ କୁମାରୀ ପଞ୍ଚାୟତ ପୁନର୍ଗଠନ ହେବା ପରେ ଏହା କୁମାରୀ ପଞ୍ଚାୟତ ଅଧିନକୁ ଚାଲି ଆସିଥିଲା। ଏହା ଅଚଳ ସତ୍ତ୍ୱେ ମାସିକ ବିଲ ଆସୁଥିଲା। କିନ୍ତୁ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ପଞ୍ଚାୟତ ପାଣ୍ଠିରୁ କୌଣସି ବିଲ ଦିଆଯାଇ ନଥିଲା। ୨୦୧୬ ରେ ଏହା ଅଚଳ ହୋଇ ପଡ଼ିଥିବାରୁ ବିଦ୍ୟୁତ ସଂଯୋଗ ଛିନ୍ନ କରିବା ପାଇଁ ବ୍ଲକ ଜଳ ଯୋଗାଣ ଯନ୍ତ୍ରୀ ବିଦ୍ୟୁତ୍ ବିଭାଗକୁ ଜଣାଇବା ସତ୍ତ୍ୱେ ଏହି ବିଲ ସେମିତି ମାସକୁ ମାସ ଆସୁଥିଲା। ଯାହାକି ସେପ୍ଟେମ୍ବର ୨୦୨୨ ସୁଦ୍ଧା ୪ ଲକ୍ଷ ୮ହଜାର ଟଙ୍କାରେ ଆସି ବକେୟା ବିଲ ପହଞ୍ଚି ଥିଲା। ଏହି ବିଲକୁ ତୁରନ୍ତ ପରିଶୋଧ ପାଇଁ ସ୍ଥାନୀୟ ଜାରକା ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ପଞ୍ଚାୟତ ଉପରେ ଚାପ ସୃଷ୍ଟି କରିଥିଲେ। ତେବେ ପ୍ରକଳ୍ପଟି ଅଚଳ କି ସଚଳ ତାହା ଅନୁସଂଧାନ ନକରି ନୂଆ କରି କାର୍ଯ୍ୟ ଭାର ନେଇଥିବା ପିଇଓ ପଞ୍ଚାୟତ ବିକାଶ ପାଣ୍ଠି ରୁ ୩ ଲକ୍ଷ ୯୩ ହଜାର ଟଙ୍କା ଗତ ୧୩ ତାରିଖରେ ଅନଲାଇନ ଯୋଗେ ପୈଠ କରିଥିଲେ। ତେବେ ଗତ ଦୁଇଦିନ ତଳେ ସରପଞ୍ଚ ଏହାର ଅନୁସଂଧାନ କରିବା ପରେ ଉକ୍ତ ପ୍ରକଳ୍ପଟି ୨୦୧୬ ରୁ ଅଚଳ ହୋଇପଡିଛି ବୋଲି ଜାଣିବାକୁ ପାଇଥିଲେ। ଏନେଇ ଆଜି ବିଦ୍ୟୁତ୍ ବିଭାଗ ଓ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଉକ୍ତ ପ୍ରକଳ୍ପ ସ୍ଥାନକୁ ନେଇ ଯୁଗ୍ମ ତଦନ୍ତ କରିଥିଲେ। ପରେ ପଞ୍ଚାୟତ ଅଫିସରେ ସରପଞ୍ଚ, ପିଇଓ ଏବଂ ଦୁଇ ବିଭାଗର କନିିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ବିଦ୍ୟୁତ୍ ବିଭାଗରୁ କିପରି ଏହି ପ୍ରଦତ୍ତ ଅର୍ଥ ଫେରାଇ ଅଣାଯିବ ସେ ନେଇ ଆଲୋଚନା କରାଯାଇଥିଲା।
ଏ ସଂପର୍କରେ ଜାରକା ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ଅବନୀକାନ୍ତ ବେହେରା କହିଛନ୍ତି ଯେ, ଏହା ଥ୍ରି ଫେଜ୍ ଲାଇନ। ଏହାର ମିଟର ରିଡ଼ିଂ ପ୍ରତିମାସ ଡିଭିଜନ ପକ୍ଷରୁ ନିଆଯାଇଥାଏ। ଆମକୁ କେବଳ ଅର୍ଥ ଆଦାୟ ନିମନ୍ତେ କୁହାଯାଏ। ଏହା ସଚଳ କି ଅଚଳ ଆମେ ଜାଣିନୁ। ସରପଞ୍ଚଙ୍କ ଠାରୁ ଅଭିଯୋଗ ପାଇବା ପରେ ଆମେ ପ୍ରକଳ୍ପ ସ୍ଥଳକୁ ଆଜି ଯାଇଥିଲୁ। ବାସ୍ତବିକ୍ ଏହା ଅଚଳ। ତେବେ ପଞ୍ଚାୟତ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ଦିଆଯାଇଥିବା ବିଦ୍ୟୁତ୍ ବିଲ ସମସ୍ୟା କିପରି ସମାଧାନ ହେବ ଓ ଏହି ଟଙ୍କା ଫେରସ୍ତ ନିମନ୍ତେ ସେ ଉଚ୍ଚ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ସେହିପରି ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଦୀପକ ଜେନା କହିଛନ୍ତି ଯେ, ଏହି ପ୍ରକଳ୍ପରୁ ବିଦ୍ୟୁତ୍ ସଂଯୋଗ ଛିନ୍ନ ନିମନ୍ତେ ୨୦୧୬ ରୁ ବିଦ୍ୟୁତ୍ ବିଭାଗକୁ ଜଣାଯାଇଛି। ବିନା ବିଦ୍ୟୁତ୍ ରେ ସେମାନେ କିପରି ମିଟର ରିଡିଂ ନେଇ ବିଲ ପ୍ରସ୍ତୁତ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ପଞ୍ଚାୟତର ବିକାଶ ନିମନ୍ତେ ଅର୍ଥ ରହିଥିଲା। ହେଲେ ବିଦ୍ୟୁତ୍ ବିଭାଗ ବାରମ୍ବାର ଚାପ ଦେବାରୁ ଆମେ ବିଲ ଭୁଲ୍ କ୍ରମେ ପୈଠ କରିଛୁ। ଯାହା ଫଳରେ ଆମ ପାଖେ ଅର୍ଥ ର ଅଭାବ ରହିଛି। ତେବେ ଆସନ୍ତା ୧୫ ଦିନ ମଧ୍ୟରେ ଆମେ ଏହି ଭୁଲ୍ ବିଲ ଫେରି ନପାଇଲେ ବିଦ୍ୟୁତ୍ ଅଫିସ ଆଗରେ ଧାରଣା ଦେବୁ ବୋଲି ସରପଞ୍ଚ କ୍ଷୀରୋଦପ୍ରଭା ସାମଲ କହିଛନ୍ତି।