IBN ଓଡ଼ିଶା ବ୍ୟୁରୋ

୨୦୩୬ ମସିହାରେ ମାଣ୍ଡିପଙ୍କା!

ଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି କନ୍ଧମାଳ ଜିଲାର ଏକ କ୍ଷୁଦ୍ର ସହର। ଏହା ମଧ୍ୟ ସେହି ବ୍ଲକର ସଦର ମହକୁମା। ଶୀତ ଦିନେ ଏଠାରେ ତୁଷାରପାତ ହେଉଥିବାରୁ ଏଠାକାର ପାଇନ ଗଛର ଜଙ୍ଗଲରେ ପତଳା ତୁଷାର ଆସ୍ତରଣ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କଲାବେଳେ ସ୍ଥାନୀୟ ଗରିବ ଆଦିବାସୀଙ୍କୁ ଦାରିଦ୍ର୍ୟ ଓ ତଜ୍ଜନିତ ଖାଦ୍ୟାଭାବ ହିଁ ଆଛନ୍ନ କରି ରଖିଥାଏ।

ଶୀତରାତିରେ ପର୍ଯ୍ୟଟକମାନେ ହୋଟେଲ୍ ଓ ଅତିଥି ଭବନରେ ରହି ମଉଜ ମଜଲିସରେ ରଙ୍ଗିନ ରାତି କାଟୁଥିବା ବେଳେ ଅନତି ଦୂରରେ ଥିବା ଆଦିବାସୀଙ୍କ ଚାଳ ଉପରୁ ଚୁଲିର ଧୂଆଁ ଉଠେନି। ଚରମ ଦାରିଦ୍ର୍ୟ ଭିତରେ ଆଉଟୁପାଉଟୁ ହେଉଥିବା ମା’ ନିଜର ରକ୍ତ ଦେଇ ଗଢ଼ିଥିବା ସନ୍ତାନ ପେଟରେ ଆହାର ଦେବା ପାଇଁ ଝଡ଼ିବର୍ଷା ରାତିରେ ମାଟି ବଣାରୁ ଯତ୍ନରେ ସାଇତି ରଖିଥିବା ଆମ୍ବ କୋଇଲିର ଅଟା ବ୍ୟବହାର କରେ। ଖରା ଦିନେ ପାଚିଲା ଆମ୍ବ ଖାଇ, ଟାକୁଆରୁ କୋଇଲି କାଢ଼ି ସେଗୁଡିକୁ ଖରାରେ ଶୁଖାଇ ଗୁଣ୍ଡ କରି ମାଟି ବଣାରେ ସାଇତି ରଖିଥାଏ- ଖାଇବାକୁ ଚାଉଳ, ମାଣ୍ଡିଆ, ସୁଆଁ କି ମକା କିଛି ନମିଳିଲେ ସାରା ପରିବାରକୁ ଆମ୍ବ କୋଇଲିର ଅଟାକୁ ରାନ୍ଧି ତ ଖୁଆଇ ପାରିବ! ତା ସାଥିରେ ଶୋରିଷ ପତ୍ରକୁ ଶୁଖାଇ, ଗୁଣ୍ଡ କରି ରଖିଥିବା ପତ୍ରରୁ ମୁଠାଏ କୋଇଲି ଜାଉରେ ପକାଇ ରାନ୍ଧି ଦେଲେ ତିନି ଚାରି ଓଳି ଚିନ୍ତା ନଥାଏ। ପେଟକୁ ଦାନା ଦେଇ ନପାରିଲେ ମା’ ଜନମକୁ ଧିକ୍!

ଏମିତି ଏକ ଭାବନା କିଛି ନୂଆ ନୁହେଁ ଅବିଭକ୍ତ କୋରାପୁଟ, ବଲାଙ୍ଗିର, କନ୍ଧମାଳ ଜିଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ। ଆଦିବାସୀମାନେ ଆମ୍ବ ଟାକୁଆ ଖାଉଥିବାର ଖବର ବିଗତ ୧୯୮୦ ଓ ୯୦ ଦଶକରେ ଥିଲା ଅନାହାର ମୃତ୍ୟୁର ପ୍ରତୀକ। ସେତେବେଳେ ଓଡ଼ିଶାରେ କଂଗ୍ରେସ ଦଳ ଶାସନ କ୍ଷମତାରେ ଥିଲା ଓ ଜାନକୀ ବଲ୍ଲଭ ପଟ୍ଟନାୟକ ଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟବାସୀଙ୍କୁ ଖାଇବାକୁ ଦେଇ ପାରୁ ନଥିବାର ନିନ୍ଦା ସହ ଆଦିବାସୀଙ୍କ ଅନାହାର ମୃତ୍ୟୁର କଳଙ୍କର କାଳିମା ଯେପରି ନ ଲାଗିବ ସେଥିପାଇଁ ରୀତିମତ କସରତ କରିବାକୁ ପଡୁଥିଲା ତତ୍କାଳୀନ ସରକାରଙ୍କୁ। ୨୦୦୧ ବିଜୁ ଜନତା ଦଳ ସରକାର ବିରୁଦ୍ଧରେ ମଧ୍ୟ ସମାନ ଅଭିଯୋଗ ଆସିଥିଲା, ଯେତେବେଳେ ରାୟଗଡ଼ା ଜିଲ୍ଲାର ୨୪ ଜଣ ଆଦିବାସୀ ଜଙ୍ଗଲୀ ଛତୁ ତରକାରୀ ଓ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ବରଣ କରିଥିଲେ। ଏବେ ଖାଦ୍ୟ ସୁରକ୍ଷା ଓ ଅନ୍ତ୍ୟୋଦୟ ଯୋଜନାରେ ସମସ୍ତ ଆଦିବାସୀଙ୍କୁ ମାଗଣାରେ ଚାଉଳ ଓ ମାଣ୍ଡିଆ ଯୋଗାଇ ଦିଆଯାଉଥିବାର ଡିଣ୍ଡିମ ପିଟି ଡବଲ୍ ଇଞ୍ଜିନ ସରକାର କ୍ଷମତାର ରେଳ ଉପରେ ଦୌଡୁଥିଲା ବେଳେ ଆମ୍ବ ଟାକୁଆ ଜାଉ ଖାଇ ଜୀବନ ହରାଇଛନ୍ତି ଆଦିବାସୀ। ଆଦିବାସୀ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ କ୍ଷୁଧାର ତାଡ଼ନା ଯେ ଏଭଳି ଭୟଙ୍କର ପ୍ରତ୍ୟାବର୍ତ୍ତନ କରିପାରେ ତାହା ବିଶ୍ୱାସ କରି ହେଉନି।

କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଛଅ ଜଣ ବଡ଼ ମେଡିକାଲମାନଙ୍କରେ ଚିକିତ୍ସାଧୀନ ରହିଥିଲେ। ଏହି ଦୁଃଖଦ ଘଟଣାକୁ କନ୍ଧମାଳ ଜିଲାପାଳ ଗୁରୁତ୍ୱ ଦେଇ ଅଧିକାରୀ ଓ ଡାକ୍ତରମାନଙ୍କୁ ଘଟଣାସ୍ଥଳକୁ ପଠାଇ ତଦନ୍ତ କରାଇଛନ୍ତି ଓ ଖାଦ୍ୟାନ୍ନ ବଣ୍ଟନ କେନ୍ଦ୍ର ପରିଦର୍ଶନ କରିଛନ୍ତି। ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁସାରେ ଆମ୍ବ ଟାକୁଆ ଜାଉ ରାନ୍ଧି ଖାଇବା ସହ ତାହାକୁ ଦୁଇ ତିନି ଦିନ ରଖି ଖାଇବା ଫଳରେ ବାସି ଜାଉରେ କବକ (ଫଙ୍ଗସ୍) ସଂକ୍ରମଣ ହୋଇଛି ଏବଂ ଖାଦ୍ୟ ବିଷାକ୍ତ ହୋଇ ମୃତ୍ୟୁର କାରଣ ହୋଇଛି। କୁଆଡ଼େ ଭୋକ ଉପାସ ଯୋଗୁ ନୁହଁ, ବରଂ ପାରମ୍ପରିକ ଖାଦ୍ୟ ଅଭ୍ୟାସ କାରଣରୁ ଆଦିବାସୀମାନେ ଏହି ଜାଉ ଖାଇଛନ୍ତି। ଯଦି ବାସି ଜାଉ ଖାଇ ନ ଥାନ୍ତେ କିମ୍ବା ବାସି ଜାଉରେ କବକ ସଂକ୍ରମଣ ହୋଇନଥାନ୍ତା ହୁଏତ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା ବୋଲି ସରକାର ମଧ୍ୟ କହିଛନ୍ତି। ତେବେ, ସେମାନେ କେଉଁ ଖୁସିରେ ଜାଉ ଖାଇଥିଲେ, ତାହା ହିଁ ପ୍ରଶ୍ନ ଏବଂ ଯାହାର ସିଧା ସଳଖ ସତ୍ୟ ଉତ୍ତର ସରକାର ଦେବାର ସମ୍ଭାବନା ନାହିଁ।

ବିଶ୍ୱର ପଞ୍ଚମ ଅର୍ଥନୀତି ଓ କିଛି ବର୍ଷ ମଧ୍ୟରେ ତୃତୀୟ ଅର୍ଥନୀତି ଭାବେ ଉଭା ହେବାକୁ ସ୍ୱପ୍ନ ଦେଖୁଥିବା ଏବଂ ବିକଶିତ ଭାରତର ନାରା ଦେଉଥିବା ଭାରତରେ ଆଦିବାସୀମାନେ ଆମ୍ୱ ଟାକୁଆ ଖାଇବା ଏକ ବିଡ଼ମ୍ବନା। ରାୟଗଡ଼ା ପରେ କନ୍ଧମାଳ ଜିଲ୍ଲାରେ ଆମ୍ୱ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ଜୀବନ ଚାଲିଯିବା ଏବଂ ଛଅ ଜଣ ଗୁରୁତର ହେବା ପରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଏହା ପଛର କାରଣ ଖାଦ୍ୟ ଅଭାବ ନା ଆମ୍ୱ ଟାକୁଆ ଜାଉ ଖାଇବା ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟପ୍ରୀତି! ଏବେ ‘ଲୋକଙ୍କ ସରକାର’ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ବିଭିନ୍ନ ସମୟରେ ଜାନକୀ ଓ ନବୀନଙ୍କ ଭଳି ସମାଲୋଚନାର ଶରବ୍ୟ ହେବାକୁ ବାଧ୍ୟ। ତାଙ୍କ ଡବଲ୍ ଇଞ୍ଜିନ୍ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ଅଙ୍କୁଳି ଉଠିବା ମଧ୍ୟ ସ୍ୱାଭାବିକ।

ଏହି ଘଟଣା ପରେ ପ୍ରଶ୍ନ ଉଠିଛି ସତରେ କ’ଣ ଆଦିବାସୀମାନେ ସେମାନଙ୍କ ପାରମ୍ପରିକ ଖାଦ୍ୟ ଭାବରେ ଆମ୍ୱ ଟାକୁଆ ଜାଉ ଖାଇଥାନ୍ତି? ଆମ୍ୱ ଟାକୁଆ ଜାଉ ନା ସ୍ୱାଦିଷ୍ଟ ନା ଦେଖିବାକୁ ଆକର୍ଷଣୀୟ! ସେମାନଙ୍କ ପାଖରେ ଭାତ ଥିଲେ ସେମାନେ କ’ଣ ଭାତ ନଖାଇ ଏହି ଜାଉ ତିନି ଦିନ ଧରି ଖାଇଥାଆନ୍ତେ? ବାସ୍ତବ କଥାଟି ହେଲା, ସେମାନେ ପୁରୁଷ ପୁରୁଷ ଧରି ଖାଦ୍ୟାଭାବର ସମ୍ମୁଖୀନ ହୋଇ ଆସିଛନ୍ତି। ଏହା ହିଁ ସେମାନଙ୍କୁ ଶିକ୍ଷା ଦେଇଛି ଯେ, ବଣ ଜଙ୍ଗଲରେ ମିଳୁଥିବା ଫଳମୂଳକୁ ଖାଇ ତାହାକୁ ଶୁଖାଇ ସାଇତି ରଖିବାକୁ। ଖାଇବାକୁ କିଛି ନମିଳିଲେ, ଏସବୁ ସଇତା ଜିନିଷ ଖାଇବା ପାଇଁ। ଏହାକୁ ପାରମ୍ପରିକ ଖାଦ୍ୟ ନକହି କ୍ଷୁଧାର ତାଡ଼ନା ଏବଂ ଅସହାୟତା କହିବା ଠିକ ହେବ। ନଅଙ୍କ ଦୁର୍ଭିକ୍ଷ ବେଳେ ଲୋକମାନେ ପେଟର ଭୋକ ମାରିବା ପାଇଁ ତେନ୍ତୁଳି ଗଛର ପତ୍ର ମଧ୍ୟ ଖାଇ ଯାଇଥିଲେ। ଯେଉଁମାନେ ମରିଗଲେ ସେମାନେ ଅନାହାରରେ ମରି ନଥିଲେ ବୋଲି ତତ୍କାଳୀନ ଇଂରେଜ ସରକାର ସଫେଇ ଦେବା ଭଳି ଆମ ରାଜ୍ୟର ସରକାରମାନେ ମଧ୍ୟ ତାହା ହିଁ ବିଗତ ୪୦ ବର୍ଷ ଧରି କହିଆସୁଛନ୍ତି। ସତେ ଯେମିତି ଲୋକଙ୍କ ପାଖରେ ଖାଦ୍ୟ ନଥିବାରୁ ସେମାନେ କ୍ଷୁଧାର ତାଡ଼ନା ସହି ନପାରି ଆମ୍ବ ଟାକୁଆ ଜାଉ ଖାଇବାକୁ ବାଧ୍ୟ ହୋଇଥିଲେ ବୋଲି ସ୍ୱୀକାର କାରିଗଲେ ସରକାର ଭାଙ୍ଗିଯିବ! ସରକାରୀ ବାବୁଙ୍କ ଅପାରଗତା ଧରା ପଡ଼ିଯିବ!

୧୯୮୦ ଦଶକରେ ଏମିତି ବି ହୋଇଥିଲା ଯେ, କବକ ସଂକ୍ରମଣ ହୋଇ ବିଷାକ୍ତ ହୋଇ ଆସୁଥିବା ଆମ୍ବ ଟାକୁଆ ଜାଉ ଖାଇ ଅନେକ ଆଦିବାସୀଙ୍କ ମୃତ୍ୟୁ ଘଟିଲା ପରେ ପ୍ରଥମତଃ ଅନାହାର ମୃତ୍ୟୁ ନୁହେଁ ବୋଲି କୁହାଯାଇଥିଲା, ଦ୍ୱିତୀୟତଃ ଆମ୍ବ ଟାକୁଆ ଭିତରେ ଥିବା କୋଇଲିର ପୁଷ୍ଟିତତ୍ତ୍ୱ ଉପରେ ଜଣେ କୃଷି ବୈଜ୍ଞାନିକ ଲେଖିଥିଲେ ଯେ, ଏଥିରେ ରହିଛି ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଖାଦ୍ୟତନ୍ତୁ, ଆମିନୋ ଏସିଡ୍ ଏବଂ ଅଣୁ ଖଣିଜ ଲବଣ ସହିତ କର୍କଟ ରୋଗ ନିରୋଧୀ ଶକ୍ତି! ସେହି ବୈଜ୍ଞାନିକଙ୍କୁ ସେତେବେଳେ ଏହିପରି ଏକ ବିବରଣୀ ଦେବାକୁ କୁଆଡ଼େ ବରାଦ ଦିଆଯାଇଥିଲା! ସେତେବେଳେ କିନ୍ତୁ, ଅନାହାର ମୃତ୍ୟୁକୁ ଅସ୍ୱୀକାର କରାଯାଇଥିଲେ ବି କେବିକେ ଯୋଜନା ସମେତ ଅନେକ ଯୋଜନା ପ୍ରଣୟନ କରାଯାଇଥିଲା। ପରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଆସିବା ପରେ ୨୦୦୮ ମସିହାଠାରୁ ଦୁଇ ଟଙ୍କିଆ ଚାଉଳ, ୨୦୧୩ ମସିହାଠାରୁ ଟଙ୍କିକିଆ ଚାଉଳ ଏବଂ ଗତବର୍ଷ ଠାରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣା ଚାଉଳ ଦେଶର ୮୦ କୋଟି ଲୋକଙ୍କୁ ମିଳୁଛି। ଏହି ଯୋଜନାରେ ଆଦିବାସୀଙ୍କ ଖାଦ୍ୟ ସୁରକ୍ଷା ହୋଇ ପାରିଥାଆନ୍ତା; ଯାହା ଲୋକଲୋଚନକୁ ଆସିଲା, ଦାରିଙ୍ଗବାଡ଼ିରେ ଲୋକ ମରିଗଲା ପରେ। ଯଦି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣା ଚାଉଳ ଦାରିଙ୍ଗବାଡ଼ି ବ୍ଲକରେ ଠିକଣା ଭାବେ କାର୍ଯ୍ୟକାରୀ ହେଉଥାଆନ୍ତା ଆଦିବାସୀ ଘରେ ନଥାନ୍ତା ମାଟି ବଣା ଓ ତା ଭିତରେ ସାଇତା ହୋଇ ଆମ୍ବ କୋଇଲି ଗୁଣ୍ଡ। ଖାଦ୍ୟ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ ହେବା ପରଠୁ ଆଦିବାସୀ ଲୋକମାନେ ମାଣ୍ଡିଆ ଜାଉ ଖାଇବା ଭୁଲିଗଲା ବେଳେ ଆମ୍ବ କୋଇଲି ଗୁଣ୍ଡର ଜାଉ ଖାଇବାର ଦୁଃଖଦ ସ୍ମୃତିକୁ ଯେ ମନେ ପକାଇବାକୁ ପସନ୍ଦ କରୁଥିବେ, ତାହା ଅକଳ୍ପନୀୟ!

ଆମ୍ୱ ଟାକୁଆ ଖାଇବାର ପ୍ରକୃତ କାରଣ ଖାଦ୍ୟ ଅଭାବ ନା ସଚେତନତାର ଅଭାବ ତାହାର ତର୍ଜମା ହେବାର ଆବଶ୍ୟକତା ରହିଛି। ଯାହା ମୁଁ ନିଜେ ଅନୁଧ୍ୟାନ କରିଛି, ସେଥିରୁ କହିବି ଯେ, ପ୍ରଥମତଃ ଖାଦ୍ୟଶସ୍ୟ ବିତରଣ କେନ୍ଦ୍ରରୁ ମାଗଣା ଚାଉଳ ଆଣିବାକୁ ଜଣେ ଆଦିବାସୀ ହିତାଧିକାରୀଙ୍କୁ ସ୍ଥାନେ ସ୍ଥାନେ ପ୍ରାୟ ଦଶ କିଲୋମିଟର ଚାଲିବାକୁ ପଡ଼େ। ବେଳେ ବେଳେ ଚାଉଳ ଆସି ନଥାଏ କିମ୍ବା ସରିଯାଇଥାଏ। ସରକାରଙ୍କ ଦୟାରୁ ମୁଣ୍ଡ ପିଛା ଚାଉଳ ମିଳେ ୫ କେଜି, ଯାହା ଆବଶ୍ୟକତା ଅପେକ୍ଷା ୩ କେଜି କମ୍। ବେଳେ ବେଳେ ସେମାନେ ଚାଉଳ ବଦଳରେ ସଲପ, ଖଜୁରୀ ତାଡ଼ି କିମ୍ବା ଦେଶୀ ମଦ ପିଇଦିଅନ୍ତି କିମ୍ବା ଗାମୁଛା ଓ ଲୁଗାପଟା କିଣି ଆଣନ୍ତି। ସେମାନଙ୍କୁ ଧାର କରଜ ଦେଇଥିବା ମହାଜନ ମଧ୍ୟ ତାଙ୍କର ମାଗଣା ଚାଉଳ ହଡପ୍ କରିନିଏ। ଡଙ୍ଗରରେ ଚାଷ କରିଥିବା ମକା, ବରଗୁଡ଼ି ଓ ଶୋରିଷକୁ ବେପାରୀମାନେ ଲୁଣ ଓ କିଛି ଲୁହା ତିଆରି କୃଷି ଯନ୍ତ୍ରପାତି ବଦଳରେ ନେଇ ଯାଆନ୍ତି। ଆଦିବାସୀ ଲୋକଙ୍କୁ ଜଙ୍ଗଲର ରାଜା କହି ସେମାନଙ୍କ ସର୍ବସ୍ୱ ଲୁଟିନେଇ କାଙ୍ଗାଳ କରୁଥିବା ଅନେକ ହିଂସ୍ର ଜନ୍ତୁଙ୍କ ଭିତରେ ସରକାରୀ ଓ ବେସରକାରୀ ଲୋକ କେହି କାହାକୁ କମ୍ ନୁହନ୍ତି। ବାଘ ଭାଲୁଙ୍କ ଆଖିରୁ ପଢ଼ି ପାରୁଥିବା ଆଦିବାସୀ ଏହି ମଣିଷ ପାଖରେ ହାରିଯାଏ।

Related Articles

Leave a Reply

Your email address will not be published. Required fields are marked *

Back to top button