Uncategorized

ମଣିନାଗ ଗୁମ୍ଫା ରହଶ୍ୟ

 

କଟକ :ମଣିନାଗ ଗୁମ୍ଫାରେ ବୈକୁଣ୍ଠନାଥଙ୍କ ପ୍ରଥମ ରାତି ରହଣି :
ଗ୍ରାମବାସୀଙ୍କ ଆଶ୍ଚର୍ଯ୍ୟ ପ୍ରକଟ ଓ କାଳୀମାତାଙ୍କ ସବୁଦିନ ପାଇଁ ଜଳୌକା ପରିତ୍ୟାଗ

ରସିକନଗର ଗ୍ରାମବାସୀ ଓ କାଳୀମାତାଙ୍କ ବାରଣ ସତ୍ତ୍ଵେ ବୈକୁଣ୍ଠନାଥ ୧୯୩୫ ମସିହା ନେତ୍ରୋତ୍ସବ ରାତିରେ ଅପରାଜୟ ମଣିନାଗ ଗୁମ୍ଫାରେ ସାଧନା ଓ ସିଦ୍ଧିର ପ୍ରଥମ ଜୟଯାତ୍ରା ଆରମ୍ଭ କଲେ ।
ବୈକୁଣ୍ଠନାଥଙ୍କ ଅବସ୍ଥା ସେ ଦିନ ରାତିରେ କ’ଣ ହୋଇଥିବ ,ତାହା ଭାବି ଭାବି ଗାଆଁରେ ରାତିରେ ଗ୍ରାମବାସୀମାନଙ୍କ ଆଖିରେ ନିଦ ନଥାଏ । ସେମାନେ ସକାଳୁ ସକାଳୁ ଆସି ଜଳୌକା ପାହାଡ ତଳୁ ତରୁଣ ବାବାଙ୍କ ସ୍ଥତି ନିରୀକ୍ଷଣ କଲେ ।
ଦେଖିଲେ ବାବା ପାହାଡ ଉପରେ ଥାଇ ସେମାନଙ୍କ ଆଡକୁ ଚାହିଁ ସତେ ଯେମିତି ହସି ହସି ସେମାନଙ୍କୁ ସ୍ୱାଗତ କରୁଛନ୍ତି ।
ବାବାଙ୍କୁ ନିରାପଦ ଦେଖି ଗୋବିନ୍ଦ, ଅନାଦି ,କୃପାସିନ୍ଧୁ ଆଦିଙ୍କ ହୃଦୟ ଆନନ୍ଦରେ ନାଚି ଉଠିଲା ।
ସେମାନେ ଆଉ କାଳ ବିଳମ୍ବ ନ କରି ପାହାଡ ଉପରକୁ ଚଢିଲେ ଓ ବାବାଙ୍କୁ ଆଭୂମ ପ୍ରଣିପାତ ପୂର୍ବକ ପଚାରିଲେ, ” ବାବା ଆଜ୍ଞା , ଆପଣ କେମିତି ଏ ଗୁମ୍ଫାରେ ନିରାପଦରେ ରହିଲେ ? ଆମେତ ଦେଖିଛୁ ଆମ ଗ୍ରାମର ବାସୁବାବା ( ସନ୍ଥ ହାଡିଦାସ ଙ୍କ ସମସାମୟିକ )କେବଳ ଦିନରେ ରହି ରାତି ପୂର୍ବାଶ୍ରମରେ ବିତାଉଥିଲେ ।”
ସରଳ ଗ୍ରାମବାସୀଙ୍କ କଥା ଶୁଣି ବୈକୁଣ୍ଠନାଥ ହସି ହସି କହିଲେ,
” ଆପଣମାନେ ମୋ ଜୀବନ ନେଇ ଚିନ୍ତିତ ଥିଲେ ନା ଆଉ ସେଇଥିପାଇଁ ମୋତେ ଆପଣମାନଙ୍କ ସହିତ ରସିକନଗର ଯାଇ ରାତି ବିତେଇବାକୁ କହୁଥିଲେ । ”
“ହଁ’ ବାବା ଆଜ୍ଞା “, ସମସ୍ୱରରେ ଗ୍ରାମବାସୀମାନେ କହିଲେ ।
ଏଥରକ ବାବା ବୈକୁଣ୍ଠନାଥଙ୍କ ମୁଖମଣ୍ଡଳ ଟିକିଏ ଗମ୍ଭୀର ହୋଇ ଉଠିଲା ।
ସେ କହିଲେ , ” ମୋ ଜୀବନରେ ମୁଁ ଏମିତି କି ପାପ କରିଥିଲି ଯେ , ମୋ ମନ ମୋ ମଧ୍ୟରେ ଭୂତ ପ୍ରେତ ସାଜି ମୋତେ ଏ ସାଧନାର ପୀଠ ଛାଡି ଚାଲି ଯିବାକୁ ବାଧ୍ୟ କରିଥାନ୍ତ। “
ଟିକିଏ ରହି ଯୁବ ସନ୍ୟାସୀ ପୁଣି ଆରମ୍ଭ କଲେ,” କାଲି ରାତି ଯଦି ମୋ ଜୀବନର ଶେଷ ରାତି ହୋଇଥାନ୍ତା , ମୋର ମୃତ୍ୟୁ ଯଦି ସୁନିଶ୍ଚିତ ଥାଆନ୍ତା, ତେବେ କ’ଣ ମୁଁ ରସିକନଗର ଗାଁରେ ରହିଥିଲେ ,ବଞ୍ଚିଯାଇଥାଆନ୍ତି ! “
ଯୁବ ସନ୍ୟାସୀଙ୍କ ମୁଖରୁ ଏପରି କଥା ଶୁଣି ଗ୍ରାମବାସୀମାନେ ଖୁସି ହୋଇଗଲେ ।
ଆନଂଦର ସହିତ ସେମାନେ କହିଲେ,” ବାବା, ଆମେ ଗାଆଁକୁ ଯାଉଛୁ । ଆପଣ ଯେ ,ଏଠାରେ ନିରାପଦ ଅଛନ୍ତି ସେ ସମ୍ବାଦଟା ଗ୍ରାମବାସୀଙ୍କୁ ଜଣାଇଦେଇ ପୁଣି ଆପଣଙ୍କ ପାଖକୁ ଫେରି ଆସିବୁ ।”

ଗ୍ରାମବାସୀମାନେ ଗଲା ପରେ ପରେ ଆସି କାଳୀମାତା ଦୂରରୁ ବାବାଙ୍କ ସ୍ଥିତି ନିରୀକ୍ଷଣ କଲେ ।
ଦେଖିଲେ ଯୁବ ବ୍ରହ୍ମଚାରୀ ପୂର୍ବବତ୍ ସେମିତି ନିରାପଦ ଅଛନ୍ତି ।
ଗାୟତ୍ରୀ ଜପୁଛନ୍ତି ।
ସେ ଖୁସିର ସହିତ କହିଲେ,” ଓଃ , ଏତେଦିନ ପରେ ତୁମେ ଆସିଗଲ । ମୁଁ କେବଳ ତୁମ ଆସିବା ପଥକୁ ଅପେକ୍ଷା କରି ଏ ପାହାଡ଼କୁ ଜଗିଥିଲି । ଏଣିକି ମୋର ଛୁଟି ।”
ଏହା କହି କ୍ଷିପ୍ର ଗତିରେ କାଳୀମାତା ସେ ସ୍ଥାନ ଛାଡ଼ି ଚାଲିଗଲେ ।
ସେ କେଉଁ ଆଡେ ଗଲେ , କେହି ଜାଣି ପାରିଲେ ନାହିଁ ।
ସତେ ଯେମିତି ଜଳୌକାର ସୁରକ୍ଷାର ଆଧ୍ୟାତ୍ମିକ ଦାୟିତ୍ୱ ସେ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ହାତରେ ସବୁଦିନପାଇଁ ଟେକିଦେଇ କେଉଁ ଆଡେ ଅନ୍ତର୍ଦ୍ଧାନ ହୋଇଗଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button