ବିଜେପି ରେ ଦେବାଶିଷ ମିଶିଲା ପରେ ବରୀ ବିଜେପି ରେ ନୂଆ ଟ୍ଵିଷ୍ଟ

*ଦେବାଶିଷଙ୍କ ବିଜେପି ଯୋଗଦାନ ପରେ,ବରୀ ବିଜେପିରେ ଟ୍ଵିଷ୍ଟ*
*ବାରଶ ବଢ଼େଇର ଦାୟ ନା ପୁଅର ଦାୟ*
ଯାଜପୁର:(IBN ଓଡିଶା;ବ୍ୟୁରୋ)ସମ୍ପାଦକୀୟ:-ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ ଦେବାଶିଷ ନାୟକ ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି । ଯାହା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପକ୍ଷରେ ଗୋଳମାଳିଆ ବରୀ ରାଜନୀତିକୁ ଏହା ଆହୁରି ଗୋଳମାଳିଆ କରି ଦେଇଛି । ଦେବାଶିଷଙ୍କ ଭଳି ବରିଷ୍ଠ ନେତା ବିଜେପିରେ ସାମିଲ ହେଲା ବେଳେ ନିଶ୍ଚିତ କିଛି ସର୍ତ୍ତ ରଖିଥିବେ ଓ ସେଇ ସର୍ତ୍ତ ମଧ୍ୟରୁ ଆଗାମି ନିର୍ବାଚନ ପାଇଁ ଟିକେଟ ସର୍ତ୍ତ ଥିବ ବୋଲି ସମସ୍ତେ ଆଶଙ୍କା କରୁଛନ୍ତି । ହେଲେ ସେଇ ଟିକେଟ ବିଧାନସଭା ପାଇଁ ନା ଲୋକସଭା ନା ରାଜ୍ୟସଭା ପାଇଁ ତାହା କିନ୍ତୁ ସନ୍ଦେହ ଘେରରେ ରହିଛି । ଯେହେତୁ ଦେବାଶିଷ ଦୀର୍ଘ ୧୯ ବର୍ଷ ବରୀର ପ୍ରତିନିଧି ଥିଲେ ତେଣୁ ବରୀ ପାଇଁ ସେ ଟିକେଟ ଆଶାୟୀ ବୋଲି ମଧ୍ୟ ଆଲୋଚନା ହେଉଛି । ଦେବାଶିଷ ବିଜେପିରେ ସାମିଲ ହେବା ପରେ ଏହା ବରୀ ବିଜେପି ପାଇଁ ଟ୍ଵିଷ୍ଟ ହୋଇଛି । ବିଜେପି ନେତା ବିଶ୍ୱରଞ୍ଜନ ମଲ୍ଲିକ ବିଜେପି ଛାଡି ବିଜେଡିରେ ସାମିଲ ହେଲା ପରେ ଦିଗ ହରା ହୋଇଥିଲା ବିଜେପି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବରୀର ଅନ୍ୟତମ ଯୁବନେତା ଉମେଶ ଜେନା ବିଜେପିରେ ଯୋଗଦେଇ ଦଳର ମଙ୍ଗ ଧରିଥିଲେ । ଅଦ୍ୟାବଧି ବେଶ ସଫଳତାର ସହିତ ସେ ଦଳର ସଙ୍ଗଠନକୁ ଆଗକୁ ନେଇଛନ୍ତି । ନିଜ ସାଙ୍ଗଠନିକ ଦକ୍ଷତା ବଳରେ ଦଳକୁ ବେଶ ସଙ୍ଗଠିତ କରି ବିଜେଡି ପାଇଁ ଚିନ୍ତା ବଢ଼ାଇଛନ୍ତି । ଖଣ୍ଡ ବିଖଣ୍ଡିତ ବିଜେଡି ସଂଗଠନ ତଳକୁ ଖସୁଥିଲା ବେଳେ ବିଜେପି ବେଶ ଆଗକୁ ଯାଇଛି । ଏପରିସ୍ଥଳେ ଦେବାଶିଷଙ୍କ ଆଗମନ ବିଜେପି ଶିବିରରେ ଅନେକ ପ୍ରଶ୍ନ ଛିଡା କରିଛି । ନିଜ ସମୟରେ ଦେବାଶିଷ ବିଜେପି ସଙ୍ଗଠନକୁ ବରୀରେ ଆଗକୁ ବଢିବାକୁ ଦେଇନଥିଲେ । ସବୁ ସମୟରେ ବିଜେପି ଦଳର ନୀତିକୁ ତୀବ୍ର ଆକ୍ଷେପ କରୁଥିଲେ । ହେଲେ ୨୦୧୯ ନିର୍ବାଚନ ପରେ ଦଳୀୟ ଟିକେଟ ନପାଇ ଦଳରେ କୋଣ ଠେସା ହୋଇ ରହିଥିଲେ । ଏକଦା ତାଙ୍କ ପ୍ରମୁଖ ସେନାପତି ତାଲି ଏବେ ତାଙ୍କ ହାତଛାଡି ଦେଇଥିଲା ବେଳେ ଦେବାଶିଷଙ୍କ ବହୁ କର୍ମୀ ଦେବାଶିଷଙ୍କ ଠାରୁ ଦୂରରେ । ତାଙ୍କର ବ୍ୟକ୍ତିଗତ ସଂଗଠନ ବରୀରେ ନାହିଁ କହିଲେ ଚଳେ । ହେଲେ ବିଜେଡିରୁ କୋଣ ଠେସା ହେଲା ପରେ ନିଜ ରାଜନୈତିକ ଭବିଷ୍ୟତର ସୁରକ୍ଷା ପାଇଁ ବିଜେପିର ଶରଣାପନ୍ନ ହୋଇଛନ୍ତି । ଏପରି ସ୍ଥଳେ ଦେବାଶିଷଙ୍କୁ ଦଳ ଯଦି ଟିକେଟ ପ୍ରଦାନ କରେ ତେବେ ତାହା ଦଳ ପାଇଁ ଆତ୍ମଘାତୀ ହେବ ବୋଲି ଆଲୋଚନା ହେଉଛି । ଏକଦା ଗାୟତ୍ରୀ ବିବାଦରେ ଛନ୍ଦି ହୋଇ ଦେବାଶିଷ ମନ୍ତ୍ରୀ ମଣ୍ଡଳରୁ ତଡ଼ା ଖାଇଥିଲେ । ସେ ସମୟରେ ବିଜେପି ମଧ୍ୟ ଏହାକୁ ନେଇ ତୁମ୍ବିତୋଫାନ କରିଥିଲା । ଦେବାଶିଷଙ୍କୁ ଯଦି ଦଳ ଟିକେଟ ପ୍ରଦାନ କରେ ତେବେ ତାହା ପୁଣି ପାଉଁଶ ତଳର ନିଆଁ ହୋଇ ଉଠିବା ଅସମ୍ଭବ ନୁହେଁ । ଏବେ ଖୁବ ଶକ୍ତ ହୋଇଥିବା ବିଜେପି ଶିବିରରେ ଏନେଇ ବ୍ୟାପକ ଚର୍ଚ୍ଚା ଚାଲିଥିଲାବେଳେ କର୍ମୀ କହୁଛନ୍ତି ଆଗକୁ ଦେଖିବା ବାରଶ ବଢ଼େଇର ଦାୟ ନା ପୁଅର ଦାୟ । ଯାଜପୁର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବରୀରେ ବିଜେପି ସୁବିଧା ଜନକ ସ୍ଥିତିରେ ଥିଲା ବେଳେ ଏବେ କିନ୍ତୁ ପାଣି ବେଶ ଗୋଳିଆ ହୋଇ ଯାଇଛି । ଅନ୍ୟପକ୍ଷରେ ଦେବାଶିଷଙ୍କ କୋଟେରୀ ସଂଜୀବ ଜେନାଙ୍କୁ ନେଇ ଆଗକୁ ବଢ଼ୁଥିଲା ବେଳେ ଦେବାଶିଷ ବିଜେପିରେ ସାମିଲ ହେବା ସେମାନଙ୍କ ପାଇଁ ଚିନ୍ତା ବଢ଼ାଇଛି ।