ବରୀରେ ଦଳୀୟ କନ୍ଦଳ ଏବଂ ପଛୁଆ ବିକାଶ ପାଇଁ ପଛରେ ପଡିଛି ବିଜେଡି

ଯାଜପୁର(IBN ଓଡିଶା; ବ୍ୟୁରୋ)ସମ୍ପାଦକୀୟ
ବିଜେଡିର ଗଡ଼ ଯାଜପୁର ଜିଲ୍ଲା । ଜିଲ୍ଲାର ୭ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବରୀ ଅନ୍ୟତମ । ବରୀ ନିର୍ବାଚନ ମଣ୍ଡଳୀ ବିଜେଡିର ଅନ୍ୟତମ ଗଡ଼ । ବିଜେଡି ଗଠନ ଦିନରୁ ବରୀର ଭୋଟର ମୁଖ୍ୟମନ୍ତ୍ରୀ ଓ ଦଳକୁ ଭଲପାଇବା ଅଜାଡି ଦେଇଛନ୍ତି । ଦୀର୍ଘ ୧୯ ବର୍ଷ ଧରି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଏଠାରୁ ବିଜୟୀ ହୋଇ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ହେଲେ ଦେବାଶିଷ ଏକ ସ୍ୱତନ୍ତ୍ର କୋଟେରୀ ଦ୍ୱାରା ଆବଦ୍ଧ ହୋଇ ବରୀରେ ରାଜନୀତି କରିବାକୁ ନେଇ ବରୀ ଭୋଟର ଅସନ୍ତୁଷ୍ଟ ହୋଇଥିଲେ । ବିଶେଷ କରି ଦେବାଶିଷଙ୍କ ପରାମର୍ଶ ଦାତା ଭାବେ ନିଲମ୍ବିତ ବ୍ଲକ ବିଜେଡି ସଭାପତି ସେକ ସଫିକଉଦ୍ଦିନ(ଟାଲି)ଙ୍କ ମାମଲତି ଅସହ୍ୟ ହୋଇଥିଲା ବରୀ ବିଜେଡି କର୍ମୀ ଓ ନେତାଙ୍କ ପାଇଁ । ଯାହା ଫଳରେ ହଜାର ହଜାର ବିଜେଡି ସମର୍ଥକ ବିଶ୍ୱରଞ୍ଜନ ମଲ୍ଲିକଙ୍କ ଆଡ଼କୁ ଢଳିବାକୁ ବାଧ୍ୟ ହୋଇଥିଲେ । ଫଳରେ ଦଳ ୨୦୧୯ ନିର୍ବାଚନରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରିଥିଲା । ରାଜନୀତିର ର ଅକ୍ଷର ଜାଣି ନଥିବା ସୁନନ୍ଦା ନିଜ ସ୍ୱାମୀଙ୍କ ମୋହରା ହୋଇ ରାଜନୀତି କରୁଥିଲା ବେଳେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଗୋଟି ଚାଳନାରେ ବିଜୟିନୀ ହୋଇଥିଲେ । ହେଲେ ମୁଣ୍ଡକୁ ଟୋପି ବଡ଼ ହେବା ଭଳି ଘଟଣା ଘଟିଥିଲା ବରୀରେ । ଜଣେ ଅପରିପକ୍ୱ, ଅନଭିଜ୍ଞ ନେତ୍ରୀ ଭାବେ କୌଣସି କାର୍ଯ୍ୟକୁ ୫ ବର୍ଷ ମଧ୍ୟରେ ସଠିକ ଢଙ୍ଗରେ କରି ପାରିନଥିଲେ । ନିର୍ବାଚିତ ହେଲା ପରେ ବହୁ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ ବିଧାୟିକାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ । ନିଜେ ଏକ କୋଟେରୀ କରି ତା ଭିତରେ କିଛି ଠିକାଦାରଙ୍କୁ ସାମିଲ କରି ରାଜନୀତି କରୁଥିଲେ । ହେଲେ ଶାସକ ଦଳରେ ଥାଇ ବିରୋଧୀଙ୍କୁ ସମ୍ମୁଖୀନ ହେବା ତାଙ୍କ ପକ୍ଷେ ଅସମ୍ଭବ ଥିଲା । ଯାହାର ବହୁ ପ୍ରମାଣ ବରୀବାସୀ ଦେଖି ସାରିଛନ୍ତି । ତାଙ୍କ ବ୍ୟବହାରକୁ ନେଇ କର୍ମୀ ଅସନ୍ତୁଷ୍ଟ ହୋଇ ପଡ଼ିଥିଲେ । ଫଳରେ ଦଳ ମଧ୍ୟରେ ବିଭିନ୍ନ ଗୋଷ୍ଠି ସୃଷ୍ଟି ହୋଇଥିଲେ । ଦଳୀୟ ନେତା ଓ କର୍ମୀଙ୍କ ଉପରେ ନିୟନ୍ତ୍ରଣ ନଥିବାରୁ ଦଳ ସଙ୍ଗଠନ ଏବେ ଖଣ୍ଡ ବିଖଣ୍ଡିତ ହୋଇ ଯାଇଛି । ଦଳ ମଧ୍ୟରେ କେତେ ଗୋଷ୍ଠି ହୋଇଛନ୍ତି ତାର ହିସାବ କରିବା କାଠିକର ପାଠ । ଅନ୍ୟ ଏକ ବିଶେଷ କଥା ହେଲା ଯେଉଁ ମାନେ ବବିଙ୍କ କଥାରେ ତାଙ୍କୁ ବିଜୟୀ କରିଥିଲେ ସେମାନଙ୍କୁ ତାଲିବାନୀ ଢଙ୍ଗରେ ଦମନ କରିଛନ୍ତି ସୁନନ୍ଦା ଓ ତାଙ୍କ ସ୍ୱାମୀ । ଯାହା ବରୀ ବିଜେଡିକୁ ରସାତଳ କରିଛି । ଅନ୍ୟ ପକ୍ଷରେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କ ଅବସ୍ଥା ମଧ୍ୟ ତଦ୍ରୁପ । ନିର୍ବାଚନ ସମୟରେ ସ୍ୱଳ୍ପ ବ୍ୟବଧାନରେ ପରାଜିତ ହୋଇ ଲୋକପ୍ରିୟ ଥିବା ବିଶ୍ୱ ଏବେ ନିଜର ଲୋକପ୍ରିୟତା ହରାଇ ସାରିଲେଣି ବୋଲି ଚର୍ଚ୍ଚା ଜୋର ଧରିଛି । ବିଜେଡି ଦଳର ଏହି ସ୍ଥିତି ଯୋଗୁ ଏବେ ବିଜେପି ପ୍ରତି ଭୋଟର ଆକୃଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ସାରା ଦେଶରେ ମୋଦୀ ଲହର ବହୁଥିଲା ବେଳେ ରାମ ମନ୍ଦିର ନିର୍ମାଣ ବିଜେଡି ପାଇଁ ବିପଦର ଘଂଟି ବଜାଇଛି । ବରୀ ନିର୍ବାଚନ ମଣ୍ଡଳୀ ଏଥିରୁ ବାଦ ଯାଇ ନଥିଲା ବେଳେ ବିଜେଡିର ବିଭିନ୍ନ ଗୋଷ୍ଠୀର ନେତା ନିଜକୁ ପ୍ରମାଣିତ କରିବାରେ ବ୍ୟସ୍ତ । ଦଳ କାର୍ଯ୍ୟକ୍ରମ ହେଉଛି; ହେଲେ କାର୍ଯ୍ୟକ୍ରମ ପ୍ରତି ଲୋକଙ୍କ ଆଗ୍ରହ ନାହିଁ । ଦଳୀୟ ନେତା ଦଳର ଲୋକାଭିମୁଖୀ କାର୍ଯ୍ୟ ବିଷୟରେ ଲୋକଙ୍କୁ ସଚେତନ କରିବାର କଳା ଯେମିତି ଭୁଲି ଯାଇଛନ୍ତି । କିଛି ସ୍ଥାନରେ ବିଜେଡି ନେତାଙ୍କୁ ବିରୋଧ ଆରମ୍ଭ ହେଲାଣି । ଯାହା ଆଗକୁ ଆହୁରି ତୀବ୍ର ହେବ । ବିଭିନ୍ନ ଗୋଷ୍ଠି ମଧ୍ୟରେ ମୁହାଁ ମୁହିଁ ହେବା ମଧ୍ୟ ଅସମ୍ଭବ ନୁହେଁ । ବିଜେପି ବରୀରେ ବେଶ ଆଗକୁ ଯାଇଥିଲା ବେଳେ ଗୋଷ୍ଠି କନ୍ଦଳ ଓ ନେତୃତ୍ୱ କନ୍ଦଳ ଯୋଗୁ ବିଜେଡି ବେଶ ପଛରେ ପଡିଛି । ଗୁଇନ୍ଦା ସୂତ୍ର ମଧ୍ୟ ଏ ନେଇ ନିଶ୍ଚିତ ଥିବା ଜଣା ଯାଇଛି । ଏଭଳି ସ୍ଥିତିରେ ବରୀ ଏବେ ଠାରୁ ବିଜେଡି ହାତରୁ ଖସି ଗଲାଣି ବୋଲି ଆଲୋଚନା ହେଉଛି । ଯାହା ବିଜେଡି ପାଇଁ ଚିନ୍ତାର ବିଷୟ ହୋଇଛି । ଦଳ ନେତୃତ୍ୱ ଏ ନେଇ ଚିନ୍ତା କରିବା ନିହାତି ଆବଶ୍ୟକ ହୋଇଛି । ହେଲେ ବରୀ ଉପରେ ବିଜେଡି ଶୀର୍ଷ ନେତୃତ୍ୱ ଯେ ନଜର ଦେଉ ନାହାନ୍ତି ତାହାର ପ୍ରମାଣ ଟାଲିଙ୍କ ସଂଗଠନ । ଦଳରୁ ବହିଷ୍କୃତ ଜଣେ ପୂର୍ବତନ ବ୍ଲକ ସଭାପତି କିଭଳି ଦଳୀୟ ବ୍ୟାନରରେ ସଭାସମିତି ଆୟୋଜନ କରୁଛନ୍ତି ତାହା ଆଲୋଚ୍ୟର ବିଷୟ ହୋଇଛି । ଗତ ସାଧାରଣ ନିର୍ବାଚନରେ ଟାଲି ନିରବ ରହିବା ସହିତ ବିଜେପିକୁ ଭିତିରିଆ ସମର୍ଥନ ଦେଇଥିବା ଅଭିଯୋଗ ହୋଇଥିଲା । ଅନ୍ୟ ଏକ ବିଷୟ ହେଲା ଯଦି ବରୀ ପ୍ରତି ବିଜେଡି ଦଳ ଉପଯୁକ୍ତ ନଜର ଦେଇ ପ୍ରାର୍ଥୀ ନ ଖୋଜେ ତେବେ ଦଳତ ପରାଜିତ ହେବ ହେଲେ ସବୁ ଠାରୁ ବେଶି କ୍ଷତି ସହିବେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଓରଫ ବବି । କାରଣ ତାଙ୍କ ପ୍ରାର୍ଥୀ ୨୦୧୯ ରେ ବିଜୟିନୀ ହେଲେ କିନ୍ତୁ ବରୀ ସହିତ ଦଳର ସଙ୍ଗଠନକୁ ସେ ନେଇଗଲେ ବହୁ ବର୍ଷ ପଛକୁ । ଯାହା ଆଗାମି ଦିନରେ ବିଜେଡିକୁ ଏହି ଆସନରେ ପରାଜିତ କରିବା ଭଳି ପରିସ୍ଥିତି ସୃଷ୍ଟି କରିଛି । ତେଣୁ ବରୀରେ ପ୍ରାର୍ଥୀ ଚୟନ କରିବା ବବିଙ୍କ ପାଇଁ ବଡ଼ ଆହ୍ୱାନ ହୋଇଛି ।




