ଅପରାଧ

ସିଦ୍ଧ ବଳଦେବଜିଉ ମଠରୁ ୬ ପ୍ରାଚୀନ ମୂର୍ତ୍ତି ଚୋରି

ଯାଜପୁର:ଧର୍ମଶାଳା:IBN ଓଡିଶା:-ଧର୍ମଶାଳା ଥାନା ପାଟପୁର ପଞ୍ଚାୟତ ବଡ଼ବାରିସାହି ଗ୍ରାମର ସିଦ୍ଧବଳଦେବଜିଉ ମଠରୁ ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ୬ଟି ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଛି। ଏସଂପର୍କରେ ଟ୍ରଷ୍ଟି ବିନୋଦ କୁମାର ଦାଶ ଆଜି ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ୬୦୮/୨୨ ରେ ଏକ ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି। ହେଲେ ଚୋରି ଯାଇଥିବା ଏହି ବିରଳ ମୂର୍ତ୍ତି ସଂପର୍କରେ କୌଣସି ସୁରାକ୍ ମିଳିନାହିଁ।

ଅଭିଯୋଗରୁ ପ୍ରକାଶ ଯେ, ବଡ଼ବାରିସାହି ଗ୍ରାମସ୍ଥିତ ସିଦ୍ଧବଳଦେବଜିଉ ମଠର ତାଲା ଭାଙ୍ଗି ଗତକାଲି ରାତିରେ ଚୋରମାନେ ଭିତରେ ପଶିଥିଲେ। ଅଷ୍ଟଧାତୁରେ ନିର୍ମିତ ମଦନମୋହନ, କୃଷ୍ଣ, ରାମ, ରାଧା, ଲକ୍ଷ୍ମୀ ଓ ସରସ୍ବତୀଙ୍କ ମୂର୍ତ୍ତିକୁ ଚୋରି କରି ନେଇଥିଲେ। ଚୋରମାନେ କେବଳ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତିଗୁଡ଼ିକୁ ଚୋରି କରି ନେଇଥିବା ବେଳେ ମଠରେ ଥିବା ଚତୁର୍ଦ୍ଧାମୂର୍ତ୍ତି, ଶାଳଗ୍ରାମ, ଦୁଇଟି ପିତଳ ଖଟୁଲି, ୫୫୦ଟଙ୍କା କିମ୍ବା ଅନ୍ୟାନ୍ୟ ପୂଜା ସାମଗ୍ରୀକୁ ନେଇନଥିବା ଦେଖିବାକୁ ମିଳିଛି। ଫଳରେ ଏଥିରେ ଅନ୍ତଃରାଜ୍ୟସ୍ତରୀୟ ଚୋରି ରାକେଟ୍‌ର ହାତଥିବା ସନ୍ଦେହ କରାଯାଉଛି। ପ୍ରାୟ ୫ଶହ ବର୍ଷର ଏହି ପୁରାତନ ମୂର୍ତ୍ତିଗୁଡ଼ିକର ଓଜନ ଅନ୍ୟୁନ ୯୦ କିଲୋ ହୋଇଥିବା ବେଳେ ବର୍ତ୍ତମାନ ବଜାର ଦର ଅନୁସାରେ ଏସବୁର ମୂଲ୍ୟ ଏକକୋଟି ଟଙ୍କାରୁ ଅଧିକ ହେବ ବୋଲି ପୂଜକ ଧୀରେନ୍ଦ୍ର ଶତପଥୀ ସୂଚନା ଦେଇଛନ୍ତି।

ଆଜି ସକାଳେ ପୂଜକ ମଠକୁ ଆସି ଦେଖନ୍ତି ତ କବାଟ ତାଲା ଭଙ୍ଗାଯାଇଛି ଏବଂ ବିଭିନ୍ନ ସାମଗ୍ରୀ ଫିଙ୍ଗାଫୋପଡ଼ା ହୋଇଛି। ଏସଂପର୍କରେ ସେ ମଠର ଟ୍ରଷ୍ଟି ଶ୍ରୀ ଦାଶଙ୍କୁ ଜଣାଇଥିଲେ। ପରେ ଶ୍ରୀ ଦାଶ ଥାନା ଓ ଦେବୋତ୍ତର ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ମଠରେ ବହୁ ବିରଳ ଓ ମୂଲ୍ୟବାନ ସାମଗ୍ରୀ ରହିଥିବା ବେଳେ ଏହାର ସୁରକ୍ଷା ପ୍ରତି ଆବଶ୍ୟକ ଦୃଷ୍ଟି ଦିଆଯାଇନଥିବା ଅଭିଯୋଗ ଉଠିଛି। ଏହି ଘଟଣାକୁ ନେଇ ଧର୍ମଶାଳାର ପୂର୍ବତନ ବିଧାୟକ ରବି ଲାବଣ୍ୟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ମନ୍ଦିର ଭିତରୁ ଦୁର୍ବୃତ୍ତମାନେ ଠାକୁରଙ୍କୁ ଚୋରିକରିନେବା ଘଟଣା ଗଭୀର ଆଘାତ ଦେଇଛି ବୋଲି ଶ୍ରୀ ଲାବଣ୍ୟ କହିଛନ୍ତି। ଏଥିରେ ସମ୍ପୃକ୍ତ ଅପରାଧୀଙ୍କୁ ଧରିବା ସହିତ ଚୋରି ହୋଇଥିବା ଦୁର୍ଲ୍ଲଭ ମୂର୍ତ୍ତିକୁ କିପରି ତୁରନ୍ତ ଉଦ୍ଧାର କରାଯାଇ ପାରିବ ଏନେଇ ଶ୍ରୀ ଲାବଣ୍ୟ ଯାଜପୁର ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button