ରାଜ୍ୟ

କୁଆଡେ ଗଲା କୋଭିଡ ତଥ୍ୟ ?କୋଟି କୋଟି ଟଙ୍କା ଗଲା କୁଆଡେ ?

*କୋଭିଡ ତଥ୍ୟ ଗଲା କୁଆଡ଼େ*

*କୋଟି କୋଟି ଟଙ୍କା କିପରି ଖର୍ଚ୍ଚ ହେଲା*

*୪ ବ୍ଲକ୍‌ର ଟିଏମ୍‌ସିରେ ୫.୮୮କୋଟି ଟଙ୍କା ଖର୍ଚ୍ଚ*

ଯାଜପୁର:IBN ଓଡିଶା, (ବ୍ୟୁରୋ) ଯାଜପୁର ଜିଲ୍ଲାରେ କରୋନା ମହାମାରୀ ସମୟରେ ଅସ୍ଥାୟୀ ସ୍ବାସ୍ଥ୍ୟ‌କେନ୍ଦ୍ର ପରିଚାଳନା ଆଳରେ ବ୍ୟାପକ ଅନିୟମିତତା ହୋଇଛି। କୋଭିଡ୍ ବେଳେ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଶହ ଶହ କୋଟି ଟଙ୍କା ବ୍ୟୟ କରାଯାଇଥିବାର ଦର୍ଶାଯାଇଛି। ଅଥଚ ତାହାର ସବିଶେଷ ତଥ୍ୟ ନାହିଁ। ହସ୍ତଗତ ହୋଇଥିବା ୪ବ୍ଲକ୍‌ର ତଥ୍ୟ ଅନୁସାରେ କୋରେଇ, ଦାନଗଦୀ, ରସୁଲପୁର ଓ ବିଂଝାରପୁର ବ୍ଲକରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର(ଟିଏମସି) ରେ ୫କୋଟି ୮୮ ଲକ୍ଷ ୩୫ହଜାର ଟଙ୍କା ବ୍ୟୟ ହୋଇଛି। ସେଥି ମଧ୍ୟରୁ ବଂଝାରପୁର ବ୍ଲକ୍‌ରେ ତକିଆ ଓ ବେଡସିଟ୍ ବବାଦରେ ୧ ଲକ୍ଷ ୯୭ ହଜାର ୭୦୦ ଟଙ୍କା ବିଲ୍ ହୋଇଛି। ସେହିପରି ଜଗିବା ଓ ସଫେଇ ବାବଦରେ ୪୫ ଲକ୍ଷ ୨୫ ହଜାର ୫୦୦ ଟଙ୍କା ପୈଠ କରାଯାଇଛି। ଖାଦ୍ୟ ଓ ଉପକରଣ ବାବଦରେ ୭୮ଲକ୍ଷ ୩୭ହଜାର ୬୬୦ ଟଙ୍କା ବ୍ୟୟ ଦର୍ଶାଯାଇଛି । ତେବେ କେଉଁ କେଉଁ ଉପକରଣ କିଣାଯାଇଛି? କେତେ ଲୋକଙ୍କୁ ମାଗଣାରେ ଖାଦ୍ୟ ଦିଆଯାଇଛି? ସେ ସମ୍ପର୍କରେ ତଥ୍ୟ ନାହିଁ। କିଣା ଯାଇଥିବା ଉପକରଣ ଏବେ କେଉଁଠି? କେତେ ସଂଖ୍ୟକ ବେଡସିଟ୍ ଓ ତକିଆ କିଣା ଯାଇଛି? ଏସବୁ କାହା ଦାୟିତ୍ବରେ କେଉଁଠି ଅଛି ? କେତୋଟି ଅସ୍ଥାୟୀ ଶିବିରକୁ କେତେ ଜଣ ଜଗିଛନ୍ତି ଓ ସଫାସୁତରା କରାଯାଇଛି? ଏହିସବୁ ପ୍ରଶ୍ନର ଉତ୍ତର ମିଳୁନି।

ସୂଚନା ଥାଉକି ପ୍ରତି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ଜଗିବା ପାଇଁ ୫୦୦ ଟଙ୍କା ଓ ସଫାସୁତରା ପାଇଁ ୫୦୦ ଟଙ୍କା ଖର୍ଚ୍ଚ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା। କୋଭିଡ ସମୟରେ ସାଧାରଣ ଲୋକ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ବେଳେ ଜିଲ୍ଲାର କେତେକ ଅସାଧୁ ଅଧିକାରୀଙ୍କ ସହଯୋଗୀ କର୍ମଚାରୀ ମିଥ୍ୟା କାଗଜପତ୍ରରେ କୋଟି କୋଟି ଟଙ୍କା ହରିଲୁଟ କରିଥିବା ଅଭିଯୋଗ ହେଉଛି । ବିଂଝାରପୁର ବ୍ଲକ୍‌ରେ କୋଭିଡ ବେଳେ ମୋଟ ୧ କୋଟି ୨୫ ଲକ୍ଷ ୬୦ ହଜାର ୮୬୦ ଟଙ୍କା ବ୍ୟୟ କରାଯାଇଥିବାର କାଗଜପତ୍ରରେ ଦର୍ଶାଯାଇଛି। ସେହିପରି କୋରେଇ ବ୍ଲକରେ ୧ କୋଟି ୭୩ ଲକ୍ଷ ଟଙ୍କା, ଦାନଗଦୀ ବ୍ଲକରେ ୬୦ ଲକ୍ଷ ୭୪ ହଜାର ୧୧୯ ଟଙ୍କା ଓ ରସୁଲପୁର ବ୍ଲକରେ ୨ କୋଟି ୨୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏହାର ବିଧିବଦ୍ଧ ତଦନ୍ତ କରାଗଲେ ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରିବ ବୋଲି ବିଭିନ୍ନ ମହଲରେ ଦାବି ହେଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button