ଅପରାଧରାଜ୍ୟ

ମହିଳାଙ୍କୁ ଅପହରଣ ଉଦ୍ୟମ ଘଟଣା: ଅଭିଯୁକ୍ତକୁ ମାଡ଼ ମାରି ୭ ଗିରଫ

ଯାଜପୁର:ଦଶରଥପୁର: ଜନୈକା ମବିବାହିତା ମହିଳାଙ୍କୁ ଏକତରଫା ପ୍ରେମ କରି ବଳପୂର୍ବକ ଉଠାଇ ନେବା ଘଟଣା ଆଜି ଭିନ୍ନମୋଡ଼ ନେଇଛି। ମଙ୍ଗଳପୁର ପୁଲିସ ଏହି ମାମଲାରେ ଅଭିଯୁକ୍ତକୁ ମାଡ଼ ମାରିବା ଅଭିଯୋଗରେ ଗାଁ​ର ୭ ଜଣଙ୍କୁ ଗିରଫ କରିଛି। ଦୁଇଟି ମାମଲା ରୁଜୁ କରି ଅଭିଯୁକ୍ତ ଯୁବକ କମାରଡିହ ପଞ୍ଚାୟତ ସହିମାଡ଼ ଗ୍ରାମର ସତ୍ୟବ୍ରତ ନାୟକ (୩୫) ସମେତ ଦରଭା ଗାଁର ସଂପୃକ୍ତ ୭ ଜଣଙ୍କୁ କୋର୍ଟଚାଲାଣ କରିଛି। ଗିରଫ ୭ ଜଣଙ୍କ ମଧ୍ୟରେ ଅପହରଣ ଉଦ୍ୟମର ଶିକାର ହୋଇଥିବା ମହିଳାଜଣକ ମଧ୍ୟ ଅଛନ୍ତି। ସେମାନେ ହେଲେ ପ୍ରମୋଦ ନାୟକ, ପ୍ରଦୀପ୍ତ ନାୟକ, ହିମାଂଶୁ ଶେଖର ନାୟକ, ଆଦିତ୍ୟ ସ୍ୱାଇଁ, ସ୍ମୃତିରେଖା ନାୟକ, ଦୀପ୍ତିରେଖା ନାୟକ ଓ ସନତ ସାଗର ନାୟକ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପାଉତ୍ତେଜନା ଲାଗିରହିଛି।ଗତ ଗୁରୁବାର ସ୍ମୃତିରେଖା ନାୟକଙ୍କୁ ଅପହରଣ ସମୟରେ ଅଭିଯୁକ୍ତ ସତ୍ୟବ୍ରତକୁ ଦରଭା ଗ୍ରାମବାସୀ କାବୁ କରିଥିଲେ। ଗାଁ ଦାଣ୍ଡରେ ବାନ୍ଧିପକାଇ ମାଡ଼ ମାରିବା ସହ ଭିଡିଓ ବନାଇଥିଲେ। ପରେ ପୁଲିସ ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲା। ସ୍ମୃତିରେଖା ନାୟକଙ୍କ ଲିଖିତ ଅଭିଯୋଗକ୍ରମେ ୫୬୩/୨୨ରେ ଦଫା ୩୪୧/୨୯୪/୩୨୩/୩୫୪(ଏ) (ଡି)ରେ ମାମଲା ରୁଜୁ କରି ସତ୍ୟବ୍ରତକୁ ପୁଲିସ ଗିରଫ କରିଥିଲା। ହେଲେ ତାକୁ ଦାଣ୍ଡରେ ଖୁଣ୍ଟରେ ବାନ୍ଧି ପିଟିବା ଓ ଏହାର ଭିଡିଓ ଭାଇରାଲ କରିବା ଘଟଣାରେ ସତ୍ୟବ୍ରତର ମା’ ଶାନ୍ତିଲତା ଅଭିଯୋଗ କରିବା ପରେ ଥାନା ପକ୍ଷରୁ ୫୬୪/୨୨ରେ ଦଫା ୪୨/୨୯୪/୩୨୩/୩୦୭/୩୦୯/୩୪ ରେ ମାମଲା ରୁଜୁ କରି ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ମଙ୍ଗଳପୁର ଆଇଆଇସି ରୀନାରାଣୀ ସାହୁ ଶୁକ୍ରବାର ବିଳମ୍ବିତ ରାତିରେ ଦରଭା ଗାଁରେ ଚଢ଼ଉ କରି ଏହି ୭ ଜଣଙ୍କୁ ଗିରଫ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button