ଦେଶ

ସରକାରୀ ବିଜ୍ଞାପନରେ ଚୀନ୍ ପତାକାର ପ୍ରତିଛବି; ଷ୍ଟାଲିନ୍ ସରକାରଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ – Ibnodisha

[ad_1]

ଚେନ୍ନାଇ: ତାମିଲନାଡୁର କୁଲସେକରାପଟିନମ୍ ଠାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ର ଦ୍ୱିତୀୟ ଲଞ୍ଚପ୍ୟାଡ୍ ପ୍ରତିଷ୍ଠା କରାଯିବ । ତେବେ ଏନେଇ ତାମିଲନାଡୁ ସରକାରଙ୍କ ପକ୍ଷରୁ ସ୍ଥାନୀୟ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଚ୍ୟାନେଲଗୁଡିକରେ ବିଜ୍ଞାପନ ଦିଆଯିବା ପ୍ରକ୍ରିୟା ଏବେ ଜୋରସୋରରେ ଜାରି ରହିଛି । ତେବେ ଏହି ବିଜ୍ଞାପନରେ ଏକ ଗୁରୁତର ତ୍ରୁଟି ରହିଥିବା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୀଷଣ ବିରକ୍ତିଭାବ ପ୍ରକାଶ କରିଛନ୍ତି ।

ମୋଦୀ କହିଛନ୍ତି, ‘ଡିଏମ୍‌କେ ଏପରି ଏକ ଦଳ ଯାହା କାମ କିଛି କରେ ନାହିଁ, କିନ୍ତୁ ସବୁତକ ଶ୍ରେୟ ନେବା ପାଇଁ ସବୁବେଳେ ଆଗଭର । ଡିଏମ୍‌କେ ସରକାର, କେନ୍ଦ୍ର ସରକାରଙ୍କ ଯୋଜନା ଉପରେ ନିଜ ଷ୍ଟିକର ଲଗାଇ ରାଜ୍ୟବାସୀଙ୍କୁ ଭ୍ରମିତ କରିଆସୁଛନ୍ତି । କିନ୍ତୁ ଏଥର ଡିଏମ୍‌କେ ସବୁ ସୀମା ଉଲ୍ଲଂଘନ କରିଦେଇଛି । ତାମିଲନାଡୁରେ ଇସ୍ରୋର ଏକ ନୂଆ ଲଞ୍ଚପ୍ୟାଡ୍ ନିର୍ମାଣ ଯୋଜନାରେ ମଧ୍ୟ ସେମାନେ ନିଜ ନାମକୁ ଯୋଡିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ତେବେ ଚୀନ୍ ପ୍ରତି ସମର୍ଥନ ବ୍ୟକ୍ତ କରିବା ପାଇଁ ସେମାନେ ଭାରତୀୟ ବୈଜ୍ଞାନିକଙ୍କୁ ଅପମାନିତ କରିଛନ୍ତି, ଯାହା ଅତ୍ୟନ୍ତ ନିନ୍ଦନୀୟ ।

ଡିଏମ୍‌କେ ଭାରତର ଅଗ୍ରଗତିକୁ ସହ୍ୟ କରିବାକୁ ପ୍ରସ୍ତୁତ ନୁହନ୍ତି । ମହାକାଶରେ ଭାରତର ଜୟଯାତ୍ରାକୁ ସେମାନେ ବରଦାସ୍ତ କରିପାରୁନାହାନ୍ତି । ଆଗାମୀ ଦିନରେ ତାମିଲନାଡୁବାସୀ ଡିଏମ୍‌କେକୁ ଉଚିତ୍ ଦଣ୍ଡ ଦେବେ ।’ ରିପୋର୍ଟ ଅନୁସାରେ ତାମିଲନାଡୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଏହି ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରଦେଶ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ଫଟୋ ରହିଛି । କିନ୍ତୁ ଫଟୋ ପଛରେ ଦର୍ଶାଯାଇଥିବା ଏକ ରକେଟ୍‌ରେ ଚୀନ୍‌ର ଜାତୀୟ ପତାକାରେ ସ୍ଥାନିତ ରହିଥିବା ପ୍ରତୀକକୁ ଚିହ୍ନିତ କରାଯାଇଥିବା ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଚୀନ୍‌ର ଜାତୀୟ ପତାକା ମୁଖ୍ୟତଃ ନାଲି ରଙ୍ଗର ହୋଇଥିବା ବେଳେ ଏଥିରେ ୪ଟି ଛୋଟ ଆକାରର ଷ୍ଟାର ଚିହ୍ନ ସହ ଏକ ବଡ ଷ୍ଟାର ଚିହ୍ନ ରହିଥାଏ ।

ତାମିଲନାଡୁ ସରକାରଙ୍କ ପକ୍ଷରୁ ଜାରି ଏହି ବିଜ୍ଞାପନରେ ମଧ୍ୟ ରକେଟର ଅଗ୍ରଭାଗ (ରେଡ୍ ନୋଜ୍‌) ନାଲି ରଙ୍ଗର ଏବଂ ଏଥିରେ ମଧ୍ୟ ସମାନ ଆକୃତିର ୫ଟି ଷ୍ଟାର ଚିହ୍ନକୁ ସ୍ଥାନିତ କରାଯାଇଛି । ଏହାକୁ ନେଇ ମୋଦୀ ଭୀଷଣ କ୍ଷୁବ୍ଧ ହେବା ସହ ତାମିଲନାଡୁ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଅନ୍ୟପକ୍ଷେ ଟୁଥୁକୁଡି ସାଂସଦ କାନିମୋଝୀ ଏନେଇ ସଫେଇ ଦେବାକୁ ଆଗେଇ ଆସିଛନ୍ତି । କିନ୍ତୁ ସେ ପରିସ୍ଥିତିକୁ ସମ୍ଭାଳିବା ପରିବର୍ତ୍ତେ ଅଧିକ ଗରମାଗରମ କରିଦେଇଛନ୍ତି । କାନିମୋଝୀ କହିଛନ୍ତି, ଭାରତ ଏପର୍ଯ୍ୟନ୍ତ ଚୀନ୍‌କୁ ଶତ୍ରୁ ରାଷ୍ଟ୍ର ଘୋଷଣା କରିଥିବା ସେ ଭାବୁନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦୀ, ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରୁଛନ୍ତି ଏବଂ ଏକତ୍ର ଚେନ୍ନାଇର ଐତିହାସିକ ମନ୍ଦିରମାଳିନୀ ସହର ମାମଲାପୁରମ୍ ଯାଇପାରୁଛନ୍ତି । କିନ୍ତୁ ବିଜ୍ଞାପନରେ ଭୁଲବଶତଃ ରହିଯାଇଥିବା ଏକ ସାମାନ୍ୟ ତ୍ରୁଟିକୁ ନେଇ ବିଜେପି ଏବଂ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ବିବାଦ ସୃଷ୍ଟି କରୁଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button